ପଲସାଗୋରା ମକର ମେଳାର ବାହାଘର ହାଟରେ ଜମୁଛି ଲୋକଙ୍କ ଗହଳି, ଆଲମିରା ଠାରୁ ପଲଙ୍କ ସବୁ ମିଳୁଛି

କଣ୍ଟାମାଳ: ଜମିଛି ଲୋକଙ୍କ ଗହଳି । କିଏ ପଲଙ୍କ କିଣୁଛି ତ ଆଉ କିଏ କିଣୁଛି ଅନ୍ୟ ଘରକରଣା ସାମଗ୍ରୀ । ପୁରା ବଜାରରେ ଲାଗିଛି ଲୋକଙ୍କ ଗହଳି । ଆଲମିରା, ପଲଙ୍କ, ସୋଫାସେଟ, ଶୀଳ, ଶୀଳପୁଆଠୁ ଆରମ୍ଭ କରି ସବୁ ଘରକରଣା ସାମଗ୍ରୀର ପସରା ମେଲାଇ ଦେଇଛନ୍ତି ବ୍ୟବସାୟୀ । ଆଉ ଗ୍ରାହକମାନେ ମଧ୍ୟ ନିଜ ନିଜର ଆବଶ୍ୟକ ମୁତାବକ ସାମଗ୍ରୀ କିଣିବାରେ ବ୍ୟସ୍ତ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦୃଶ୍ୟ କୌଣସି ସାପ୍ତାହିକ କିମ୍ବା ଅନ୍ୟ ବଜାରର ନୁହେଁ । ଏହା ହେଉଛି ଏକ ସ୍ୱତନ୍ତ୍ର ବାହାଘର ହାଟର ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରାରେ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ଯାତ୍ରା ଅବସରରେ ବସିଛି ଏହି ସ୍ୱତନ୍ତ୍ର ବାହାଘର ହାଟ । ବ୍ୟବସାୟୀମାନେ ବିଭିନ୍ନ ବାହାଘରିଆ ସାମଗ୍ରୀ ନେଇ ଏହି ଯାତ୍ରାକୁ ଆସିଥିବାବେଳେ ଲୋକମାନେ ମଧ୍ୟ ନିଜ ନିଜର ଝିଅ ବାହାଘର ପାଇଁ ଆବଶ୍ୟକ ଥିବା ସାମଗ୍ରୀ ଏହି ବଜାରରୁ କିଣୁଛନ୍ତି । ଗୋଟିଏ ସ୍ଥାନରେ ବାହାଘର ପାଇଁ ଆବଶ୍ୟକ ଥିବା ସବୁ ସାମଗ୍ରୀ ମିଳିଯାଉଥିବାରୁ ଗ୍ରାହକମାନେ ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି । ସେପଟେ ବ୍ୟବସାୟୀମାନେ ମଧ୍ୟ ଏହି ସୁଯୋଗକୁ ହାତଛଡା ନକରି ଭଲ ଦୁଇପଇସା ବ୍ୟବସାୟ କରିଥାନ୍ତି ।
ପଲସାଗୋରାର ଏହି ମକର ଯାତ୍ରା ବହୁ ପୁରୁଣା । ଶହ ଶହ ବର୍ଷ ହେଲା ପଲସାଗୋରାରେ ଏହି ଯାତ୍ରା ଆୟୋଜିତ ହୋଇଆସୁଛି । ତେବେ ସ୍ଥାନୀୟ ଶିବ ମନ୍ଦିରରେ ପୂଜାପାଠ ସହ ଅନୁଷ୍ଠିତ ହେଉଛି ୨୪ ପ୍ରହରୀ ନାମ ସଂକିର୍ତ୍ତନ । ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ମୀନା ବଜାର ଓ ଅନ୍ୟାନ୍ୟ ଦୋକାନ ବଜାର ସହ ଅନୁଷ୍ଠିତ ହେଉଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ।
ଧିରେ ଧିରେ ଏହି ଯାତ୍ରା ପ୍ରତି ଲୋକଙ୍କ ଆଗ୍ରହ ବଢିବା ସହ ଲୋକ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଏହି ସମୟରେ ବସୁଥିବା ସ୍ୱତନ୍ତ୍ର ବାହାଘର ହାଟ ପାଇଁ ଏହି ଯାତ୍ରାରେ ଅଧିକ ଲୋକଙ୍କ ସମାଗମ ହେଉଥିବା ଆୟୋଜକ କହିଛନ୍ତି । ତେବେ ବିନା ସରକାରୀ ସହାୟତାରେ ଲୋକଙ୍କ ସହଯୋଗରେ ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ବହୁ ଯାକ ଜମକରେ ଏହି ଯାତ୍ରା ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବାବେଳେ ହଜାର ହଜାର ଲୋକ ଏହି ଯାତ୍ରାକୁ ଆସି ଯାତ୍ରାର ମଜାନେବା ସହ ବାହାଘର ହାଟରୁ ସାମଗ୍ରୀ କିଣୁଛନ୍ତି । ଗଡ଼ଜାତ ଅମଳରୁ ହୋଇଆସୁଥିବା ପଲସାଗୋରା ମକର ମେଳାରେ ହଜାର ହଜାର ଲୋକଙ୍କ ଭିଡ଼ ହେବା ସହ ଏହି ମେଳା ବେଶ ସ୍ୱତନ୍ତ୍ରତା ବହନ କରେ ।