ଏବେ ବି ବଞ୍ଚିଛି ଚାଟଶାଳୀ, ଦୀର୍ଘ ୪୭ ବର୍ଷ ହେଲା ଘର ପଛ ବାଡ଼ିରେ ପିଲାଙ୍କୁ ପଢ଼ାଉଛନ୍ତି ବାବୁ ସାର

ଗାଁରେ ଚାଟଶାଳୀର ମହକ । ଏମିତି ଏକ ଚାଟଶାଳୀ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ଗାଁରେ । ଚାଟଶାଳୀରେ ପିଲାଙ୍କ ଭବିଷ୍ଯତ ଗଢୁଥିବା ଶିକ୍ଷକ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବାବାଜି ଚରଣ ଜେନା ଓରଫ ବାବୁ ସାର । ସମସ୍ତଙ୍କର ପ୍ରିୟ ବାବୁ ସାର । ସାରଙ୍କୁ ବାର୍ଦ୍ଧକ୍ଯ ଛୁଇଁଲାଣି ତଥାପି କମିନି ଶିକ୍ଷାଦାନର ନିଶା। ସାର ମାଟ୍ରିକ ପାସ । ହେଲେ ସେ ତିଆରି କରିଛନ୍ତି ଅନେକ କୃତି ଛାତ୍ର ଛାତ୍ରୀ । କିଏ ଡାକ୍ତର ତ କିଏ ଇଂଜିନିୟର ପୁଣି କିଏ ନାଁ କରା ସାମ୍ବାଦିକ ଏମିତି ଅନେକ । ସ୍ଥାନୀୟ ଆଖପାଖ ୪ ପଞ୍ଚାୟତର ଘରେ ଘରେ ଜଣାଶୁଣା ସମସ୍ତଙ୍କର ସାର । ଦୀର୍ଘ ୪୭ ବର୍ଷ ହେଲା ସାର କରି ଆସୁଛନ୍ତି ଶିକ୍ଷାଦାନ । ନିଜ ଘରପାଖ ବାଡିରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ । ଯାହାକି ଚାଟଶାଳୀ ଠାରୁ କିଛି କମ୍‌ ନୁହେଁ । ପିଲାମାନେ ମଧ୍ଯ ସାରଙ୍କ ପଢା ଓ ବ୍ଯବହାରରେ ବେଶ ଆନନ୍ଦ ଥିବା କୁହନ୍ତି।

babu2

୧୯୭୪ ମସିହାରେ ମାଟ୍ରିକ ପାସ କଲା ପରେ ବାପାଙ୍କ ଦେହାନ୍ତ ହେବାରୁ ଆଗକୁ ଆଉ ପଢିପାରିନଥିଲେ ପାଠ । ଘର ଚଳାଇବା ପାଇଁ ଶିକ୍ଷାଦାନକୁ ଆପଣେଇଲେ ବାବୁ ସାର । ଆଉ ତିଆରିି କଲେ ବାବୁ ସାରଙ୍କ ଚାଟଶାଳୀ। ପ୍ରଥମେ ୪ ରୁ ୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଚାଟଶାଳୀରେ ଏବେ ୨ ଶହରୁ ଊର୍ଦ୍ଧ୍ୱ ପିଲା । ସକାଳେ ଓ ସନ୍ଧ୍ଯାରେ ପଢ଼ାଉଛନ୍ତି ପାଠ । ଖାଲି ଯେ ଶିକ୍ଷାଦାନ କରନ୍ତି ସାର ତାହା ନୁହେଁ, ଗ୍ରାମାଞ୍ଚଳରେ ଡ୍ରାମା, ଗୀତିନାଟ୍ଯରେ ଅଭିନୟ କରିବା ସହ ପିଲାମାନଙ୍କୁ ନାଚ, ଗୀତ ମଧ୍ୟ ଶିଖାଇଥାନ୍ତି, ଯାହାକି ଭଦ୍ରକ ଜିଲ୍ଲାର ଜଣେ ସୁନାମଧନ୍ଯ କଳାକାର ଭବେ ମଧ୍ଯ ବେଶ ପରିଚିତ ସାର । ତେଣୁ ଘଣ୍ଟେଶ୍ୱରରେ କଳାକାର ସଂଘ ସମେତ ଅନେକ ଅନୁଷ୍ଠାନ ତରଫରୁ ମଧ୍ଯ ସାରଙ୍କୁ ପୁରସ୍କୃତ କରାଯାଇଛି।

Leave A Reply

Your email address will not be published.