ପ୍ରାକ୍ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ବିପଦ ସଙ୍କୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି କୁନି କୁନି ପିଲା

ବାଲିଗୁଡା:  କୋମଳମତି ଶିଶୁ ମାନେ ବିପଦ ସଙ୍କୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି । ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ଗୃହ ନଥିବା କାରଣରୁ ପିଲାମାନେ ଗାଁ ଧରଣୀ ପେନୁ ଘରେ ବସି ପାଠ ପଢିବାକୁ ବାଧ୍ୟ ହୋଉଛନ୍ତି । ଯେଉଁଠି କୋମଳମତି ଶିଶୁ ବସି ଶିକ୍ଷା ଗ୍ରହଣ କରୁଛନ୍ତି ସେଇଠି ହିଁ ରୋଷେଇ କାର୍ଯ୍ୟ ମଧ୍ୟ ଚାଲିଛି । କେନ୍ଦ୍ର ପାଇଁ ଆସୁଥିବା ଛତୁଆ ଠାରୁ ଆରମ୍ଭ କରି ସମସ୍ତ ସାମଗ୍ରୀ ମଧ୍ୟ ପିଲାଏ ବସି ପଢ଼ୁଥିବା ସ୍ଥାନରେ ରହୁଛି । ପିଲାମାନେ ବସୁଥିବା ସ୍ଥାନରେ ଗ୍ୟାସ୍ ରହୁଥିବା କାରଣରୁ ପାଠ ପଢିବାକୁ ସୁରକ୍ଷିତ ଭାବୁ ନାହାନ୍ତି ଅଭିଭାବକ ।

ଏପଟେ ଅଙ୍ଗନବାଡି କର୍ମୀ ଓ ହେଲ୍ପର ପାଣି କିମ୍ବା ଅନ୍ୟ କାମରେ ହଠାତ୍ ବାହାରକୁ ଗଲା ମାତ୍ରକେ ଶ୍ରେଣୀ ଗୃହରେ ଥିବା ରନ୍ଧନ ଗ୍ୟାସକୁ ନେଇ ଅଭିଭାବକଙ୍କ ଚିନ୍ତା ବଢିଯାଉଛି । ପ୍ରାକ୍ ଶିକ୍ଷା ବ୍ୟବସ୍ଥାରେ ଏହି ବିକଳ ଚିତ୍ର ହେଉଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ମହାସିଙ୍ଗି ପଂଚାୟତ ଗୋଛାପୋଡ଼ା ଗାଁର । ମହାସିଙ୍ଗି ପଞ୍ଚାୟତର ଏହି ୨ ନମ୍ବର ଗୋଛାପୋଡ଼ା ୱାର୍ଡରେ ପ୍ରାୟ ୬୦୦ ରୁ ଅଧିକ ଲୋକ ବସବାସ କରନ୍ତି ।

ତେବେ ଏହି ଗୋଛାପୋଡ଼ା ବାସିନ୍ଦାଙ୍କ ପାଇଁ ପୂର୍ବରୁ ଅଙ୍ଗନବାଡି କେନ୍ଦ୍ର ନଥିବା ବେଳେ ନିକଟସ୍ଥ ଗୁମାପଦର ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଏଠାକାର ପିଲାମାନେ ପାଠ ପଢିବାକୁ ଯାଉଥିଲେ । ବାରମ୍ବାର ଦାବି ପରେ ୨୦୧୧ ମସିହାରେ ଗୋଛାପୋଡ଼ା ଗାଁରେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକାରୀ ନେଇ ନିର୍ଦ୍ଦେଶ ମିଳିଥିଲା । ସେବେଠୁ ଏଠାକାର ପିଲାମାନେ ପ୍ରଥମେ ବାରଣ୍ଡାରେ ବସି ପାଠ ପଢିଲେ ।

ପରେ ଗାଁ କମିଟି ଗୃହରେ ପାଠ ପଢା ଆରମ୍ଭ ହୋଇଥିବାବେଳେ ତାହା ଅସୁରକ୍ଷିତ ଥିବାରୁ କିଛି ଦିନ ପରେ ଗାଁ ଧରଣୀ ପେନୁ ଘରେ ପୁଣି ପିଲାମାନେ ବସି ପାଠ ପଢିବାକୁ ଆରମ୍ଭ କଲେ । ଏପରି ଏ ଦୁଆରୁ ସେ ଦୁଆରେ ହୋଇ ବର୍ଷ ବର୍ଷ ଧରି ପ୍ରାକ୍ ଶିକ୍ଷା ଗ୍ରହଣ କରୁଛନ୍ତି ଏହି ଗାଁର କୋମଳମତି ଶିଶୁ ମାନେ ।

ତେବେ କଥା କିନ୍ତୁ ଏତିକିରେ ସରିନି, ପର ଦୁଆରେ ପାଠ ପଢ଼ୁଥିବା ଧରଣୀ ପେନୁ ଘର ମଧ୍ୟ ଛାଡିବାକୁ ଗାଁ କମିଟି ତରଫରୁ କୁହା ସରିଲାଣି । ଏହା ପରେ ପିଲାମାନେ କେଉଁଠିକୁ ଯିବେ, କେଉଁଠି ବସି ପଢିବେ? ନା ଗଛ ମୂଳେ ବସିବେ କୋମଳମତି ପିଲାମାନେ? ତାକୁ ନେଇ ଚିନ୍ତାରେ ଅଙ୍ଗନବାଡି କର୍ମୀ । ବାରମ୍ବାର ଅଭିଯୋଗ ପରେ ଗୋଛାପୋଡ଼ା ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ମଞ୍ଜୁରୀ ମିଳିଥିଲା । ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ୟ ହେଲା କିନ୍ତୁ ତାହା ଆଜି ଯାଇଁ ଶେଷ ନ ହୋଇ ଅଧପନ୍ତରିଆ ହୋଇ ପଡି ରହିଛି । ଯାହା ଫଳରେ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣର ୬ ବର୍ଷ ବିତିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନି ।

ଏପଟେ ଗୋଛାପୋଡ଼ା ଗାଁରେ ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ଗୃହ ନଥିବାରୁ ଗର୍ଭବତୀ ମହିଳାଙ୍କ ଠାରୁ ଶିଶୁ ସଭିଏଁ ବର୍ଷ ବର୍ଷ ଧରି ବହୁ ଅସୁବିଧାର ସାମ୍ନା କରୁଥିବା ଅଭିଯୋଗ କରିଛନ୍ତି । ଗର୍ଭବତୀ ମହିଳା ଓ ଶିଶୁ ଟୀକାକରଣ ନିମନ୍ତେ ଏବେ ବି ଗାଁ ଠାରୁ ୨ କିଲୋମିଟର ଦୂରରେ ଥିବା ଗୁମାପଦର ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିବା ଅଭିଯୋଗ କରିଛନ୍ତି । ତେଣୁ  ଯଦି କ. ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରା ନଯାଏ ତେବେ ପିଲାଙ୍କୁ ପାଠ ପଢିବାକୁ ଆଉ ଏଣେତେଣେ ନ ଛାଡିବାକୁ ଚେତାବନୀ ଦେଇଛନ୍ତି ଅଭିଭାବକ ।

ସେପଟେ ବର୍ତମାନ କ.ନୂଆଗାଁ ବ୍ଲକ ର ଭାରପ୍ରାପ୍ତ ବିଡ଼ିଓ ରାମକୃଷ୍ଣ ମିଶ୍ର ଘଟଣା ସମ୍ପର୍କରେ ଅବଗତ ପରେ ତୁରନ୍ତ ଅଧପନ୍ତରିଆ ହୋଇ ପଡିରହିଥିବା ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଥାଶୀଘ୍ର ଗୋଛାପୋଡ଼ା ଗାଁରେ ଲାଗି ରହିଥିବା ଅଙ୍ଗନବାଡି କେନ୍ଦ୍ର ଗୃହ ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like