ଏକାସାଥିରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ, ଛାଡିଗଲେ ୮ବର୍ଷ ଏବଂ ୪ବର୍ଷର ଦୁଇ ଦୁଇଟି ପୁଅଙ୍କୁ

ଯାଜପୁର ରୋଡ/ ଯାଜପୁର ଟାଉନ୍ : ସତରେ ଭାରି ହୃଦୟ ବିଦାରକ ଏ ଘଟଣା । କେମିତି ବା ସମ୍ଭାଳି ହୋଇ ରହିବ ଏ ପରିବାର । ୪ ବର୍ଷର କଅଁଳ ଛୁଆର ଆଖି ସାମ୍ନାରେ ବାପା ମାଆ ଦୁଇ ଜଣ ଶୋଇ ପଡିଲେ ଚିରନିଦ୍ରାରେ । ଏକାସାଥିରେ ହାତ ଧରାଧରି ହୋଇ ଗଲା ଭଳି ଏକାସମୟରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ । ହେଲେ ପଛରେ ଛାଡିଗଲେ ୮ବର୍ଷର ଏବଂ ୪ବର୍ଷର ଦୁଇ ଦୁଇଟି ପୁଅଙ୍କୁ । ଯାହାଙ୍କ ମୁଣ୍ଡରୁ ଏବେ ଉଠିଯାଇଛି ବାପା ମାଆ ଦୁଇ ଜଣଙ୍କ ହାତ ।
ହଁ ଆଜ୍ଞା ଗୋଟେ ପଟେ ସ୍ୱାମୀ ଶୋଇଛି ଆଉ ଆରପଟେ ସ୍ତ୍ରୀ । ଉଭୟ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ଜୀବନର ଶେଷ ସମୟରେ ବି କିଏ କାହାକୁ ଏକା ଛାଡିଲେନି । ଏକାଠି ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ । ଦୁଇ ଜଣ ଡକା ଡକା ହୋଇ ଗଲା ଭଳି ଏକାସାଥିରେ ଆଖି ବୁଜିଦେଲେ ସିନା ହେଲେ ସେମାନଙ୍କର ସନ୍ତକ ରୂପେ ଛାଡିଗଲେ ଛୋଟିଆ ପୁଅ ଦୁଇଟିଙ୍କୁ । ଏବେ ସେମାନେ ସମ୍ପୂର୍ଣ୍ଣ ଏକା । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଆଜି ଘଟିଯାଇଛି ଛାତିଥରା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ଆଖି ବୁଜିଛନ୍ତି ଦମ୍ପତି ।
ପ୍ରଥମେ କୁନି ପୁଅର ଆଖି ସାମ୍ନାରେ ଚାଲିଗଲା ମାଆର ଜୀବନ । ଗୁରୁତର ଥିବା ବାପାଙ୍କର ଚିକିତ୍ସାଧିନ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଆଜି ସକାଳେ ବଡ ପୁଅକୁ ଘରେ ଛାଡି, ବାପା, ମାଆ ଓ ୪ ବର୍ଷର ସାନ ପୁଅ ଗୋଟିଏ ବାଇକ୍ ରେ ସାଙ୍ଗ ହୋଇ ବାହାରିପଡିଥିଲେ କତରାପୁର ସ୍ଥିତ କାଳୀ ମାଆଙ୍କୁ ଦର୍ଶନ କରିବା ପାଇଁ । ମାଆଙ୍କୁ ଦର୍ଶନ କରି ହଠାତ୍ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିବାବେଳେ, ପୁରୁଣା ଟୋଲଗେଟ୍ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ।
ତେବେ ଦୁର୍ଘଟଣାସ୍ଥଳରେ ୪ ବର୍ଷର ପୁଅ ସାମ୍ନାରେ ମାଆର ମୃତ୍ୟ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଯାହା ସୂଚନା ମିଳିଛି, ମୃତକ ସ୍ୱାମୀ ସ୍ତ୍ରୀ ହେଉଛନ୍ତି କୋରେଇ ଥାନା, ଅସନଝର ପଞ୍ଚାୟତ, ସୋଲବନ୍ଦି ଗ୍ରାମର ଶୁକାନ୍ତ ମଲ୍ଲିକ୍ ଓ ଝୁନୁ ମଲ୍ଲିକ୍ । ଏପଟେ ଖବର ମିଳିଛି କି, ଶୁକାନ୍ତ ଗତ କିଛି ଦିନ ହେଲା କ୍ୟାନ୍ସସର ରୋଗରେ ପୀଡିତ ଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିଲା । ସେ ସୁସ୍ଥ ହୋଇ ଆସୁଥିଲେ । ତେଣୁ ମାନସିକ ପୂରଣ ପାଇଁ ମାଆ କାଳୀଙ୍କୁ ଦର୍ଶନ କରି ଘରକୁ ଫେରୁଥିଲେ । ହେଲେ କିଏ ଜାଣିଥିବା ଏମିତି ଅଧାବାଟରେ ଛକି ବସିଥିଲା ଜମ ।
ଏପଟେ ଖବର ପାଇ ପାଣିକୋଇଲି ପୋଲିସ୍ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏଭଳି ହୃଦୟବିଦାରକ ଘଟଣା ଏବେ ସମଗ୍ର ଗାଁରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ, ଏବେ ଦୁଇ ପୁଅ ସମ୍ପୂର୍ଣ୍ଣ ବେସାହାରା । ସେମାନଙ୍କ ଭବିଷ୍ୟତକୁ ନେଇ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ।
ଆହୁରି ପଢନ୍ତୁ : OTV ମାର୍କେଟିଂ ଏଗଜିକ୍ୟୁଟିଭ୍ ସଂକଳ୍ପ ମହାନ୍ତି ସନ୍ଦେହଜନକ ମୃତ୍ୟୁ ଘଟଣା : PM ରିପୋର୍ଟକୁ ଅପେକ୍ଷା