ଶାରୀରିକ ସଂପର୍କ ପରେ ଦେଲେ ପ୍ରତାରଣା, ନ୍ୟାୟ ପାଇଁ ଥାନାରେ ବସିଲେ ପ୍ରେମିକା

ପ୍ରେମ କଲେ । ଶାରୀରିକ ସଂପର୍କ ରଖିଲେ । ଏମିତି କିଛି ଦିନ ଚାଲିଲା ପ୍ରେମୀ ଯୁଗଳଙ୍କ ମିଠା ମିଠା ପ୍ରେମ । ହେଲେ ପ୍ରେମିକା ଯେତେବେଳେ ପତ୍ନୀର ଅଧିକାର ମାଗିଲେ ମାନେ ବାହା ହେବାକୁ କହିଲେ ପ୍ରେମିକ ପ୍ରବରଙ୍କ ସବୁ ପ୍ରେମ ଶୁଖିଗଲା । ଆଉ ଧରାଛୁଆଁ ଦେଲେନି । ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଇଁ ଥାନାରେ ବସିଲେ ପ୍ରେମିକା । ପ୍ରେମିକ ଜଣକ ହେଉଛନ୍ତି ଆଇନର ରକ୍ଷକ ଥାନା ଅଧିକାରୀ ଆଉ ତାଙ୍କ ପ୍ରେମିକା ଜଣେ ହୋମଗାର୍ଡ । ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣ ଦେଇ ଏବେ ହରଡ ଘଣାରେ ପୋଲିସ୍ ବାବୁ । କେତେ ପ୍ରତିଶ୍ରୁତି କେତେ ସ୍ବପ୍ନ ଦେଖାଇ ପ୍ରେମ କରିଥିଲେ ।
କିନ୍ତୁ ପରେ ସେ ସବୁ ମିଛ ହୋଇଗଲା । ଶେଷରେ ମହିଳା ହୋମଗାର୍ଡ ଜଣକ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବା ସହିତ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ । କୁଜଙ୍ଗ ପୂର୍ବତନ ଆଇଆଇସି ତପନ ନାହାକଙ୍କ ନାମରେ ଆସିଛି ଏଭଳି ଏକ ସାଙ୍ଘାତିକ ଅଭିଯୋଗ । ଗତକାଲି ମହିଳା ହୋମଗାର୍ଡ ଜଣକ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଥାନା ଅଧିକାରୀ ଖବର ପାଇ ଫେରାର ହୋଇ ଯାଇଥିଲେ । ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ ।
ଉଭୟଙ୍କୁ ଏସପି ଅଫିସ ମଧ୍ୟରେ ଏକ ୯ ଜଣିଆ ଟିମ ପଚରା ଉଚରା କରିଛନ୍ତି । ଅନ୍ୟପଟେ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରିବାକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଥିଲା । ଘଟଣାର ଆପୋଷ ସମାଧାନ ପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା । ଆଜିକାଲି ଲଭ୍-ସେକ୍ସ-ଧୋକାକୁ ନେଇ ଅନେକ ଘଟଣା ସମାଜରେ ଘଟୁଛି ଆଉ ଏମିତି ଅନେକ ଯୁବକ ଯୁବତୀ ନ୍ୟାୟ ପାଇବା ପାଇଁ ଥାନାକୁ ଦୌଡୁଛନ୍ତି ।
ଯଦି ନ୍ୟାୟ ଦେବା ପାଇଁ ନିଯୁକ୍ତ ହୋଇଥିବା କର୍ମଚାରୀ ଏଭଳି କର୍ମ କରନ୍ତି ତେବେ ସାଧାରଣ ଜନତାଙ୍କର କେତେଦୂର ନ୍ୟାୟ ଦେଇ ପାରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ତଦନ୍ତ ପରେ କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ । ଅସଦାଚରଣ ଓ ନିଜ ପଦବିର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ନିଲମ୍ବନ ସମୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ତପନ ।
Also Read: ପାଳଲହଡ଼ା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା; ଗିରଫ ହେଲା ଜଣେ ଅଭିଯୁକ୍ତ