ମୁମ୍ବାଇ ଆଇଆଇଟି କ୍ୟାମ୍ପସରେ ବିଶାଳ କୁମ୍ଭୀର, ଭିଡିଓ ହେଲା ଭାଇରଲ

ମହାରାଷ୍ଟ୍ର ମୁମ୍ବାଇର ଆଇଆଇଟି ପରିସର ଭିତରେ ଗୋଟିଏ ବଡ କୁମ୍ଭୀର ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଦୁଇ ଦିନ ପୁର୍ବରୁ ଏପରି ଘଟଣା ଦେଖିବାକୁ ମିଳିଛି । ଯାହା ଫଳରେ ସମ୍ପୂର୍ଣ୍ଣ ପରିସର ମଧ୍ୟରେ ଭୟଙ୍କର ସ୍ଥିତି ଉପୁଜିଥିଲା । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ । ବନ ବିଭାଗ ଟିମ୍ କୁମ୍ଭୀରଟିକୁ ଉଦ୍ଧାର କରି ପଦ୍ମାବତୀ ଦେବୀ ମନ୍ଦିର ନିକଟସ୍ଥ ହ୍ରଦରେ ଛାଡିଦେଇଥିଲେ ।

ଛାତ୍ରଛାତ୍ରୀମାନେ କ୍ଲାସ୍ କରୁଥିବା ସମୟରେ ଏକ କୁମ୍ଭୀର ପରିସର ଭିତରେ ଦେଖାଦେଇଥିଲା । କୁମ୍ଭୀରଟିକୁ ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇପଡିଥିଲେ ।  ଯାହା ଫଳରେ ପରିସର ଭିତରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଅଧିକ ସୂଚନା ଦେବାକୁ ଯାଇ କୁମ୍ଭୀରଟି ରାସ୍ତା ଭୁଲି କ୍ୟାମ୍ପସରେ ପଶିଥିଲା ବୋଲି କହିଛନ୍ତି ବନ ବିଭାଗ ଟିମ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜନାକୁ ଆୟତ୍ତ କରିବା ପାଇଁ କ୍ୟାମ୍ପସକୁ ଖାଲି କରିଥିଲେ । ଦୀର୍ଘ ୧ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କାର୍ଯ୍ୟରେ ସଫଳ ହୋଇଥିଲେ ବନ ବିଭାଗ କର୍ମଚାରୀ । ଜାଲ ମାଧ୍ୟମରେ କୁମ୍ଭୀରଟିକୁ କାବୁ କରାଯାଇଥିଲା । ପରେ ଦେବୀ ମନ୍ଦିର ନିକଟସ୍ଥ ହ୍ରଦରେ ଛାଡିଛନ୍ତି ବନ ବିଭାଗ ଟିମ୍ ।

କ୍ୟାମ୍ପସ୍ ଭିତରେ କୁମ୍ଭୀର ଆସିବା ପ୍ରଥମ ନୁହେଁ ବୋଲି କହିଛନ୍ତି କ୍ୟାମ୍ପସର ସୁରକ୍ଷାକର୍ମୀ । କିନ୍ତୁ ଏପର୍ଯ୍ୟନ୍ତ ସେମିତି କିଛି ଅଘଟଣ ଘଟିନାହିଁ ବୋଲି ମଧ୍ୟ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିପ୍ରତି ଧ୍ୟାନ ଦେବାକୁ ବନ ବିଭାଗ ଟିମକୁ ଅନୁରୋଧ କରିଛନ୍ତି କ୍ୟାମ୍ପସର ସୁରକ୍ଷାକର୍ମୀ ।

Also Read : ଯଦି ଜଣେ ମହାକାଶଚାରୀ ଅନ୍ତରୀକ୍ଷରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ମୃତଦେହ କ’ଣ କରାଯାଏ?