କାଳ ହେଲା କାଳବୈଶାଖୀ, ଘର ତଳେ ଚାପି ହୋଇ ଚାଲିଗଲା ଚୈତନ୍ୟଙ୍କ ଜୀବନ

କାଳବୈଶାଖୀର ତାଣ୍ଡବ ଦେଖି ଜୀବନ ବିକଳରେ ଏଇ ଚାଳ ଘରେ ଆଶ୍ରା ନେଇଥିଲେ ଚୈତନ୍ୟ । କିନ୍ତୁ ଜୀବନ ରକ୍ଷା ପାଇଁ ଯେଉଁ ଘରେ ଆଶ୍ରା ନେଇଥିଲେ ସେଇ ଘର ହିଁ ତାଙ୍କ ମୃତ୍ୟୁର କାରଣ ସାଜିଲା । କାଳ ହେଲା କାଳବୈଶାଖୀ । କାମ ସାରି ଘରକୁ ଫେରୁଥିବା ବେଳେ ବର୍ଷା ପବନ ହେବାରୁ ରାସ୍ତା ପାର୍ଶ୍ବରେ ଥିବା ଏକ ଚାଳ ଘରେ ଆଶ୍ରା ନେଇଥିଲେ ଚୈତନ୍ୟ । ହେଲେ କାଳ ବୈଶାଖୀ ପ୍ରଭାବରେ ସେହି ଘର ଉପରେ ଏକ ବିରାଟ ଗଛ ପଡିଲା । ଭାଙ୍ଗିଗଲା ଚାଳ ଘର ଆଉ ଘର ତଳେ ଚାପି ହୋଇ ଚାଲିଗଲା ଚୈତନ୍ୟଙ୍କ ଜୀବନ ।

ମୃତ୍ୟୁର ନା ଥାଏ ସମୟ ନା ଥାଏ ସ୍ଥାନ । ଏକଥା ଖାଲି କଥାରେ କୁହାଯାଏନି । ଏମିତି କିଛି ଘଟଣା ହିଁ କଥାକୁ ପ୍ରମାଣ କରେ । କାଳବୈଶାଖୀ ପ୍ରଭାବରେ ତୁହାକୁ ତୁହା ପବନ ହେଉଥାଏ । ଘଡ଼ଘଡ଼ି ବିଜୁଳି ଦେଖି ଚୈତନ୍ୟ ଖୁବ୍ ଡରି ଯାଇଥିଲେ । ଭାବିଥିଲେ ଏଇ ଚାଳ ଘରେ କିଛି ସମୟ ଅଟକି ଯିବେ । ଆଉ ପବନ କମିଲେ ଘରକୁ ଫେରିବେ । କିନ୍ତୁ ଘରକୁ ଫେରିବେ କଣ ଏଇ ଘରେ ଯେ ମୃତ୍ୟୁ ତାଙ୍କ ବାଟ ଚାହିଁ ବସିଥିଲା ସେ ଜାଣିନଥିଲେ । ଆଉ ଘରେ ଆଶ୍ରୟ ନେବାର କିଛି ସମୟ ମଧ୍ୟରେ ହିଁ ତାଙ୍କ ପ୍ରାଣ ବାୟୁ ଉଡ଼ିଗଲା ।

ଏଭଳି ଅଘଟଣ ଉଦଳା ଥାନା ଗୋଧିମରା ଗାଁରେ ଘଟିଯାଇଛି । ଉଦଳାରେ କାଳବୈଶାଖୀ ତାଣ୍ଡବ ରଚିଥିବା ବେଳେ ଏହାର ପ୍ରଭାବରେ ଅନେକ ଗଛ ଉପୁଡି ରାସ୍ତାରେ ପଡିବା ସହିତ ରାସ୍ତା ଅବରୋଧ ହୋଇଥିଲା । ଏପଟେ ଗୋଧିମରା ଛକ ନିକଟରେ କାମ ସାରି ଘରକୁ ଫେରୁଥିଲେ ବହୁବନ୍ଧ ଗାଁର ଚୈତନ୍ୟ ଶଙ୍ଖୁଆଳ । କାଳବୈଶାଖୀର ପ୍ରଭାବ ଦେଖି ଏକ ଚାଳ ଘର ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ପବନର ବେଗ ଏତେ ଅଧିକ ହୋଇଥିଲା ଯେ ଘର ନିକଟରେ ଥିବା ଏକ ବିଶାଳ ଗଛ ଉପୁଡି ଘର ଉପରେ ପଡିଥିଲା ଏବଂ ଘର ଭିତରେ ଚାପି ହୋଇ ରହିଯାଇଥିଲେ ଚୈତନ୍ୟ । ସ୍ଥାନୀୟ ଲୋକେ ଆସି ଅଗ୍ନିଶମ ବିଭାଗ ସହାୟତାରେ ଗଛ କାଟି ଚୈତନ୍ୟଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ ।

ଅନ୍ୟପଟେ କାଳ ବୈଶାଖୀର ତାଣ୍ଡବରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି ଏକ ପରିବାର । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ଗାଁରେ ମଧ୍ୟ ଏକ ଘର ଉପରେ ଗଛ ପଡ଼ିଥିଲା । ଯେଉଁଥିରେ ଘରଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ପେଟା ଗାଁର ମଙ୍ଗଳା ବାହାଦୁର ନିଜ ପରିବାର ସହ ରାତିରେ ଶୋଇଥିବା ବେଳେ କାଳ ବୈଶାଖୀର ଭୀଷଣ ପବନ ଯୋଗୁଁ  ଘର ସମ୍ମୁଖରେ ଥିବା ଏକ ବିରାଟ ଆମ୍ବ ଗଛଟି ଭାଙ୍ଗି ତାଙ୍କ ଘର ଉପରେ ପଡ଼ିଥିଲା । ଘର ଭିତରେ ୪ ଜଣ ଶୋଇଥିବା ବେଳେ ମଙ୍ଗଳାଙ୍କ ସ୍ତ୍ରୀ ସବିତାଙ୍କୁ ଆଘାତ ଲାଗିଥିଲା । ଘର ଉପରେ ଏତେ ବଡ଼ ଗଛ ପଡ଼ିଥିବା ଦେଖି ସଙ୍ଗେ ସଙ୍ଗେ ଗାଁ ଲୋକେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ ସହାୟତାରେ ସବିତାଙ୍କୁ କୋରାପୁଟ ମେଡିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ସକାଳେ ଲମତାପୁଟ ଅଗ୍ନିଶମ ଟିମ୍ ପହଞ୍ଚି ଗଛକୁ କାଟି ସଫା କରିଥିଲେ ।

ଅନେକ ପରିବାରକୁ ଉଚ୍ଛନ କରିଦେଉଛି କାଳବୈଶାଖୀ । ପ୍ରକୃତିର ଏ ତାଣ୍ଡବରେ କିଏ ନିଜ ପରିବାର ସଦସ୍ୟକୁ ହରାଉଛି ତ କିଏ ରହିବା ପାଇଁ ବାସସ୍ଥାନ ହରାଉଛି । ଏଭଳି ପରିବାରକୁ ପ୍ରଶାସନ ତରଫରୁ ସାହାଯ୍ୟ ମିଳିଲେ ହୁଏତ ଏମାନଙ୍କ ଦୁଃଖ ଅଳ୍ପ ବହୁତ ଦୂର ହୋଇପାରିବ ।

Also Read:ତାଣ୍ଡବ ରଚିଛି କାଳବୈଶାଖୀ, ଗଛ ଭାଙ୍ଗି ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ