ସାହସୀ ହେବାକୁ ବାର୍ତ୍ତା ଦେଲେ କୋଭିଡ୍‌ ସଂକ୍ରମିତ ସ୍ୱାମୀ, ସ୍ତ୍ରୀ, ହସ୍ପିଟାଲରୁ ଗାଇଲେ ‘ଜିନ୍ଦଗୀ ଔର କୁଛ ଭି ନେହିଁ ତେରୀ ମେରୀ କାହାନୀ ହୈ…’

କରୋନା କାରଣରୁ ଯେଉଁଠି ଲୋକେ ମନୋବଳ ହରାଇ ବସୁଛନ୍ତି, ସେଠି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି। ଏହି ଭିଡିଓ ଦେଖିଲେ ଆପଣ ପଜିଟିଭ ଭାବିବା ଆରମ୍ଭ କରିଦେବେ। ଭିଡିଓଟି ପଦ୍ମଶ୍ରୀ ଅନୁଜ ଶର୍ମାଙ୍କର।

କିଛିଦିନ ତଳେ ସେ ଓ ତାଙ୍କ ସ୍ତ୍ରୀ କରୋନା ପଜିଟିଭ ବାହାରିଥିଲେ। ଏ ନେଇ ଅନୁଜ ନିଜେ ଟ୍ଵିଟରରେ ସୂଚନା ଦେଇଥିଲେ। ଏବେ ସେ ଏକ ଲୋକପ୍ରିୟ ଗୀତର ଭିଡିଓ ଶେୟାର କରିଛନ୍ତି। ଗୀତଟି ହେଉଛି ‘ଜିନ୍ଦଗୀ ଔର କୁଛ ଭି ନେହିଁ ତେରୀ ମେରୀ କାହାନୀ ହୈ…’। ଭିଡିଓ ପୋଷ୍ଟ କରି ଅନୁଜ ଲେଖିଛନ୍ତି, ‘ସନ୍ତୋଷ ଆନନ୍ଦ ଜୀଙ୍କ ଏହି ଗୀତ ଏ ଅବସ୍ଥାରେ। ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।’

ଭିଡିଓରେ ଅନୁଜ ଶର୍ମାଙ୍କ ବ୍ୟାକଗ୍ରାଉଣ୍ଡରେ ହସ୍ପିଟାଲ ଦେଖାଯାଉଛି। ସେ ଏହି ଭିଡିଓକୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମୟରେ ରେକର୍ଡ କରିଛନ୍ତି। ଭିଡିଓରେ ତାଙ୍କ ସ୍ତ୍ରୀ ମଧ୍ୟ ନଜର ଆସୁଛନ୍ତି। ଭିଡିଓ ଶେଷରେ ସେ ବାର୍ତ୍ତା ଦେଉଛନ୍ତି କି, ଏହା ବହୁତ କଠିନ ସମୟ। କିନ୍ତୁ ସାହସ ଓ ଧୌର୍ଯ୍ୟ ରଖନ୍ତୁ।