ନନ୍ଦିଘୋଷରେ ଚଢ଼ି ଝୁଲି ଝୁଲି ଆସିବେ କାଳିଆ ରାଜା, ଜାଣନ୍ତୁ ମହାପ୍ରଭୁଙ୍କ ରଥର ସ୍ୱତନ୍ତ୍ରତା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ଯେତେ କହିଲେ ବି କମ୍‌ ଲାଗିବ। କାରଣ ଯିଏ ସାରା ଦୁନିଆ ତଥା ମଣିଷଜଗତକୁ ଗଢ଼ିଛି ତା’ ବିଷୟରେ କିଏ ବା କଣ ଲେଖିପାରିବ। ତଥାପି ସେଇ କାଳିଆର ଯାତ୍ରା ପାଇଁ ଗଢ଼ାଯାଉଛି ରଥ। ଭାଇ ଭଉଣୀଙ୍କ ଯାତ୍ରା ପାଇଁ ରଥ ସେବକମାନେ ନିଜ ହାତରେ ତିଆରି କରୁଛନ୍ତି ୩ଟି ରଥ। ଏହି ରଥରେ ବସି ମହାପ୍ରଭୁ ବୁଲିଯିବେ ମାଉସୀ ଘର। ଦିନେ କି ଦୁଇ ଦିନ ନୁହେଁ, ୯ ଦିନର ଏହି ଯାତ୍ରା ପାଇଁ ମାସ ମାସ ଆଗରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି। ଦିନ ରାତି ଏକ କରି ସେବକ ମାନେ ଗଢ଼ି ଦିଅନ୍ତି ତିନି ଦିଅଁଙ୍କ ପାଇଁ ରଥ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥର ନାଁ ନନ୍ଦିଘୋଷ, ବଡ଼ ଦିଅଁ ବଡ଼ଠାକୁରଙ୍କ ରଥର ନାଁ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ରଥ ହେଉଛି ଦେବ ଦଳନ ବା ଦର୍ପ ଦଳନ। ତିନି ଦିଅଁ ନିଜ ନିଜ ରଥରେ ବିରାଜମାନ କରି ମାଉସୀ ଘରକୁ ଯାଇଥାନ୍ତି ବୁଲିବାକୁ। ତେବେ ୩ ଠାକୁରଙ୍କ ୩ ରଥର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ। ଆସନ୍ତୁ ଜାଣିବା ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ବିଷୟରେ କେତେକ ରୋଚକ କଥା…

ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷର ଅନ୍ୟ ନାମ ହେଉଛି ଗରୁଡ଼ଧ୍ୱଜ ଓ କପିଳଧ୍ୱଜ। କାଳିଆ ରଥର ନିର୍ମାଣ ଶୈଳୀ ସବୁ ରଥ ଠାରୁ ଭିନ୍ନ। ନନ୍ଦିଘୋଷର ନିର୍ମାଣ ପାଇଁ ବ୍ୟବହୃତ ହୁଏ ୭୪୨ ଖଣ୍ଡ କାଠ। ଏହି ରଥରେ ରହିଛି ମୋଟ୍‌ ୧୬ଟି ଚକ। ଏହି ଚକର ନାଁ ହେଉଛି ବିଷ୍ଣୁସିଦ୍ଧ, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆସକ୍ତ, ରତି, କେଳି, ସତ୍ୟ, ସୁଶ୍ୱସ୍ତି, ଜାଗୃତି, ବିଭୂତି, ତୁରୀୟ, ଆମ ଓ ନିର୍ବାଣ। ନନ୍ଦିଘୋଷ ରଥର ଚକର ବ୍ୟାସ ୬ ଫୁଟ୍‌। ଏହି ରଥର ରଙ୍ଗ ହେଉଛି ହଳଦିଆ ଓ ଲାଲ। ନନ୍ଦିଘୋଷର ରକ୍ଷକ ହେଉଛନ୍ତି ଗରୁଡ଼ ଓ ନୃସିଂହ। ସେହିପରି ଜୟ ଓ ବିଜୟ ହେଉଛନ୍ତି ରଥର ଦ୍ୱାରପାଳ। ଦାରୁକ ହେଉଛନ୍ତି ମହାପ୍ରଭୁଙ୍କ ରଥର ସାରଥୀ। ନନ୍ଦିଘୋଷ ରଥର ଶିଖରରେ ଲାଗିଥିବା ପତାକାର ନାଁ ହେଉଛି ତ୍ରୈଲୋକ୍ୟମୋହିନୀ। ପତାକାରେ ରହିଛି ଗରୁଡ଼ ଚିହ୍ନ।

jagannath

ସେହିପରି ଏହି ରଥରେ ଋଷି ସମୂହଙ୍କ ମଧ୍ୟରେ ଅଛନ୍ତି ନାରଦ, ଦେବାଳ, ବ୍ୟାସ, ଶୁକ, ପରାସର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର। ନନ୍ଦିଘୋଷ ରଥରେ ବିମଳା ଓ ବିରଜା ଶକ୍ତି ଭାବେ ରହିଥାନ୍ତି।
ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ୪ଟି ଲେଖାଏଁ ଧଳା ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼ ଓ ୯ ଜଣ ପାର୍ଶ୍ୱ ଦେବତା ରହିଥାନ୍ତି। ଏହି ରଥରେ ପାର୍ଶ୍ୱ ଦେବା ଦେବୀ ଭାବେ ରହିଛନ୍ତି ପଣ୍ଡୁ ନୃସିଂହ, ନାରାୟଣ, ମଧୁସୂଦନ, ହରିହର, ଚିନ୍ତାମଣି କୃଷ୍ଣ, ଗୋବର୍ଦ୍ଧନଧାରୀ, ପଞ୍ଚମୁଖୀ ହନୁମାନ, ରାମ ପ୍ରମୁଖ ଦେବତା।

ରଥଯାତ୍ରାରେ ନିଜ ରଥ ନନ୍ଦିଘୋଷରେ ବସି ସବୁଠାରୁ ଶେଷରେ ଗୁଣ୍ଡିଚା ମନ୍ଦିରକୁ ବିଜେ ହୋଇଥାନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ।

Also Read: ସାଉଥ୍‌ଷ୍ଟାର ରାମଚରଣଙ୍କ ଘରେ ରାତ୍ରି ଭୋଜନ ପାଇଁ ପହଞ୍ଚିଲେ ସଲମାନ୍‌ ଖାନ୍‌, ସାଙ୍ଗରେ ଥିଲେ ପୂଜା ହେଗ୍‌ଡେ ଓ ଭେଙ୍କଟେଶ୍‌ ଦଗୁବାତୀ

Leave A Reply

Your email address will not be published.