ଚକ୍ ଖଡ଼ିରେ ସପ୍ତାଶ୍ଚର୍ଯ୍ୟର କଳାକୃତି, ଚର୍ଚ୍ଚାରେ କଟକର ପୁଅ ସୂର୍ଯ୍ୟନାରାୟଣ

କଟକ(କେନ୍ୟୁଜ୍): ଚକ ଖଡ଼ିରେ ସପ୍ତାଶ୍ଚର୍ଯ୍ୟର କଳାକୃତି। ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଥିଲେ ବି କଥାଟି ସତ। ଆଜ୍ଞା ଯେଉଁ ଚକ ଖଡ଼ିରେ ଆମେ ପାଠ ପଢ଼ିବା ସମୟରେ ଲେଖିବା ପାଇଁ ବ୍ୟବହାର କରିଥାଉ ସେଇ ଚକ ଖଡ଼ିରେ ତିଆରି ହୋଇଛି ବିଭିନ୍ନ ପ୍ରକାରର କଳାକୃତି। ଚକରେ ତିଆରି ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ,ସପ୍ତାଶ୍ଚର୍ଯ୍ୟରେ ସ୍ଥାନ ପାଇଥିବା ତାଜମହଲ,ଚିଚିନ ଇଟସା,କ୍ରିଶଟ ରିଡ଼ମର,କୋଲାଜିଅମ,ଚୀନର ଦୀର୍ଘ ପ୍ରାଚୀର ଓ ମାଚୁପିଚୁ ପୁଣି ଏହା ସହିତ ରହିଛି ହକି ୱାର୍ଲଡ଼ କପ ଟ୍ରଫି ଭଳି ଭଳିକି କି ଭଳି ଅତି ସୁନ୍ଦର କଳାକୃତି। ଯାହାକୁ ତିଆରି କରି ବିଶ୍ୱ ଦରବାରରେ ନାମ କମେଇ ପାରିଥିବା କଟକର ପୁଅ ସୂର୍ଯ୍ୟନାରାୟଣ ନାୟକ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।

ଚକ ଖଡ଼ି ରେ ଏଭଳି କଳାକୃତି କରିବା ଏକ କଷ୍ଟସାଧ୍ୟ ଚିତ୍ର ଶିଳ୍ପ ହୋଇଥିଲେ ସୁଦ୍ଧା ସୂର୍ଯ୍ୟ ନିଜର ନିଷ୍ଠା ଓ ପରିଶ୍ରମ ଫଳରେ ଏହାକୁ ସଫଳ କରିପାରିଛନ୍ତି। ଏହି ଭଳି ଭିନ୍ନ ଭିନ୍ନ ରକମର ଅତି ସୁନ୍ଦର ସୁନ୍ଦର କଳାକୃତି କରି ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି କଟକ ମାଟିର ପୁଅ ସୂର୍ଯ୍ୟ। ସବୁବେଳେ ଚେଷ୍ଟା କିଛି ଭିନ୍ନ ଓ ନୂଆ କରି ଦେଖାଇବା ପାଇଁ ଆଗ୍ରହ ରଖିଥାନ୍ତି ସୂର୍ଯ୍ୟ ନାରାୟଣ ନାୟକ। କଟକ ବିଦ୍ୟାଧରପୁର ଅଞ୍ଚଳର ଦୀପକ କୁମାର ନାୟକ ଓ ମରାଳ ମାଳିନୀ ସ୍ୱାଇଁଙ୍କ ପୁଅ ସୂର୍ଯ୍ୟ ନାରାୟଣ। ପିଲା ବେଳୁ ଚିତ୍ର କଳା ପ୍ରତି ଦୁର୍ବଳତା ରହିଥିଲା ତାଙ୍କର। ସେ ଭିନ୍ନ ଭିନ୍ନ ଆର୍ଟ କରିବା ସହିତ ଚକ ଖଡ଼ିରେ ବିଭିନ୍ନ କଳାକୃତି କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ପ୍ରଶଂସିତ ହୋଇ ପାରିଛନ୍ତି। ଚକ ଖଡ଼ିକୁ ବ୍ଲେଡ଼ ଓ କଟର ସାହାଯ୍ୟରେ ଅତି ସୁକ୍ଷ୍ମ ଭାବରେ ଧୀରେ ଧୀରେ କାଟି ଚକ ଖଡ଼ି ଟିକୁ ଭିନ୍ନ ରୂପ ଦେଇଥାନ୍ତି ସୂର୍ଯ୍ୟ। ଦରକାର ପଡ଼ିଲେ ଚକ ଖଡ଼ିକୁ ଯୋଡି ଯୋଡି ବଡ଼ ବଡ଼ କଳାକୃତି କରିଥାନ୍ତି।

ଏପେଟ ପେନସିଲକୁ କାଟି ୪ ଇଞ୍ଚର ଜାତୀୟ ପତାକା ତିଆରି କରିଛନ୍ତି ସୂର୍ଯ୍ୟ। ତାଙ୍କର ଏଭଳି କଳାକୃତି ପାଇଁ ବିଭିନ୍ନ ମଞ୍ଚରେ ପୁରସ୍କୃତ ହେବା ସହ ସେ ଗ୍ରେଟ୍‌ ଇଣ୍ଡିଆନ୍ କ୍ଲବ ଅଫ୍ ରେକର୍ଡ ଏବଂ ଭାରତ ସରକାରଙ୍କ ମ୍ୟାଜିକ ବୁକ ଅଫ୍ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛନ୍ତି। ଆଗକୁ ଆହୁରି କିଛି ନୂଆ କରି ଦେଖାଇବାର ଆଶା ରଖିଛନ୍ତି ସୂର୍ଯ୍ୟ । ଏପଟେ ତାଙ୍କର ଏଭଳି ଆଗ୍ରହ ଦେଖି ଚିତ୍ରକଳାରେ ଆବଶ୍ୟକ କରୁଥିବା ସାମଗ୍ରୀ ତାଙ୍କୁ ଯୋଗାଇ ଦେଇଥାଉ ବୋଲି କହିଛନ୍ତି ସୂର୍ଯ୍ୟଙ୍କ ବାପା ଓ ମା।

ଅତି ସୂକ୍ଷ୍ମ ଆର୍ଟ କରିବା ପାଇଁ ଭଲ ଲାଗିଥାଏ ସୂର୍ଯ୍ୟଙ୍କୁ। ସବୁବେଳେ କିଛି ନିଆରା ଆର୍ଟ କରିବା ପାଇଁ ଚେଷ୍ଟା କରିଥାନ୍ତି। ଆଗାମୀ ଦିନରେ ବହୁ ନୂଆ ନୂଆ ରକମର ଆର୍ଟ କରିବା ସହିତ କଟକ ଓ ତଥା ରାଜ୍ୟ ର ନାଁ ବିଶ୍ବ ଦରକାରକୁ ନେବାର ସେ ଲକ୍ଷ୍ୟ ରଖିଛନ୍ତି ।

 

Leave A Reply

Your email address will not be published.