ମାନବ ସମାଜର ପରିବେଶକୁ ଧ୍ୱଂସ କରିବାକୁ ଚାଲିଛି ଭୟଙ୍କର ଷଡଯନ୍ତ୍ର, ଅଜଣା ସ୍ଥାନରୁ ଆସୁଛି ରହସ୍ୟମୟ ବିହନ ପାର୍ସଲ

ସାବଧାନ, ବଢ଼ୁଛି ଜୈବିକ ଆତଙ୍କବାଦ। ହାତରେ ନମାରି ଚାଲିଛି ଭାତରେ ମାରିବାକୁ ଯୋଜନା। ମାନବ ସମାଜର ପରିବେଶ, ଜୈବ ବିବିଧତା ଓ ପରିବେଶକୁ ଧ୍ବଂସ କରିବାକୁ ଚାଲିଛି ମାରାତ୍ମକ ଷଡ଼ଯନ୍ତ୍ର। କରୋନା ମହାମାରୀକୁ ନେଇ ଏବେ ସାରା ବିଶ୍ୱ ଲଢ଼େଇ କରୁଥିବାବେଳେ କୃଷିକ୍ଷେତ୍ର, ପରିବେଶ ଓ ଜୈବ ବିବିଧତା ଲାଗି ଚିନ୍ତା ବଢାଇଛି ରହସ୍ୟମୟ ବିହନ ବା ମଞ୍ଜି ପ୍ୟାକେଟର ପାର୍ସଲ।
ଅଜଣା ସୂତ୍ରରୁ ଆସୁଥିବା ଏଭଳି ସନ୍ଦେହଜନକ ଓ ରହସ୍ୟମୟ ବିହନ ପ୍ୟାକେଟ୍ ପାର୍ସଲ ପ୍ରତି ସତର୍କ ରହିବାକୁ ରାଜ୍ୟ ସରକାର ମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ସରକାର। ଏଭଳି ରହସ୍ୟମୟ ପାର୍ସଲ ପଠାଇବା ପଛରେ କେଉଁ ରାଷ୍ଟ୍ର ତଥା ସଂସ୍ଥା ରହିଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି। କିନ୍ତୁ ଅନୁମାନ କରାଯାଉଛି ଯେ ଏଭଳି ରହସ୍ୟମୟ ବିହନ ପ୍ୟାକେଟ୍ ପାର୍ସଲ ଭିତରେ ରହିଛି ଜୈବିକ ଆତଙ୍କବାଦର ଭୟଙ୍କର ଷଡ଼ଯନ୍ତ୍ର।
କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏଭଳି ବିହନ ପ୍ୟାକେଟ୍ ଭାରତର ଜୈବ ବିବିଧତା (ବାଓ ଡାଇଭରସିଟି)କୁ ଧ୍ବଂସ କରିବା ଆଶଙ୍କା ରହିଛି। ଏହା କୃଷି କ୍ଷେତ୍ରର ଉର୍ବରତା ଓ ଗୁଣବତ୍ତାକୁ ନଷ୍ଟକରିବା ସହିତ ଚାଷ ଜମିରେ ଥିବା ଉପକାରୀ ଜୀବାଣୁ ଓ ବୀଜାଣୁକୁ ଧ୍ବଂସ କରିବ। ଏପରିକି ଜମିରେ ନୂଆ ନୂଆ ମାରାତ୍ମକ ରୋଗ ପୋକ ସୃଷ୍ଟି କରିବା ଭଳି ଡ଼ର ମଧ୍ୟ ବଢାଇଛି। କୃଷି ମନ୍ତ୍ରଣାଳୟ ସୂଚନା ଦେଇ ଜଣାଇଛି ଯେ, ଗତ କିଛିମାସ ହେଲା ଏଭଳି ବିହନ ପ୍ୟାକେଟ୍ ଭାରତ ସମେତ ଆମେରିକା, ବ୍ରିଟେନ୍, କାନାଡା, ଜାପାନ, ନ୍ୟୁଜିଲାଣ୍ଡ ସମେତ ଅନେକ ୟୁରୋପୀୟ ରାଷ୍ଟ୍ରରେ ବିଭିନ୍ନ ବାଟ ଦେଇ ପ୍ରବେଶ କରିଛି। ଭାରତରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଏଭଳି ବିହନ ପ୍ୟାକେଟ୍ ପ୍ରବେଶ କରିଥିବା ଜଣାପଡିଛି। ତେବେ ଏହାର ସନ୍ଧାନ ପାଇବା ପରେ ତୁରନ୍ତ ଏନେଇ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ସତର୍କ କରାଇଛନ୍ତି।
ଅନ୍ୟ ପକ୍ଷରେ ଭାରତୀୟ ବିହନ ଶିଳ୍ପ ସଂଘ ମହାନିର୍ଦେଶକ ରାମ କୌଣ୍ଡିନ୍ୟ କହିଛନ୍ତି ଯେ, ଏବେ ଏଭଳି ଅଜଣା ସୂତ୍ରରୁ ଆସୁଥିବା ବିହନର ବ୍ୟବହାର ପ୍ରତି ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଦରକାର। ବିନା ଅର୍ଡରରେ ଉପଲବ୍ଧ ହେଉଥିବା ଏଭଳି ବିହନ ପ୍ୟାକେଟ୍ ପାର୍ସଲକୁ ସେ ବିହନ ଆତଙ୍କବାଦ (ସିଡ୍ ଟେରୋରିଜିମ୍) ନାମରେ ଅଭିହିତ କରିଛନ୍ତି। ଏଭଳି ଅଜଣା ବିହନ ଭାରତର ପୁରୁଣା ତଥା ନିଜସ୍ବ ବିହନ ପ୍ରଜାତି ତଥା କୃଷି ପରିବେଶକୁ ସଂପୂର୍ଣ୍ଣ ବିଲୋପ କରିବା ଆଶଙ୍କା କରିଛନ୍ତି ଶ୍ରୀ କୌଣ୍ଡଲ୍ୟ। ଏଭଳି ଅଜଣା ପାର୍ସଲକୁ ରୋକିବା ଲାଗି ବିଶେଷକରି ବନ୍ଦର ଓ ବିମାନ ବନ୍ଦରରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇ ସତର୍କ ଦୃଷ୍ଟି ରଖାଯାଉଛି। ଆମେରିକା ଆଦି ରାଷ୍ଟ୍ରରେ ଏଭଳି ବିହନ ପ୍ୟାକେଟ୍ ପାର୍ସଲ ପହଞ୍ଚିବା କ୍ଷଣି ତାହାକୁ ନଷ୍ଟ କରିଦିଆଯାଉଥିବା କୌଣ୍ଡଲ୍ୟ ସୂଚନା ଦେଇଛନ୍ତି। ସେହିପରି ଯୁକ୍ତରାଷ୍ଟ୍ର ଆମେରିକା କୃଷି ବିଭାଗ (ୟୁଏସଡିଏ) ଏଭଳି ପାର୍ସଲକୁ ‘ବ୍ରସିଂ ସ୍କାମ୍’ ଏବଂ ‘ଏଗ୍ରିକଲଚର ସ୍ମଗଲିଂ’ ଭାବେ ଉଲ୍ଲେଖ କରିଛି।