ବନ୍ଦେ ଭାରତ ଟ୍ରେନ୍‌ରେ ଅତି ନିମ୍ନମାନର ଖାଦ୍ୟ! ଚିପୁଡ଼ିବାରୁ ଥପ୍‌ ଥପ୍‌ ହୋଇ ପଡ଼ୁଛି ତେଲ…ଦେଖନ୍ତୁ ଭାଇରାଲ ଭିଡିଓ

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପରସାଯାଉଛି ଅତି ନିମ୍ନମାନର ଖାଦ୍ୟ। ଏହି ଟ୍ରେନ୍‌ରେ ଉପଲବ୍ଧ ହେଉଥିବା ଖାଦ୍ୟର ଗୁଣବତ୍ତାକୁ ନେଇ ଏବେ ନାନା ପ୍ରଶ୍ନ। ଭାଇଜାଗ୍‌ରୁ ହାଇଦ୍ରାବାଦ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଜଣେ ଯାତ୍ରୀ ଆଣିଛନ୍ତି ଏଭଳି ଅଭିଯୋଗ। ଯାତ୍ରୀ ଜଣକ ଟ୍ଵିଟ୍‌ କରି ଏ ବିଷୟରେ ଆଇଆର୍‌ସିଟିସି ନିକଟରେ ଅଭିଯୋଗ କରିଛନ୍ତି। କହି ରଖୁଛୁ କି, ଏହି ପ୍ରିମିୟମ୍‌ ଟ୍ରେନ୍‌ ୧ ମାସ ତଳେ ଆରମ୍ଭ ହୋଇଥିଲା।

ଯାତ୍ରୀ ଟ୍ଵିଟରରେ ଭିଡିଓ ଅପ୍‌ଲୋଡ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ସହିତ ଦାବି କରାଯାଇଛି ଯେ ଟ୍ରେନ୍‌ରେ ଖରାପ ଗୁଣବତ୍ତାଯୁକ୍ତ ଖାଦ୍ୟ ପରସାଯାଉଛି। ଭିଡିଓଟି ବନ୍ଦେ ଭାରତ ଟ୍ରେନ୍‌ରେ ସୁଟ୍‌ କରାଯାଇଛି। ଟ୍ରେନ୍‌ ଭାଇଜାଗରୁ ହାଇଦ୍ରାବାଦ ଯାଉଥିଲା। ଏଥିରେ ଯାତ୍ରୀ ଜଣକ ନିଜ ଖାଦ୍ୟରୁ ତେଲ ଚିପୁଡ଼ୁଥିବା ଦେଖିବାକୁ ମିଳୁଛି।

ସେ ପୋଷ୍ଟ ସେୟାର କରି କ୍ୟାପ୍‌ସନ ଲେଖିଛନ୍ତି, ‘କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମହତ୍ୱାକାଂକ୍ଷୀ ବନ୍ଦେ ଭାରତ ଟ୍ରେନ୍‌ରେ ଖାଦ୍ୟର ଦାମ୍‌ ବହୁତ ଅଧିକ ରହିଛି, କିନ୍ତୁ ଗୁଣବତ୍ତା ବହୁତ ଖରାପ’।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୩୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି, ଯାହା ଉପରେ IRCTC ଉତ୍ତର ରଖି କହିଛି ଯେ ‘ସମ୍ବନ୍ଧିତ ଅଧିକାରୀମାନଙ୍କୁ ସୁଧାରାତ୍ମକ ଉପାୟ ପାଇଁ ସୂଚିତ କରି ଦିଆଯାଇଛି’। କହି ରଖୁଛୁ, ପ୍ରାୟତଃ ଭାରତୀୟ ରେଲେଓ୍ଵର ଟ୍ରେନ୍‌ଗୁଡ଼ିକରେ ଖାଦ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଥାଏ।

Leave A Reply

Your email address will not be published.