କରୋନା ଲଢେଇ ହେବ ସହଜ, ବଜାରକୁ ଅସୁଛି କୋଭିଡ଼ ବଟିକା

କେନ୍ୟୁଜ୍(ବ୍ୟୁରୋ): ଆସୁଛି କୋଭିଡ୍‌ ବଟିକା। କୋଭିଡ୍‌କୁ ହରାଇବାକୁ ଟିକା ଉପରେ ଫୋକସ ଥିବା ବେଳେ ପ୍ରସ୍ତୁତ ହେଲାଣି କୋଭିଡ୍‌ ବଟିକା। ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ ପିଲ୍‌ ନିର୍ମାଣ କରିଛି। ଏହାର ନାଁ ରହିଛି ମୋଲ୍‌ନୁପିରାଭିର। କମ୍ପାନୀର ଦାବି ଏହି ପିଲ୍‌ ଦ୍ୱାରା ରୋଗୀଙ୍କ ମୃତ୍ୟୁ ଓ ହସ୍ପିଟାଲରେ ଆଡମିଟ୍‌ ହେବା ଭଳି ଆଶଙ୍କାକୁ ୫୦ ପ୍ରତିଶତ କମାଇ ଦେବ। ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଅନ୍ତରୀଣ ସମୀକ୍ଷା ପରେ ଏହି ଦାବି କରିଛି କମ୍ପାନୀ।

କମ୍ପାନୀ ସୂଚନା ମୁତାବକ ମୋଲ୍‌ନୁପିରାଭିର ବଟିକା ଖାଇଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୭.୩ ପ୍ରତିଶତ ହସ୍ପିଟାଲ ଚିକିତ୍ସା ପାଇଁ ଯାଇଥିଲେ କିମ୍ବା ମୃତ୍ୟୁ ହୋଇଥିଲା। ସେପଟେ ପରୀକ୍ଷଣରେ ଯେଉଁମାନେ ପ୍ଲାସିବୋ ଜରିଆରେ ଚିକିତ୍ସିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୧୪.୧ ପ୍ରତିଶତ ହସ୍ପିଟାଲ ଯାଇଥିଲେ କିମ୍ବା ମୃତ୍ୟୁ ହୋଇଥିଲା। ଖୁବଶୀଘ୍ର ମୋଲ୍‌ନୁପିରାଭିରର ଜରୁରୀକାଳୀନ ବ୍ୟବହାର ଲାଗି ଆମେରିକା ଏଫ୍‌ଡିଏର ଅନୁମତି ଲୋଡିବ କମ୍ପାନୀ। ଯଦି ଅନୁମତି ମିଳେ ତେବେ କୋଭିଡ୍‌ ଚିକିତ୍ସାରେ ମୋଲନୁପିରାଭିର ବିଶ୍ୱର ପ୍ରଥମ କୋଭିଡବଟିକା ହେବ। କେବଳ ମର୍କ ନୁହଁ, ଆମେରିକାର ଫାଇଜର ଏବଂ ସ୍ୱିସ୍‌ ଫାର୍ମାଚ୍ୟୁଟିକାଲ କମ୍ପାନୀ ରୋଚେ ମଧ୍ୟ କୋଭିଡ୍‌ ପିଲ୍‌ ତିଆରି କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.