ଚନ୍ଦନ ତସ୍କର ବୀରପ୍ପନ : ୧୮ରେ ଜନ୍ମ ୧୮ରେ ମୃତ୍ୟୁ, ଆଜି ଦିନରେ ମରିଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ

ଆଜିକୁ ୧୮ ବର୍ଷ ତଳେ ଚନ୍ଦନ ତସ୍କର ବୀରପ୍ପନର ମୃତ୍ୟୁ ଘଟିଥିଲା । ଦୀର୍ଘ ୩୬ ବର୍ଷ ଧରି ବିଭିନ୍ନ ଅପରାଧରେ ଜଡ଼ିତ ଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀ ଶେଷରେ ପୋଲିସ୍‌ ହାତରୁ ଗୁଳି ଖାଇ ମରିଥିଲା । ୧୯୫୨ ମସିହା ଜାନୁଆରୀ ୧୮ ତାରିଖରେ ତାର ଜନ୍ମ ଆଉ ୨୦୦୪ ଅକଟୋବର ୧୮ ତାରିଖରେ ମରିଥିଲା ବୀରପ୍ପନ ।
ବୀରପ୍ପନ ମାତ୍ର ୧୭/୧୮ ବର୍ଷ ବୟସରେ ଅପରାଧ ଦୁନିଆକୁ ଆସି ପ୍ରଥମେ ତାର ଜଣେ ସମ୍ପର୍କୀୟ ସେବି ଗୁଣ୍ଡର ସହଯୋଗୀ ଭାବେ କାମ କରୁଥିଲା । ଗୁଣ୍ଡର ଚନ୍ଦନ କାଠ ଚୋରାଚାଲାଣ କରୁଥିଲା । ସେହି ବୟସରେ ବୀରପ୍ପନ ପ୍ରଥମ ଥର ଜଣେ ଲୋକକୁ ହତ୍ୟା କଲା । ଆଉ ତା ପରେ କେବଳ ଚନ୍ଦନ କାଠ ନୁହେଁ ତା ସହିତ ହାତୀ ଦାନ୍ତ ଚୋରା ଚାଲାଣ କାମ ଆରମ୍ଭ କରିଦେଲା । ଆଉ ଏହି କାମରେ ଯିଏ ବି ବାଧା ଦେଲା ସିଏ ତାକୁ ହତ୍ୟା କଲା । ତେବେ ଏକଥା ମଧ୍ୟ ଶୁଣିବାକୁ ମିଳେ କି ମାତ୍ର ୧୦ ବର୍ଷ ବୟସରେ ୧୯୬୨ରେ ସେ ଅନ୍ୟ ଦୁଇଜଣଙ୍କ ସହାୟତରେ ଗୋଟିଏ ଦନ୍ତା ହାତୀକୁ ଗୁଳି ମାରିଥିଲା ।

ବିଶେଷ କରି ପୋଲିସ୍‌, ବନ ବିଭାଗ ଏବଂ ଗୋଇନ୍ଦା ବିଭାଗ ଅଧିକାରୀଙ୍କୁ ବୀରପ୍ପନ ହତ୍ୟା କରିଛି । ସେହିଭଳି ଦାନ୍ତ ପାଇଁ ଅନେକ ହାତୀଙ୍କୁ ମାରିଛି । ପୁଣି ବଡ଼ ବଡ଼ ବ୍ୟକ୍ତିଙ୍କୁ କିଡନାପ କରି ତା ବଦଳରେ ବିପୁଳ ଟଙ୍କା ରୋଜଗାର କରିଥିଲା ଏହି ରାକ୍ଷସ ପ୍ରବୃତ୍ତିର ଲୋକଟି । ଖାଲି ସେତିକି ନୁହେଁ, ତାର ଯାହା ଉପରେ ସନ୍ଦେହ ଆସୁଥିଲା ସେ ତାକୁ ହତ୍ୟା କରୁଥିଲା । ଏମିତିକି ନିଜ ଗାଁ ଲୋକଙ୍କୁ ବି ସେ ଛାଡ଼ି ନଥିଲା । କୁହାଯାଏ ସେ ପ୍ରାୟ ୧୨୦ ମଣିଷ ମାରିଥିବା ବେଳେ ୨ ହଜାରରୁ ଅଧିକ ହାତୀଙ୍କୁ ହତ୍ୟା କରିଥିଲା । ହାତୀ ଦାନ୍ତ ପାଇଁ ସେ ହାତୀଙ୍କ ଯମ ପାଲଟି ଯାଇଥିଲା । ଜଙ୍ଗଲ ଭିତରେ ରହି ଚଳାଇଥିଲା ମାଫିଆ ରାଜ୍‌ । ତା ସହିତ ଚାଲିଥିଲା ଚନ୍ଦ କାଠ ଓ ହାତୀ ଦାନ୍ତର ବିରାଟ ଚୋରା ଚାଲାଣ କାରବାର । ତାର କେବଳ ପୁଳା ପୁଳା ଟଙ୍କା ଦରକାର ଥିଲା । ମଣିଷ ହେଉ କି ହାତୀ ଏସବୁ ତା ପାଇଁ ଥିଲେ ଅତି ନ୍ୟୂନ । ସେମାନଙ୍କୁ ପୋକ ମାଛି ପରି ମାରୁଥିଲା ବୀରପ୍ପନ ।

ବୀରପ୍ପନର ପରିବାର ମଧ୍ୟ ଥିଲା । ତା ସ୍ତ୍ରୀ’ଙ୍କ ନାଁ ହେଉଛି ମୁଥୁଲକ୍ଷ୍ମୀ । କୁହାଯାଏ କି ବୀରପ୍ପନର ଏହି ଅପରାଧିକ ଜୀବନ ଏବଂ ସାହସ ଯୋଗୁଁ ମୁଥୁଲକ୍ଷ୍ମୀ ତାକୁ ଖୁବ୍‌ ଭଲ ପାଉଥିଲା । ତାର ଦୁଇଟି ଝିଅ ଅଛନ୍ତି । ଯେଉଁମାନେ ତାମିଲନାଡୁରେ ପାଠ ପଢୁଥିଲେ ।

ଦୀର୍ଘ ୨୦ ବର୍ଷ ଧରି ତାମିଲନାଡୁ ପୋଲିସ୍‌ ବୀରପ୍ପନକୁ ଧରିବା ପାଇଁ ଚେଷ୍ଟା କରିଥିଲା, ଜାଲ ବି ବିଛାଇଥିଲା । ହେଲେ କେବଳ ମିଳୁଥିଲା ନିରାଶା । ଶେଷରେ ତାମିଲନାଡୁ ପୋଲିସ୍‌ର ଏକ ସ୍ପେସାଲ ଟାସ୍କଫୋର୍ସ ବୀରପ୍ପନକୁ ଧରିବା ପାଇଁ ଗଠନ କରାଯାଇଥିଲା । ସେମାନେ ଅନେକ ଦିନ ଧରି ତା ଉପରେ ନଜର ରଖିଥିଲେ । ଶେଷରେ ୨୦୦୪ ମସିହା ଅକଟୋବର ୧୮ ତାରିଖ ଦିନ ତାମିଲନାଡୁର ଧରମପୁରୀ ଜିଲ୍ଲା ପପ୍ପରପଟି ଗାଁ ନିକଟରେ ପୋଲିସ୍‌ ତାର ଏନକାଉଣ୍ଟର କରିଥିଲା । ଏଥିରେ ବୀରପ୍ପନ ସହିତ ତାର ଦୁଇ ସହଯୋଗୀ ମଧ୍ୟ ନିହତ ହୋଇଥିଲେ ।

ପୋଲିସ୍‌ର ଏହି ସ୍ପେସାଲ ଟାସ୍କଫୋର୍ସର ନେତୃତ୍ୱ ନେଇଥିଲେ ବିଜୟ କୁମାର । ଏହି ଅପରେସନ୍‌ର ନାଁ ଥିଲା ‘କୋକୁନ’ । ମୁଲକାଡୁ ଗାଁରେ ବୀରପ୍ପନର ଶବକୁ କବର ଦିଆଯାଇଥିଲା । ତା ଉପରେ କେତେ ସିନେମା ଏବଂ କାହାଣୀ ହୋଇ ସାରିଲାଣି । ସବୁଗୁଡ଼ିକୁ ଖୁବ୍‌ ଲୋକପ୍ରିୟତା ମିଳିଛି । ତେବେ ତାର ମୃତ୍ୟୁ ପରେ ଶାନ୍ତ ପଡ଼ିଥିଲା ଉଭୟ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.