ନିଆରା ଢଙ୍ଗରେ ଅସହାୟଙ୍କ ଗହଣରେ କୁନି ଝିଅର ଜନ୍ମଦିନ ପାଳନ କଲେ ପରିବାର ଲୋକେ
ବେଗୁନିଆ: ନିଆରା ଢଙ୍ଗରେ ପାଳନ ହେଲା ଜନ୍ମଦିନ । କୁନି ଝିଅର ଜନ୍ମଦିନରେ ପରିବାର ଲୋକଙ୍କ ମନରେ ଖୁସି କହିଲେ ନ ସରେ । ସହରର ଚାକଚକ୍ୟକୁ ଭୁଲି ଝିଅର ଜନ୍ମଦିନ ପାଳିଲେ । ଦେଖନ୍ତୁ ରାସ୍ତା କଡରେ ଶୀତ କାକରରେ ପଡି ରହିଥିବା ଅସହାୟଙ୍କ ଗହଣରେ କେମିତି କୁନି ଝିଅଟି କାଟୁଛି କେକ୍ । ଆଉ ଝିଅଟି ପାଇଁ ତାଳି ମାରି ସଭିଏଁ ହାପି ବର୍ଥ ଡେ ଅଭିନନ୍ଦନ ଜଣାଉଛନ୍ତି । ନିଜ ଶିଶୁ କନ୍ୟାର ଜନ୍ମଦିନକୁ ଏଭଳି ନିଆରା ଢଙ୍ଗରେ ପାଳନ କରିଛନ୍ତି ପରିବାର ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ।
ତେବେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ନିଜର ଦୁଇ ବର୍ଷର ଶିଶୁ କନ୍ୟାର ଜନ୍ମଦିନକୁ କିଛି ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ଚିନ୍ତା କରିଥିଲେ ପରିବାର ଲୋକ । ଆଧୁନିକ ଯୁଗରେ ବାହାଘର ହେଉ ଅବା ଜନ୍ମଦିନ, ଏସବୁକୁ ଆଧୁନିକ ପ୍ରଣାଳୀରେ ଲୋକେ ପାଳନ କରୁଥିବା ବେଳେ ବେଗୁନିଆ ଗ୍ରାମର ଯୁବ ସମାଜସେବୀ ସୁକାନ୍ତ ପରିଡ଼ା ନିଜ କନ୍ୟା ସନ୍ତାନର ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି ।
ପ୍ରଥମେ ଗତକାଲି ରାତିରେ ଭୁବନେଶ୍ୱର ରାଜମହଲ ଛକ ଓଭର ବ୍ରିଜ ତଳେ ଆଶ୍ରୟ ନେଇଥିବା ଅସହାୟ ମାନଙ୍କ ଗହଣରେ କେକ୍ କାଟି ଆଶୀର୍ବାଦ ଭିକ୍ଷା କରିଥିବା ବେଳେ, ଆଖପାଖ ଅଞ୍ଚଳରେ ଥିବା ଗରିବ ଶ୍ରେଣୀର ୩୦୦ ଶହରୁ ଅଧିକ ଗରିବ ଲୋକମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । କେବଳ ସେତିକି ନୁହେଁ ଖୋର୍ଦ୍ଧା ପୁବୁସାହି ନିକଟରେ ଥିବା ଗୋଶାଳାକୁ ଯାଇ ସମସ୍ତ ଗୋମାତାଙ୍କ ପାଇଁ ଖାଦ୍ୟ ଯୋଗାଇଛନ୍ତି । ତେବେ ଦିମୁଠା ଖାଦ୍ୟ ଏବଂ କମ୍ବଳ ପାଇବା ପରେ ଅସହାୟ ବୃଦ୍ଧ ଓ ବୃଦ୍ଧାମାନେ ବହୁତ ଖୁସି ହେବା ସହ କୁନି ଝିଅକୁ ଆଶିର୍ବାଦ ଅଜାଡି ଦେଇଥିଲେ।
ତେବେ ଆଜିକାଲି ଏଭଳି କିଛି ପରିବାର ନିଜ ପୁଅ କିମ୍ବା ଝିଅର ଜନ୍ମଦିନ ଉପଲକ୍ଷେ ଆୟୋଜନ କରୁଛନ୍ତି ନିଆରା କାର୍ଯ୍ୟକ୍ରମ । କିଏ ରକ୍ତଦାନ ଶିବିର କରୁଛନ୍ତି ତ କିଏ ଔଷଧିୟ ବୃକ୍ଷ ପ୍ରଦାନ କରୁଛନ୍ତି । ତେବେ ହାଡଭଙ୍ଗା ଶୀତରେ ଅସହାୟଙ୍କ ପ୍ରତି ସାହାନୁଭୂତି ଦେଖାଇ ନିଜ କନ୍ୟା ସନ୍ତାନର ଜନ୍ମ ଦିନକୁ ଏଭଳି ନିଆରା ଢଙ୍ଗରେ ପାଳନ କରୁଥିବାରୁ ସ୍ଥାନୀୟ ଲୋକେ ସୁକାନ୍ତଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।