ନିହାଣ ମୁନରେ କାରିଗରର ଜୀବନ୍ତ କଳାକୃତି, ଗଢ଼ି ଦେଇଛନ୍ତି ସ୍ୱାଧୀନତା ଆନ୍ଦୋଳନର ଅବିକଳ ମୂର୍ତ୍ତି

ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥର ପିପିଲି ନିକଟ ଗୁଡ଼ିଆପୋଖରୀ ଛକ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମେତ ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଛି। ଏହାକୁ ନିର୍ମାଣ କରିବା ପାଇଁ କାରିଗରଙ୍କୁ ପ୍ରାୟ ବର୍ଷେ ଲାଗିଛି। ଗତବର୍ଷ ସମଗ୍ର ଦେଶ କରୋନା ସହିତ ଲଢୁଥିବା ବେଳେ ଏହି କାରିଗରମାନେ ହାତୁଡ଼ି ନିହାଣର ଠକ୍‌ଠକ୍‌ ଶବ୍ଦରେ ଏହି ପଥର ଖଣ୍ଡ ସହିତ ଲଢି ଏହି ମହାନ ମହାପୁରୁଷମାନଙ୍କୁ ଜୀବନ୍ଯାସ ଦେଇଛନ୍ତି। ତେବେ ଏହି କାର୍ଯ୍ଯ କରିଥିବାରୁ ବେଶ୍ ଆତ୍ମ ସନ୍ତୋଷ ଲାଭ କରିଥିବା କୁହନ୍ତି ସେମାନେ।

୧୯୩୦ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ଲବଣ ସତ୍ଯାଗ୍ରହ ପାଇଁ ଡାକରା ଦେଇଥିଲେ। ୭୮ ଜଣ ସତ୍ଯାଗ୍ରହୀମାନଙ୍କୁ ନେଇ ସେ ଦାଣ୍ଡିଯାତ୍ରା ବାହାରିଥିଲେ ବୋଲି ଇତିହାସ କୁହେ। ସାବରମତୀରୁ ୨୪୦ ମାଇଲ ଯାତ୍ରାରେ ବାହାରିଥିବା ବାପୁ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ସତ୍ଯଭାମାପୁରରେ ଦୁଇ ଦିନ ଅବସ୍ଥାପିତ କରିଥିଲେ। ସେହି ସ୍ମୃତିକୁ ମନେ ପକାଇବା ପାଇଁ ରାଜ୍ଯ ପର୍ଯ୍ଯଟନ ବିଭାଗ ଦୁଇ ପାଦ ଆଗକୁ ଆସି ଓଡ଼ିଶାର କିଛି ଜନ ନାୟକଙ୍କୁ ନେଇ ପ୍ରତି ମୂର୍ତ୍ତି ସ୍ଥାପନ କରି ସେମାନଙ୍କୁ ଅବସ୍ଥାପିତ କରିବ। ତେବେ ଏହି କାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ପିପିଲି ଗୁଡ଼ିଆ ପୋଖରୀ ଠାରେ ଥିବା ମା’ ତାରାଦେବୀ ଷ୍ଟୋନ ଆଣ୍ଡ ଉଡ଼ ମ୍ଯାନୁଫାକଚରିଙ୍ଗ ଅନୁଷ୍ଠାନ।

ରାଜ୍ଯ ପର୍ଯ୍ୟଟନ ବିଭାଗର ଉତ୍କଳିକା ପକ୍ଷରୁ ଆଦେଶ ପାଇବା ପରେ କରୋନା କଟକଣା ସମୟରେ ନିଜ କାରିଗରଙ୍କ ସହାୟତାରେ ଜାତିର ପିତା ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଚୌଧୁରୀ, ନୀଳକଣ୍ଠ ଦାସ, ରମାଦେବୀ, ହରେକୃଷ୍ଣ ମହତାବ, ମୀରା ବେହେନ, ବ୍ରାହ୍ମଣ, ମୁସଲମାନ, ବ୍ଯବସାୟୀ, ଦିବ୍ୟାଙ୍ଗ ଏବଂ ଜଣେ ଛୋଟ ପିଲା ସମୁଦାୟ ୧୧ ଜଣଙ୍କୁ ନେଇ ଗୋଟିଏ ପଥରରେ ମୂର୍ତ୍ତି ନିର୍ମାଣ କରାଯାଇଛି। ଉତ୍ତରପ୍ରଦେଶର ଚୁନାର ସ୍ଯାଣ୍ଡ ଷ୍ଟୋରରୁ ବାଲିପଥର ଆସିବା ପରେ ସେଥିରୁ ଏହି ମହାନ ଜନ ନାୟକ ତଥା ମହାପୁରୁଷମାନଙ୍କୁ ଜୀବନ୍ତ ପ୍ରତିଫଳନ କରାଯାଇଛି । ଏହାକୁ ସତ୍ଯଭାମାପୁରରେ ଅବସ୍ଥାପିତ କରାଯିବ ବୋଲି ମୁଖ୍ଯ ବିନ୍ଧାଣି ନୀଳମଣି ମହାରଣା କହିଛନ୍ତି। ତେବେ ଏହି ମୂର୍ତ୍ତି ଏତେ ଜୀବନ୍ତ ହୋଇଛି ଯେ ଲାଗୁଛି ଯେମିତି ଜାତିର ପିତା ପିପିଲିରୁ ହିଁ ଆଉଥରେ ଆରମ୍ଭ କରୁଛନ୍ତି ଦାଣ୍ଡିଯାତ୍ରା