କଳାହୀରାର ସହର ତାଳଚେରରେ ଥମୁନି କଳା ବେପାର, ଅଭିଯୋଗର ଲମ୍ବା ଫର୍ଦ୍ଦ ହେଲେ କାର୍ଯ୍ୟାନୁଷ୍ଠାନ ଶୂନ

କଳା ହୀରା ବା କୋଇଲାର ସହର ତାଳଚେର । ଇଂରେଜ ଶାସନ ସମୟରୁ ୧୮୩୭ ମସିହାରେ ଏଠାରେ ମାଟି ତଳେ କୋଇଲା ଥିବା ନେଇ ଚିହ୍ନଟ ହୋଇଥିଲା । ୧୮୭୫ରେ ଏହି ଅଞ୍ଚଳରୁ କୋଇଲା ଖନନ କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରୁ ମାଟି ଖୋଲିଲେ ବାହାରୁଛି ଟ୍ରିପ ଟ୍ରିପ କୋଇଲା । ଏବେ ଏହି କୋଇଲା ଉପରେ ପଡିଛି ମାଫିଆଙ୍କ ନଜର । ବେଧଡକ ବୃଦ୍ଧି ପାଇଛି କୋଇଲା ଚୋରି । ଏମସିଏଲର ରେଲୱେ ସାଇଡିଂ ସହ କୋଲ ଷ୍ଟକରୁ ଶହ ଶହ ଟନ ଚୋରି ହୋଇ ଚାଲିଛି ।

ପୁରୁଷ ମହିଳା ସବୁ ବର୍ଗର ପିଲା ଏଥିରେ ସାମିଲ । ଆଉ ସବୁ ଜାଣି ଚୁପ ରହିଛି ଏମସିଏଲ । ଟଙ୍କାର ପ୍ରଲୋଭନ ଦେଖାଇ ଜଙ୍ଗଲ ଓ ବିଭିନ୍ନ ସ୍ଥାନରେ କୋଇଲା ଗଦା କରୁଛନ୍ତି ମାଫିଆ । ରାତି ହେଲେ ବିଭିନ୍ନ ଗାଡିରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି । ଆମେ କହୁଛୁ ଲିଙ୍ଗରାଜ କୋଇଲା ଖଣି ବିଷୟରେ । ଥମୁନି କଳାହୀରାର ସହର ତାଳଚେରରେ କଳା ବେପାର । ଏହି ଖଣିରୁ କିଏ ବସ୍ତାରେ କୋଇଲକୁ ବୋହି ନେଉଛନ୍ତିତ ଆଉ କିଏ ସ୍କୁଟର ଓ ସାଇକେଲରେ । ପ୍ରତିଦିନ ସବୁ କୋଇଲା ଖଣିରୁ ଚାଲିଛି ଏଭଳି ଟନ ଟନ କୋଇଲା ଚୋରି ।

ସରକାର ହରାଉଛନ୍ତି କୋଟି କୋଟି ଟଙ୍କା । ଖାଲି ସେତିକି ନୁହଁ ଏମସିଏଲର ଖଣିରୁ ସାଇଡିଂକୁ ଆସୁଥିବା କୋଇଲା ଓଜନ ହେଉନଥିବାରୁ କମ କୋଇଲା ଆଣି ସେଥିରେ ମାଟି ମିଶାଇ ଟ୍ରେନ ମାଧ୍ୟମରେ ସଠିକ ଓଜନ ଦେଖାଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି । ୨୦୨୪ରେ ବର୍ତ୍ତମାନ ସୁଦ୍ଧା ତାଳଚେର ସଦର ଥାନାରେ ମୋଟ ୧୬ଟି କୋଇଲା ବୋଝେଇ ଟ୍ରକ ଜବତ ହୋଇଛି । ୧୪ଟି ଦୁଇ ଚକିଆ ଯାନକୁ ଜବତ କରାଯାଇଛି । ସେହିପରି କୋଲିୟାରୀ ଥାନାରେ ମୋଟ ୧୦ଟି ଟ୍ରକକୁ ଜବତ କରିଛି ପୋଲିସ ।

ଅନ୍ୟପଟେ ହିଙ୍ଗୁଳା ଥାନାରେ ମୋଟ ୩ଟି ଦୁଇ ଚକିଆକୁ ପୋଲିସ ଜବତ କରିବାରେ ସଫଳ ହୋଇଛି । ମାଇନିଂ ବିଭାଗ ପକ୍ଷରୁ ମୋଟ ୨ଟି ଦୁଇଚକିଆ ଯାନ କୁ ଜବତ କରାଯାଇଛି । ପୋଲିସ ଏଠି ବିଭିନ୍ନ ସମୟରେ ଚେକିଂ କରି ଗାଡି ଗୁଡିକୁ ଧରୁଛି । ମାତ୍ର ଦାୟିତ୍ୱରେ ଥିବା ଏମସିଏଲର କିଛି ଅଧିକାରୀ ଚୋରି ସମ୍ପର୍କରେ ଜାଣୁଥିଲେ ବି ପଦକ୍ଷେପ ନେଉନାହାନ୍ତି । ତାଳଚେରରେ ପାଖାପାଖି ୭ଟି ଖୋଲା ମୁଁହ କୋଇଲା ଖଣି ରହିଛି । ଯେଉଁଠି ପ୍ରତିଦିନ ହଜାର ହଜାର ଟନ କୋଇଲା ଟ୍ରକରେ ଆସି ରେଲୱେ ସାଇଡିଂରେ ଗଦା ହୋଇଥାଏ ।

ପରେ ରେଳରେ ବିଭିନ୍ନ ସ୍ଥାନକୁ ନିଆଯାଇଥାଏ । ଏବେ ଏହି ରେଲୱେ ସାଇଡିଂ ପାଲଟିଛି କୋଇଲା ଚୋରିର ପେଣ୍ଠସ୍ଥଳ । ବିନା ହିସାବରେ ସାଇଡିଂରେ ଶହ ଶହ ଟନ କୋଇଲା ଗଦା ହେଉଛି । କେତେ ଆସିଲା କେତେ ଗଲା ତାର ଯାଞ୍ଚ ପାଇଁ କୌଣସି ସୁଯୋଗ ନଥାଏ । ସାଇଡିଂରେ ୱେବ୍ରିଜ ନଥିବାରୁ ଏହାର ଭରପୁର ସୁଯୋଗ ନେଇ ମାଫିଆ ମାନେ କର୍ମଚାରୀଙ୍କ ସହଯୋଗରେ ଏଠାରୁ ସହଜ ଓ ସୁବିଧାରେ କୋଇଲା ଚୋରି କରି ନେଉଥିବାର ଅଭିଯୋଗ ହେଉଛି ।

ସାଇଡିରେ କୋଇଲା ଗଦା ହୋଇ ରହୁଥିବାରୁ ଏହାର ସୁଯୋଗ ନେଇ ମାଫିଆ ଓ ସାଇଡିଂ କର୍ମଚାରୀ କୋଇଲା ଚୋରିର ଏହି ଚତୁର ଖେଳ ଖେଳି ଆସୁଛନ୍ତି । ଏଥିପାଇଁ ଚାଲିଛି ଏକ ବଡ଼ ଧରଣର ଚୋରା ଆର୍ଥିକ କାରବାର । ଯେଉଁଥିରେ ଏମସିଏଲ କୋଇଲା ଖଣିର ବଡ଼ବାବୁଙ୍କ ଠାରୁ ଆରମ୍ଭ କରି ଛୋଟ ବାବୁ ପର୍ଯ୍ୟନ୍ତ ମାସ ଶେଷରେ ସମସ୍ତଙ୍କ ପକେଟ ଗରମ ହୋଇଥାଏ । ଅଭିଯୋଗର ଲମ୍ବା ଲମ୍ବା ଫର୍ଦ୍ଦ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । କୋଇଲା ଚୋରିର ଚାଲିଛି ଇଏ ଏକ ଚତୁର ଖେଳ ।

ଯାହାକୁ ଧରିବାକୁ ପୋଲିସର ମୁଣ୍ଡ ଗୋଲ ହୋଇଯାଉଛି । ରେଲୱେ ସାଇଡିଂରେ ସିସିଟିଭି ଲାଗିବା ସହ ଏମସିଏଲର ନିଜସ୍ୱ ସୁରକ୍ଷା ବଳ ଓ ଓଆଇଏସଏଫ୍ ସୁରକ୍ଷା କର୍ମୀ ଥାଇ ମଧ୍ୟ କୋଇଲା ଚୋରି କମୁନି । ଉଚ୍ଚସ୍ତରୀୟ ତଦନ୍ତ ହେଲେ ସଠିକ ତଥ୍ୟ ସାମ୍ନାକୁ ଆସିପାରନ୍ତା । ସେପଟେ ତାଳଚେର ଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ଯେ, ବିଭିନ୍ନ ସମୟରେ ଚେକିଂ ଓ ଚଢ଼ାଉ ଜାରି ରହିଛି । ଆଗାମୀ ଦିନରେ କୋଇଲା ଚୋରିରେ ସମ୍ପୃକ୍ତ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

You might also like