ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ଚାଲିଗଲା ଜୀବନ, ଫେରିବା ବାଟକୁ ଅନାଇ ବସିଛନ୍ତି ପାଞ୍ଚ ପିଲା ସହିତ ସ୍ତ୍ରୀ

କାକଟପୁର: ପରିବାର କହିଲେ ଚାରି ଝିଅ,ଗୋଟିଏ ପୁଅ ଏବଂ ସ୍ତ୍ରୀ । ଘରେ ଅଭାବ ଥିବାରୁ ପରିବାର ଚଳାଇବା ପାଇଁ ଦାଦନ ଖଟିବାକୁ ଯାଇଥିଲେ ସୁରଟ । ଗତକାଲି ମଧ୍ୟାହ୍ନରେ ଖାଇକି କମ୍ପାନୀକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଦାଦନ ଶ୍ରମିକ ନାଟେଶ୍ଵର ସ୍ବାଇଁଙ୍କ ଜୀବନ । ସ୍ବାମୀଙ୍କ ମୃତ୍ଯୁ ଖବର ପାଇବା ପରେ ଘରେ କାନ୍ଦ ବୋବାଳିରେ ଫାଟିପଡୁଛି ପୁରା ପରିବେଶ । ମୋ ସ୍ୱାମୀ ମୋର ସବୁକିଛି । ମୋର ଛୋଟ ଛୋଟ ଛୁଆ । କେମିତି ଚଳିବୁ…କଣ ଖାଇବୁ ? ଏମିତି କହି ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ । କଣ ବା କରିବେ ସ୍ବାମୀ ଭରଷାରେ ଗାଁରେ ରହି ଚଳୁଥିଲେ । କିନ୍ତୁ ଏବେ ସ୍ବାମୀ ଚାଲିଗଲେ । ଏ ଛୁଆଙ୍କ ମୁହଁରେ ଦାନା ଦେବ କିଏ ?

ନାଟେଶ୍ଵରଙ୍କ ପରିବାରରେ ଚାରି ଝିଅ ଏବଂ ଗୋଟିଏ ପୁଅ ସାଙ୍ଗକୁ ସ୍ତ୍ରୀ । ଗରିବ ପରିବାରକୁ ଚଳାଇବା ପାଇଁ ନାଟେଶ୍ଵର ଦୀର୍ଘ ବର୍ଷ ହେବ ସୁରଟର ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିଆସୁଥିଲେ । ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଭାବରେ ସେ ସୁରଟରେ ଯାହା କିଛି ରୋଜଗାର କରନ୍ତି ସେଥିରେ କଷ୍ଟେ ମଷ୍ଟେ ଅଭାବୀ ସଂସାର ଚଳିଯାଉଥିଲା । ବାପା ପ୍ରତେକ ଦିନ ଘରକୁ ଫୋନ କରି ଭଲମନ୍ଦ କଥା ବୁଝିଥାନ୍ତି କିନ୍ତୁ ଆଜି କାହିଁକି ଏତେ ସମୟ ହେବ ଫୋନ କରିନାହାନ୍ତି ବୋଲି ବାପାଙ୍କ ନିକଟକୁ ବଡଝିଅ ଫୋନ କରିବା ବେଳେ ବାପା ଫୋନ ନ ଉଠାଇ ଅନ୍ୟ ଜଣେ ଲୋକ ଫୋନ ରିସିଭ କରିଥିଲେ । ଆଉ ତାଙ୍କ ବାପାଙ୍କର ସଡ଼କ ଦୁର୍ଘଟଣା ଘଟିଛି ବୋଲି କହିଥିଲେ । ଏ ଖବର ଶୁଣି ପୁରା ପରିବାର ପାଦତଳୁ ମାଟି ଖସି ଯାଇଥିଲା । ଦୁର୍ଘଟଣା ଖବର ପରେ ରାତି ଆଠଟା ବେଳକୁ ବାପାଙ୍କର ମୃତ୍ଯୁ ହୋଇଥିବା ଖବରରେ ପରିବର୍ତ୍ତନ ହୋଇଥିଲା । ସେବେଠାରୁ ପାଞ୍ଚ ପିଲା ଏବଂ ସ୍ତ୍ରୀ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛନ୍ତି । ସୁରଟରେ ନିଜର ବୋଲି କେହି ନାହାନ୍ତି । ସେଠାରେ ରହୁଥିବା କିଛି ଓଡିଆ ଲୋକ ନାଟେଶ୍ଵରଙ୍କୁ ଦୁର୍ଘଟଣା ସ୍ଥଳରୁ ମେଡ଼ିକାଲ ନେଇ ଯାଇଥିଲେ । ସୁରଟରୁ ମୃତଦେହ ଆସିବ କି ନାହିଁ ତାହା ଏବେ ସନ୍ଦେହ ଘେରରେ ।

ଅସ୍ତରଙ୍ଗ ନିକଟ ସାହୁବୁଦା ଗାଁର ନାଟେଶ୍ଵରଙ୍କ ପରିବାର ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି । ସୁରଟରେ ରୋଜଗାର କରି ଯାହା ଘରକୁ ପଠାଇଥାନ୍ତି ସେହି ପାରିଶ୍ରମିକ ଅର୍ଥରେ ଏଠାରେ ୬ ପ୍ରାଣୀ ପରିବାର ପେଟକୁ ଦାନା ଯାଇଥାଏ । ହଠାତ ନାଟେଶ୍ଵରଙ୍କ ମୃତ୍ଯୁ ପରେ ଏହି ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ଏହି ଖବର ଶୁଣିବା ପରେ ନାଟେଶ୍ଵରଙ୍କ ଭଉଣୀ ମାନେ ତାଙ୍କ ଘରେ ପହଞ୍ଚି ମୁଣ୍ଡ ପିଟି କାନ୍ଦୁଛନ୍ତି । ଜଣେ ଦାଦନର ମୃତ୍ଯୁ ପରେ ତାଙ୍କୁ କେହି ସାହାଯ୍ୟ କରିବା ପାଇଁ ନଥିବା ବେଳେ ସରକାରଙ୍କ ସହାୟତା ଆଶା କରୁଛନ୍ତି ମୃତ ଦାଦନ ଶ୍ରମିକଙ୍କ ପରିବାର। ଚାରୋଟି ଝିଅ ଏବଂ ଛୋଟ ପୁଅଟିକୁ ନେଇ କେମିତି ବଞ୍ଚିବେ ତାଙ୍କ ଧର୍ମପତ୍ନୀ ସେହି ଚିନ୍ତାରେ ପୁରା ପରିବାର । ରାଜ୍ୟ ସରକାର କିଛି ସହାୟତା କରନ୍ତୁ ବୋଲି କହିଛନ୍ତି ସାହୁବୁଦା ଗାଁ ଲୋକେ ।

ସ୍ତ୍ରୀ ପିଲା ଛୁଆଙ୍କ ସାହାରା ଥିଲେ ନାଟେଶ୍ବର । ହେଲେ ପରିବାର ଉପରେ ଏମିତି ଅଦିନିଆ ଝଡ ଆସି ତାଙ୍କର ସବୁ ଆଶା ସବୁ ସ୍ୱପ୍ନକୁ ଭାଙ୍ଗିରୁଜି ଚୁରମାର କରିଦେବ କେହି କେବେ ଭାବି ବି ନଥିଲେ । କିନ୍ତୁ ବିଧାତାର ଲେଖା କିଛି ଅଲଗା ଥିଲା । ଏବେ ନାଟେଶ୍ବରଙ୍କ ମୃତଦେହ କିପରି ଗାଁକୁ ଫେରିବ ତାକୁ ହିଁ ପରିବାର ଲୋକଙ୍କ ଅପେକ୍ଷା ।

Also Read:ଦିଲ୍ଲୀ ନିଜାମୁଦ୍ଦିନରେ ଘଟିଛି ବଡ ଦୁର୍ଘଟଣା : ୫ ମୃତ,ଉଦ୍ଧାର କାର୍ଯ୍ୟ ଜାରି