କଠିନ ପରିଶ୍ରମର ଫଳ ସବୁବେଳେ ମିଠା : ଚା’ ବିକି ପାଠ ପଢାଉଥିଲେ ବାପା, ଝିଅ ଆଜି ଚାଟାର୍ଡ ଆକାଉଣ୍ଟାଣ୍ଟ

ନୂଆଦିଲ୍ଲୀ : ଏ ଲୁହ ଖୁସିର ଲୁହ । ଏ ଲୁହ ୧୦ ବର୍ଷ ଅପେକ୍ଷାର ଲୁହ । ଏ ଲୁହ ଅକ୍ଲାନ୍ତ ପରିଶ୍ରମ ପରେ ମିଳିଥିବା ସଫଳତାର ଲୁହ । ଏ ଲୁହ ଗୋଟେ ବାପା ସାମ୍ନାରେ ଝିଅ ଆଖିର ଅସରନ୍ତି ଖୁସିର ଲୁହ । କଥାରେ ଅଛି ଅପେକ୍ଷାର ଫଳ ସବୁବେଳେ ମିଠା । ଆଜି କି କାଲିର କଥା ନୁହେଁ ଦୀର୍ଘ ୧୦ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ମିଳିଛି ଏହି ସଫଳତା । ଦିଲ୍ଲୀରେ ବାପାମାଆଙ୍କ ସହ ରହୁଥିବା ଏହି ଯୁବତୀ ଜଣକ ହେଉଛନ୍ତି ଅମିତା ପ୍ରଜାପତି । ଯାହାଙ୍କର କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତାର ସ୍ୱାଦ ଚଖାଇଛି । ତେବେ ଏହି ସଫଳତା ସହଜରେ ମିଳିନଥିଲା । ସେଥିପାଇଁ କରିବାକୁ ପଡିଥିଲା ଅନବରତ କଠିନ ପରିଶ୍ରମ । ଯାହାକୁ କରିଥିଲେ ଅମିତା । ଆଉ ତାଙ୍କର ସେହି କଠିନ ପରିଶ୍ରମ ପାଇଁ ଆଜି ସେ ସମସ୍ତଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି । ବସ୍ତି ଅଞ୍ଚଳରେ ରହୁଥିଲେ ସୁଦ୍ଧା, କେବେବି ଲଜ୍ଜାବୋଧ ନକରି ନିଜ ଭବିଷ୍ୟତରକୁ ନେଇ ଦେଖିଥିଲେ ସୁନେଲି ସ୍ୱପ୍ନ।
ଅମିତା ନିଜ ଅକ୍ଲାନ୍ତ ପରିଶ୍ରମ କରି ନିଜର ସ୍ୱପ୍ନକୂ ପୂରଣ କରିଛନ୍ତି । ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ କରିଛନ୍ତି ଅମିତା ପ୍ରଜାପତି । ଅମିତା ୧୦ ବର୍ଷ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଏହି ଚାଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ପରୀକ୍ଷାରେ ଉତ୍ତୀର୍ଣ୍ଣ କରିଛନ୍ତି । ଏହି ସଫଳାରେ ସେ ନିଜର ମାତା ପିତାଙ୍କୁ କୃତଜ୍ଞତା ଜଣାଇବା ସହ ଏକ ପୋଷ୍ଟ ସେୟାର କରିଛନ୍ତି । ସମ୍ପର୍କୀୟଙ୍କ ପରିହାସକୁ ପଛରେ ପକାଇ, ସବୁ ଆର୍ଥିକ ସଙ୍କଟକୁ ସାମ୍ନା କରି ଝିଅକୁ ପାଠ ପଢାଉଥିଲେ ବାପାମାଆ । ବାପା ଯିଏ ଚା ବିକି ପରିବାର ପୋଷନ୍ତି । ସେ କେବେବି ଝିଅର ପାଠପଢାରେ କୌଣସି ବାଧା ଆସିବାକୁ ଦେଇନଥିଲେ । ଯାହାର ମୂଲ୍ୟ ରଖିଛନ୍ତି ଅମିତା । ଦୃଢ ଆତ୍ମବିଶ୍ୱାସ ପାଇଁ ଆଜି ସେ ନିଜର ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହୋଇଛନ୍ତି ।
ଅମିତା ପ୍ରଜାପତି ନିଜର ଏହି ସଫଳତାର ଖବର ଶୁଣୁ ଶୁଣି କାନ୍ଦି ପକାଇଥିଲେ । ଆଉ ବାପା ବାଇକ୍ ଆସି ପହଁଞ୍ଚିବା କ୍ଷଣି ତାଙ୍କୁ କୁଣ୍ଡାଇ ପକାଇଥିଲେ । ଆଉ କହିଥିଲେ ବାପା ୧୦ ବର୍ଷର ପରିଶ୍ରମ ସଫଳ ହେଇଗଲା । ଏହି ସମୟର ଏକ ଭିଡ଼ିଓ ଅମିତା ନିଜେ ସେୟାର କରିଛନ୍ତି । ସୋସିଆଲ ମିଡ଼ିଆ ସାଇଟ୍ ଲିଙ୍କଡଇନ୍ ରେ ପୋଷ୍ଟ କରି ଅମିତା କହିଛନ୍ତି , ଲୋକେ ତାଙ୍କ ବାପାଙ୍କୁ ନିରୁତ୍ସାହିତ କରି କହୁଥିଲେଥି ତୁମ ଝିଅ କେବେବି ପରୀକ୍ଷାରେ ଉତ୍ତୀର୍ଣ୍ଣ କରିପାରିବ ନାହିଁ । ଯେହେତୁ ସେ ବିଲୋ ଆଭରେଜ୍ ଛାତ୍ରୀ । ଆଉ ମଧ୍ୟ କହୁଥିଲେକି, ତମେ କେବେ ବି ଚା ବିକ୍ରି କରି ଝିଅକୁ ଏତେ ପାଠ ପଢାଇ ପାରିବ ନାହିଁ । ଟଙ୍କା ସେଭିଙ୍ଗ ରଖ , ଗୋଟେ ଭଲ ଘର ତିଆରି କର । ହେଲେ ଝିଅ ଉପରେ କିନ୍ତୁ ବାପାଙ୍କ ଥିଲା ଅଗାଢ ବିଶ୍ୱାସ । ଯେଉଁ ବିଶ୍ୱାସକୁ ସତ କରି ଦେଖାଇଛନ୍ତି ଅମିତା ।