ଭବିଷ୍ୟତ ସହ ଖେଳ! ଆଫଗାନିସ୍ତାନରେ କୋମଳମତି ପିଲାଙ୍କୁ ପାଠ ବଦଳରେ ଚିହ୍ନା ଯାଉଛି ଅସ୍ତ୍ରଶସ୍ତ୍ର, ଲ୍ୟାଣ୍ଡ ମାଇନ୍ସ

ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବାରେ ୧୦୦ ଦିନ ପୂରଣ କରିବାକୁ ଯାଉଛି ତାଲିବାନ। ବର୍ତ୍ତମାନ ସେଠାରେ ତାଲିବାନ ରାଜ୍‌ କରୁଛି। ଏହାରି ଭିତରେ ଦକ୍ଷିଣ ହେଲମଣ୍ଡ ଅଞ୍ଚଳରେ ନାଦ-ଏ-ଅଲୀ ସମେତ କିଛି ଗାଁ ଏମିତି ରହିଛି, ଯେଉଁଠି ପିଲାମାନେ ପାଠ ପଢ଼ିବା ପରିବର୍ତ୍ତେ ନିଜ ଜୀବନ ବଞ୍ଚେଇବା ପାଇଁ ତାଲିମ ନେଉଛନ୍ତି। ସେମାନଙ୍କୁ ଅସ୍ତ୍ରଶସ୍ତ୍ର, ମିସାଇଲ ସେଲ୍ସ ଏବଂ ଲ୍ୟାଣ୍ଡ ମାଇନ୍ସ ଚିହ୍ନା ଯାଉଛି। ବାସ୍ତବ କଥା ହେଉଛି, ଆଫଗାନିସ୍ତାନର ଏହି ସବୁ ଗାଁରେ ଲୋକେ ଶେଷ ପର୍ଯ୍ୟନ୍ତ ତାଲିବାନ ସହ ମୁକାବିଲା ଜାରି ରଖିଥିଲେ। ଯେତେବେଳେ ତାଲିବାନ ଦାୟିତ୍ୱ ଗ୍ରହଣ କରିଥିଲା, ତ ଲୋକମାନେ ପରିବାର ଧରି ଗାଁ ଛାଡ଼ି ପଳାଇଥିଲେ।

ଏବେ ଏମାନେ ପୁଣି ଫେରି ଆସିଛନ୍ତି। ଗାଁର ସ୍କୁଲ ଘରଗୁଡ଼ିକ ମୋର୍ଟାର ଓ ଗୁଳିରେ ଭରପୂର ରହିଛି। ଘରଗୁଡ଼ିକ ଧ୍ୱଂସ ହୋଇ ଯାଇଥିବା ବେଳେ ଲୋକମାନେ ଏହି ଧ୍ୱଂସାବଶେଷ ଘରେ ହିଁ ରହିବାକୁ ବାଧ୍ୟ ହେଉଛନ୍ତି। ତେବେ ସେମାନେ ଆଶଙ୍କା କରୁଛନ୍ତି କି, ତାଲିବାନର ଲଢ଼ୁଆମାନେ ଗାଁ ରାସ୍ତା ଏବଂ ଚାଷ ଜମିମାନଙ୍କରେ ଲ୍ୟାଣ୍ଡ ମାଇନ୍ସ ବିଛାଇ ଦେଇଥିବେ। ଏଥିପାଇଁ ଲ୍ୟାଣ୍ଡ ମାଇନ୍ସ ଏବଂ ଭୂମି ତଳେ ପୋତା ଯାଇଥିବା ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଲୋକମାନେ ଖୋଜି ଚାଲିଛନ୍ତି। ଜମି କିମ୍ବା ରାସ୍ତାରେ ବିଛା ଯାଇଥିବା ଏହି ଲ୍ୟାଣ୍ଡ ମାଇନ୍ସ ସଂସ୍ପର୍ଶରେ ଯେପରି ପିଲା ଏବଂ ମହିଳା ନ ଆସିବେ, ସେଥିପାଇଁ ସେମାନଙ୍କୁ ଏ ବିଷୟରେ ଜଣାଇ ଦିଆଯାଉଛି। ଯେଉଁ ସବୁ ଅଞ୍ଚଳରେ ଖୋଜାଖୋଜି ସରିଛି, ସେହି ସବୁ ସ୍ଥାନକୁ ଧଳା ଏବଂ ଲାଲ୍‌ ପଥରରେ ଚିହ୍ନିତ କରାଯାଉଛି। ଧଳା ପଥରର ଅର୍ଥ, ଏହି ଜାଗା ସୁରକ୍ଷିତ ଅଛି। ସେହିପରି ଲାଲ୍‌ ଚିହ୍ନ ଏହା ସଙ୍କେତ ଦେଉଛି କି, ଏଠାରେ ବାରୁଦର ସୁଡ଼ଙ୍ଗ ରହିଛି। କହି ରଖୁଛୁ, ୧୯୮୮ ମସିହାରେ ଏଠାରେ ବାରୁଦ ସୁଡ଼ଙ୍ଗ ଏବଂ ବିସ୍ଫୋରକ ସାମଗ୍ରୀ ଯୋଗୁ ପାଖାପାଖି ୪୧ ହଜାର ଲୋକଙ୍କ ଜୀବନ ଚାଲି ଯାଇଥିଲା।

ସୂଚନାଥାଉ କି, ଆଫଗାନିସ୍ତାନରେ ୨୦ ବର୍ଷ ପରେ ପୁଣିଥରେ ତାଲିବାନ ଶାସନ ଆରମ୍ଭ ହୋଇଛି। ଗତ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ରୂପେ କବ୍ଜା କରିଥିଲା ତାଲିବାନ। ତାଲିବାନର ହାତକୁ ଆସିବା ପରେ ଆଫଗାନିସ୍ତାନରେ ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା। ଲୋକମାନଙ୍କର କାମ ଧନ୍ଦା ଠପ୍ ହୋଇ ଯିବାରୁ ଦେଶର ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ି ଯାଇଥିଲା। ଏଭଳି ସ୍ଥିତିରେ ଲୋକଙ୍କ ପାଖରେ ଖାଇବାକୁ ବି ପଇସା ନ ଥିଲା। ଦେଶର ଲୋକମାନେ ଦେଶ ଛାଡ଼ି ଚାଲି ଯାଉଥିବା ଦେଖା ଯାଇଥିଲା। ଆମେରିକା ସେନା ଦେଶରେ ମୁତୟନ ଥିବା ଯାଏ ବିମାନ ଚଳାଚଳ ସ୍ୱାଭାବିକ ରହିଥିଲା। କିନ୍ତୁ ଅଗଷ୍ଟ ୩୧ରେ ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ସେଠାରେ ଲୋକମାନେ ଦେଶ ବାହାରକୁ ମଧ୍ୟ ବାହାରି ପାରି ନ ଥିଲେ। ଖାସ୍ କରି ଆଫଗାନିସ୍ତାନରେ ମହିଳାଙ୍କ ସ୍ଥିତି ଅଧିକ ଶୋଚନୀୟ ହୋଇ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.