ବଲାଙ୍ଗିର ଜିଲ୍ଲାରେ ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

ବଲାଙ୍ଗୀର: ବଢୁଛି ହତ୍ୟାକାଣ୍ଡ । ଗଡୁଛି ମୁଣ୍ଡ । ବିଚ୍ ରାସ୍ତାରେ ହତ୍ୟା । କିଛି ଦିନ ହେବ ବଲାଙ୍ଗିର ଜିଲ୍ଲାରେ ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ପୋଲିସ ଗୋଟିଏ ଅଭିଯୁକ୍ତ ପାଖରେ ପହଞ୍ଚି ନଥିବା ବେଳେ ଆଉ ଏକ ହତ୍ୟାକାଣ୍ଡ ଘଟୁଛି। ରବିବାର ବଲାଙ୍ଗିର ସହର ବିଷ୍ଣୁମୁଣ୍ଡାରେ ହତ୍ୟାକାଣ୍ଡ । ନିଜ ଦୋକାନ ଆଗରେ ବସିଥିବା ବେଳେ ବ୍ୟବସାୟୀ ମନୋଜ ନାଏକକୁ ହାଣି ହତ୍ୟା କରାଯାଇଛି ।
ସେହିପରି ମୁରିବାହାଲ ଥାନା କଲରାପିଟା ଗାଁ ରେ ବିଭିଷଣ ଧରୁଆକୁ ହତ୍ୟା କଲା ଅଭିଯୁକ୍ତ ପୁତୁରା ପୁରନ୍ଧର । ଆଉ ଠିକ ଗୋଟିଏ ଦିନ ପୁର୍ବରୁ ଶନିବାର ଦିନ ବଲାଙ୍ଗିର ସହର ଚିମିନିଭାଟି ପଡାରେ ହତ୍ୟା । ରାମଦାସକୁ ରାସ୍ତା ଉପରେ ଗୋଡାଇ ଗୋଡାଇ ହତ୍ୟା କରାଯାଇଥିଲା। ଏହି ଘଟଣା ବଲାଙ୍ଗିର ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଏସବୁ ଘଟିବା ପରେ ଏବେ ଭୟରେ ରହିଛନ୍ତି ବଲାଙ୍ଗିରବାସୀ ।
କେବଳ ସେତିକି ନୁହେଁ । ଶୁକ୍ରବାର ସରଗାଡ଼ରେ ଅରୁଣ ସାଏ ପଟେଲକୁ ପିଟିପିଟି ହତ୍ୟା କଲେ ଅଭିଯୁକ୍ତ ବାପ ପୁଅ । ସେହିପରି ଦୁଇ ଦିନ ପୁର୍ବରୁ ଦେଓଗାଁ ଥାନା ଅତର୍ଲା ଗାଁରେ ସ୍ତ୍ରୀ ଅମୁଲ୍ୟ ବିଶ୍ଵାଳକୁ ଟାଙ୍ଗିଆରେ ହତ୍ୟା କରିଥିଲା ଅଭିଯୁକ୍ତ ସ୍ଵାମୀ । ସେହିପରି ତାର ଦୁଇ ଦିନ ପୁର୍ବରୁ ବଲାଙ୍ଗିର ଜିଲ୍ଲା ସଦର ଥାନା ଡିମ୍ୱେର ଝରନ ଗାଁ ନିକଟ ଜଙ୍ଗଲରେ ଜମିଜମା ବିବାଦକୁ ନେଇ ଶତ୍ରୁଘ୍ନକୁ ହତ୍ୟା କରାଯାଇଛି। କିଛି ଅଭିଯୁକ୍ତକୁ ଗିରଫ କରିଥିଲେ ବି ଅନେକ ଅଭିଯୁକ୍ତ ଫେରାର ରହିଛନ୍ତି ।
ଜିଲ୍ଲାରେ ନିଶା କାରବାର ବଢିଛି ଆଉ ଏବେ ଏପରି ସ୍ଥିତି ଦେଖା ଦେଇଛି ବୋଲି ବଲାଙ୍ଗିର ଏସ.ପି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବେଆଇନ ନିଶା କାରବାର ଉପରେ ଦୃଷ୍ଟି ଦିଆଯିବା ସହ ନିଶା ବେପାରିଙ୍କୁ ସାବାଡ କରାଯିବ । ଏହା ସହିତ ଫେରାର ଅଭି୍ଯୁକ୍ତ ଶିଘ୍ର ଧରା ପଡିବେ ବୋଲି ବଲାଙ୍ଗିର ଏସ.ପି କହିଛନ୍ତି ।
Also Read:ସ୍ତ୍ରୀ ପାଇଁ ଷଡଯନ୍ତ୍ର ରଚିଥିଲା ସ୍ୱାମୀ, ହେଲେ ମଝିକୁ ଆସିଗଲା କୁନି ଝିଅ