ପର୍ଯ୍ୟଟକଙ୍କ ଭିଡ଼ ଭିତରେ ଗଣଦୁଷ୍କର୍ମ, ମହିଳା ମାନଙ୍କ ପାଇଁ ସୁରକ୍ଷିତ ନୁହଁ ଗୋପାଳପୁର ବେଳାଭୂମି

ବ୍ରହ୍ମପୁର: ମହିଳା ମାନଙ୍କ ପାଇଁ ଏବେ ଗୋପାଳପୁର ବେଳାଭୂମି ସୁରକ୍ଷିତ ନୁହଁ । ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲାରେ ଚୋରି, ଡକାୟତ, ହତ୍ୟା ଆଦି ମାମଲା ବଢ଼ିବାରେ ଲାଗିଥିବା ବେଳେ ଏବେ ଦୁଷ୍କର୍ମ ଘଟଣା ଗୁଡିକ ଯେମିତି ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଗିଡାଇ ଦେଇଥିବାର ସୂଚନା ଦେଉଛି । ନିକଟରେ ଗୋଳନ୍ଥରା ଅଂଚଳରେ ଗଣଦୁଷ୍କର୍ମ ଘଟିଥିବା ବେଳେ ଏବେ ପୁଣି ଗୋପାଳପୁର ବେଳାଭୂମିରେ ଘଟିଛି । ଗୋପାଳପୁର ବେଳାଭୂମିରେ ଛୁଟିଦିନ ସନ୍ଧ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଭିତରେ ଗଣଦୁଷ୍କର୍ମ ଘଟଣା ମହିଳାଙ୍କ ସୁରକ୍ଷା ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ଗୋପାଳପୁରରେ ଲଜ୍ଜା । ପୁରୁଷ ବନ୍ଧୁଙ୍କୁ କାବୁ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବା ନେଇ କହିଛନ୍ତି ବ୍ରହ୍ମପୁର ଏସପି । ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳଭୂମି ବୁଲିବାକୁ ଯାଇଥିବା ବେଳେ ଯୁବତୀ ଜଣଙ୍କ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ଯୁବତୀ ଜଣକ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଅଧିକ ତଦନ୍ତ ଚଳାଇଛି ଗୋପାଳପୁର ଥାନା ପୋଲିସ୍ । ପୀଡିତାଙ୍କୁ ପରୀକ୍ଷା ପାଇଁ MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ଆଜି ଘଟଣାସ୍ଥଳକୁ ଯାଇ ଯାଞ୍ଚ କରାଯିବ ।

arrest pic

ପୋଲିସ୍ ସୂଚନା ଅନୁସାରେ, ଜିଲ୍ଲା ବାହରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ରେ ଅଧ୍ୟୟନ କରନ୍ତି । ରବିବାର ଅପରାହ୍ନରେ ସେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲି ଆସିଥିଲେ । ସନ୍ଧ୍ୟା ପ୍ରାୟ ୭ଟାରେ ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିବାବେଳେ ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ଅଞ୍ଚଳର ୧୦ଜଣ ଯୁବକ ସେମାନଙ୍କୁ ଘେରିଯାଇ ପ୍ରଥମେ ଅସଦାଚରଣ କରିଥିଲେ ।

ପରେ ପୁରୁଷ ବନ୍ଧୁଙ୍କୁ କିଛି ଯୁବକ କାବୁ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣା ଉପରେ ସାମାଜିକ ମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ଦେଖାଯାଉଛି । ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି ଯେ ଗୋପାଳପୁର ବିଚରେ ଆଲୋକ ବ୍ୟବସ୍ଥା, ପ୍ରହରୀ ନିଯୁକ୍ତି ଓ ସୁରକ୍ଷା ବୃଦ୍ଧି ହେବା ଦରକାର । ସୂଚନା ଥାଉକି, ବହୁ ପୂର୍ବରୁ ସେହି ସ୍ଥାନରେ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରି ପୁରୁଷ ବନ୍ଧୁଙ୍କୁ ମାରିଦେଇଥିଲେ ।

ଆହୁରି ପଢନ୍ତୁ: ପାରିବାରିକ କଳହ: ସ୍ତ୍ରୀକୁ ଆକ୍ରମଣ ପରେ ଜୀବନ ହାରିଲା ସ୍ୱାମୀ