କୁନି ଝିଅର ପ୍ରଥମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ପରିବାର ଲୋକେ
ଜଳେଶ୍ୱର: ବର୍ତ୍ତମାନ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି । ଅଧିକାଂଶ ଲୋକ ବଡ଼ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ ଏକାଠି କରି ବହୁ ଜାକ ଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ସେହି ସ୍ଵତନ୍ତ୍ର ଦିନକୁ ପାଳିବାକୁ ପସନ୍ଦ କରିଥାନ୍ତି । ଯାହା ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।
ଝିଅର ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଅଭିନବ ଉପାୟରେ ଜନ୍ମଦିନ ପାଳନ କଲେ ପରିବାର ଲୋକେ । ଝିଅର ପ୍ରଥମ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଆୟୋଜନ କରିବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି ସମସ୍ତଙ୍କର ପ୍ରଶଂସା ସାଉଁଟିଛନ୍ତି ଦମ୍ପତି ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନାବରା ଗ୍ରାମର ଜୀବନ କର ଏବଂ ପୂଜା କରଙ୍କ ଝିଅ ତ୍ରୟମ୍ବିକାର ପ୍ରଥମ ଜନ୍ମଦିନ ଅବସରରେ ପରିବାର ଲୋକେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହ ବ୍ୟାପକ ବୃକ୍ଷରୋପଣ କରିଛନ୍ତି । ରକ୍ତଦାନ ଶିବିରକୁ ତ୍ରୟମ୍ବିକାଙ୍କ ଜେଜେବାପା ଭୋଳାନାଥ କର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ ଏବଂ ଅନ୍ୟତମ ଅତିଥି ଭାବେ ରକ୍ତଦତା ସଂଘର ଉପସଭାପତି ସୁମନ୍ତ କୁମାର ଜେନା ଯୋଗଦେଇ ଥିଲେ ।
ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଗତବର୍ଷ ସାଦ ଖିଆରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରିଥିଲେ ଏହି ଦମ୍ପତି । ଏବେ ପୁଣି ଝିଅର ପ୍ରଥମ ଜନ୍ମଦିନ ର ରକ୍ତଦାନ ଶିବିର ଆୟୋଜନ କରିବା ସହ ବୃକ୍ଷରୋପଣ କରିଛନ୍ତି । ଝିଅ ଜନ୍ମ ହେବା ପରେ ପରିବାର ଲୋକେ ବେଶ୍ ଖୁସି ଥିବା କହିଥିବା ବେଳେ ପ୍ରତେକ ବର୍ଷ ଜନ୍ମଦିନରେ ଏଭଳି ରକ୍ତଦାନ ଶିବିର ଆୟୋଜନ କରିବେ ବୋଲି କହିଛନ୍ତି । ତେବେ କୁହାଯାଏ ଝିଅ ହେଉଛି ଘରର ଲକ୍ଷ୍ମୀ । ଝିଅ ଥିଲେ ଘର ସୁଖ ସମୃଦ୍ଧିରେ ଭରିଯାଏ । ବୋଧ ହୁଏ ଏହି କଥାକୁ ଠିକ୍ ଭାବରେ ବୁଝିଛନ୍ତି ଏହି ଦମ୍ପତି । ନିଜ ଝିଅର ଜନ୍ମଦିନକୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ପାଳନ କରି ସମାଜକୁ ଦେଇଛନ୍ତି ଶିକ୍ଷଣୀୟ ବାର୍ତ୍ତା ।