୫ବର୍ଷ ହେଲା ଅବଧି ସରିଲାଣି, ଅଧାରେ ଅଟକିଛି ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ଯ୍ୟ

ଯାଜପୁର(କେନ୍ୟୁଜ): ଗମନାଗମନ ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ । ଗ୍ରାମାଂଚଳର ଲୋକେ ଯେପରି ଏହି ଯୋଜାନରେ ଉପକୃତ ହେବେ । ତେବେ ବିଭାଗୀୟ ଅଧିକାରୀ ଏବଂ ଦାୟିତ୍ୱରେ ଥିବା ଠିକାଦାରଙ୍କ ଅବହେଳା ଯୋଗୁ ଅଧପନ୍ତରିଆ ହୋଇ ପଡିରହିଛି ସେତୁ ।

ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ବିଜୁ ସେତୁର । ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବି ଫଳରେ ବ୍ରାହ୍ମଣୀ ନଦୀ ଉପରେ ୨୦୧୬ମସିହା ଡିସେମ୍ବର ୨୪ତାରିଖରେ ସେତୁ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଭିତିପ୍ରସ୍ତର ସ୍ଥାପନ କରିଥିଲେ ତତକାଳୀନ ବରୀ ବିଧାୟକ ଦେବାଶିଷ ନାୟକ ।

ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୧୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇ ୨୦୧୯ମସିହା ଅପ୍ରେଲ ୧୫ତାରିଖରେ ସେତୁ ନିର୍ମାଣ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ତେବେ ଅବଧି ଶେଷର ୫ବର୍ଷ ପୁରିବାକୁ ବସିଥିବା ବେଳେ ଅଧାରେ ଆଣ୍ଠେଇଛି ଏହି ସେତୁ । ସେତୁ ନିର୍ମାଣ ବିଳମ୍ବ ସଂପର୍କରେ ଅଂଚଳବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ବି ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଂଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

water

ଏହି ସେତୁ ନିର୍ମାଣ ହେଲେ ସ୍ଥାନୀୟ କାକୁଡିକୁଦ, ଝାଲପଡା, ରୁଦ୍ରପୁର, ବାଲିଆ, ଗୋଳକୁଣ୍ଡ ଆଦି ପଂଚାୟତର ୧୦ହଜାରରୁ ଊର୍ଦ୍ଧ୍ୱ ଲୋକେ ଉପକୃତ ହେବା ସହ ଗମନାଗମନର ସୁବିଧା ପାଇ ପାରିବେ । ବିଶେଷ କରି ଏହି ପଂଚାୟତର ଜନସାଧାରଣ ଚାଷ ଏବଂ ବ୍ରହ୍ମବରଦା ବଜାର ଉପରେ ନିର୍ଭର କରିଥାନ୍ତି । ସେଥିପାଇଁ ନଦୀ ପାର ହେବାକୁ ପଡିଥାଏ । ସେତୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହି ଥିବାରୁ ଅଂଚଳବାସୀଙ୍କୁ ଅଧିକ ରାସ୍ତା ଅତିକ୍ରମ କରି ଯାତାୟତ କରିବାକୁ ପଡୁଛି । ସେହିପରି ବର୍ଷା ଦିନେ ଡଙ୍ଗାର ସହାୟତା ନେବାକୁ ପଡିଥାଏ ।

ସେତୁ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଅଂଚଳବାସୀ ଗମନାଗମନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଆଦିର ସୁବିଧା ପାଇପାରିବେ । ଏପରିକି ବିପଦସଂକୁଳ ଅବସ୍ଥାରେ ନଦୀରେ ପାର ହେବା ସମୟରେ ଘଟୁଥିବା ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳା ଓ ଦାୟିତ୍ୱରେ ଥିବା ଠିକାସଂସ୍ଥାର ମନମାନି ଯୋଗୁ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଘଟିଛି ।

ତେବେ ସେତୁ ନିର୍ମାଣ ସମୟରେ ଦେଖାଦେଇଥିବା ବୈଷୟିକ ସମସ୍ୟା ଦୂର ହୋଇଥିବା ବେଳେ ଏହି କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଯାଜପୁର ଜିଲ୍ଲାପାଳ । ତେବେ ଗମନାଗମନକୁ ଦୃଷ୍ଟିରେ ରଖି ବର୍ଷା ଦିନ ଆସିବା ପୂର୍ବରୁ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

 

Leave A Reply

Your email address will not be published.