ପାଠ ପଢା ସମୟରେ ଏବେ କୋଳରେ ଖେଳୁଛି ଛୁଆ

ମାଲକାନଗିରି : କମ୍ ବୟସରେ ବଡ କାଣ୍ଡ । ପାଠ ପଢା ସମୟରେ ଏବେ କୋଳରେ ଖେଳୁଛି ଛୁଆ । ଏଇ ତ ଅଳ୍ପ କେଇଟା ଦିନ ପରେ କଲେଜ ଯାଇଥାନ୍ତେ । ପାଠ ପଢି ଚାକିରିଟିଏ କରି ଭବିଷ୍ୟତରେ ନିଜ ପାଦରେ ନିଜେ ଠିଆ ହୋଇଥାନ୍ତେ । ହେଲେ ମାଟ୍ରିକ୍‌ ପରୀକ୍ଷା ନସରୁଣୁ କଅଁଳ ବୟସରେ ଜନ୍ମ ଦେଲେ କଅଁଳ ଛୁଆକୁ । ଶୁଣିକି ଚକିତ ଲାଗୁଥିଲେ ବି କଥାଟା ପୁରା ସତ ।

ମାଆ ହେଲେ ଦଶମ ଶ୍ରେଣୀ ଛାତ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଏବେ ସମସ୍ତ କରିଛଇ ଚକିତ । ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଘଟିଛି ଏଭଳି ଏକ ନିନ୍ଦନୀୟ ଘଟଣା । ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ୟା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ?

ସୂଚନା ଅନୁସାରେ ସ୍ଥାନୀୟ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରୀ ଜଣଙ୍କ ଏବେ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଛାତ୍ରୀ ଜଣଙ୍କ ଗତକାଲି ପରୀକ୍ଷା ଦେଇ ହଷ୍ଟେଲ ଫେରି ନଥିବାରୁ ଛାତ୍ରୀଙ୍କ ଘରକୁ ଫୋନ୍ କରି ଜଣାଇଥିଲେ । ପହଞ୍ଚିବା ପରେ ଝିଅ ସନ୍ତାନ ଜନ୍ମ କରିଥିବା ଜାଣିବାକୁ ପାଇଥିଲେ ବାପା ମାଆ । ସ୍କୁଲ ଚାରି କାନ୍ଥ ଭିତରେ ଏତେ ବଡ଼ ଘଟଣା କେମିତି ଘଟିଲା ତାକୁ ନେଇ ଏବେ ଚିନ୍ତାରେ ବାପା ମାଆ ।

ଏପଟେ ଏହାରି ଭିତରେ ଗର୍ଭସ୍ଥ ଶିଶୁକୁ ୯ ମାସ ହୋଇଯାଇଥିଲା । ଆଉ ଦେଖୁ ଦେଖୁ ଗର୍ଭ ଯନ୍ତ୍ରଣା ହୋଇ ଛାତ୍ରୀ ଜଣଙ୍କ ଶିଶୁଟିକୁ ବି ଜନ୍ମ ଦେଲେ । ହେଲେ ପରିବାର ଲୋକେ କି ସ୍କୁଲ୍ କର୍ତ୍ତୃପକ୍ଷ କିଛି ଜାଣିପାରିନଥିଲେ କେମିତି? ଆଉ ଜାଣିଲା ବେଳକୁ ନିଜ ନାବାଳିକା ଝିଅ ଗର୍ଭରୁ କନ୍ୟା ସନ୍ତାନ ଜନ୍ମ ହୋଇସାରିଥିଲା । ଏହା ପରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏ ଛୁଆର ବାପା କିଏ?

ଏପଟେ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ଆଣି ଚିକିତ୍ସା ଯୋଗାଇ ଦେବା ସହ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ଚିତ୍ରକୋଣ୍ଡା ପୋଲିସ୍ । ଅନ୍ୟପଟେ ନିଜର ମୁଣ୍ଡରୁ ଦୋଷ ଛଡାଇ ୱାର୍ଡେନ ଓ ANMଙ୍କୁ କାର୍ଯ୍ୟରେ ଆବହଳା ପାଇଁ ଦାୟି କରିଛନ୍ତି ପ୍ରଧାନ ଶିକ୍ଷକ । ଏପଟେ ନାବାଳିକାଙ୍କର ଏହି ଅବସ୍ଥା ପଛରେ କିଏ ? ତାକୁ ତୁରନ୍ତ ଧରିବାକୁ ସାଧାରଣରେ ଦାବି ଜୋର୍ ଧରିଛି ।