ଝିଅର ବାଜିଥାଆନ୍ତା ଶାହାନାଇ, ତା ପୂର୍ବରୁ ବାପର ଉଠିଲା କୋକେଇ
ରବିବାର ଥିଲା ଝିଅ ବାହାଘର। ପୁରା ସଜେଇ ହୋଇଥିଲା ଘର। ବନ୍ଧା ଯାଇଥିଲା ଟେଣ୍ଡ । ଭୋଜି ପାଇଁ ପଡ଼ିଥିଲା ଚେୟାର ବେଞ୍ଚ । ଆଉ ଖୁସିରେ ପୂରି ଉଠୁଥିଲା ପୂରା ପରିବେଶ। ସନ୍ଧ୍ୟାରେ ବାଜା ରୋଷଣୀ କରି ବର ପକ୍ଷ ପହଞ୍ଚିଥାନ୍ତେ।

ରବିବାର ଥିଲା ଝିଅ ବାହାଘର। ପୁରା ସଜେଇ ହୋଇଥିଲା ଘର। ବନ୍ଧା ଯାଇଥିଲା ଟେଣ୍ଡ । ଭୋଜି ପାଇଁ ପଡ଼ିଥିଲା ଚେୟାର ବେଞ୍ଚ । ଆଉ ଖୁସିରେ ପୂରି ଉଠୁଥିଲା ପୂରା ପରିବେଶ। ସନ୍ଧ୍ୟାରେ ବାଜା ରୋଷଣୀ କରି ବର ପକ୍ଷ ପହଞ୍ଚିଥାନ୍ତେ। ବାହାଘର କରି ଝିଅ ବିଦା କରିଥାନ୍ତେ ହେଲେ ତା ପୂର୍ବରୁ ଏମିତି କିଛି ଘଟିଗଲା ଆଉ କାନ୍ଦ ବୋବାଳିରେ ଫାଟି ପଡ଼ିଲା ପୂରା ଗାଁ । କ୍ଷଣକ ମଧ୍ୟରେ ଶୋକର ଛାୟା ଖେଳିଗଲା । ବାହାଘରକୁ ନେଇ ସମସ୍ତଙ୍କ ମୁହଁରେ ହସ ଫୁଟୁଥିବା ବେଳେ ଏହି ଘଟଣା ଆଖରେ ଲୁହ ଦେଇଥିଲା । ନିମିଷକରେ ପରିବାରର ସବୁ ଖୁସି ପାଣିରେ ମିଳେଇଗଲା।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିହର ରାଉତ। ହୃଦଘାତରେ ହଠାତ ହରିହରଙ୍କ ପରଲୋକ ହୋଇଗଲା। ଯେଉଁ ଘରେ ସାହନାଇ ବାଜିବା କଥା ସେଠାରେ କାନ୍ଦ ବୋବାଳି ପଡିଯାଇଥିଲା। ସତରେ ଭଗବାନଙ୍କର ବଡ଼ ବିଚିତ୍ର ଲୀଳା। ଯେଉଁଘରୁ ଝିଅ ବାହା ହୋଇ ବିଦା ହୋଇଥାନ୍ତା ସେହି ଘରୁ କୋକେଇ ଉଠିଲା। ଏପରି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତର ଆରୁହା ଗ୍ରାମରେ।
ସୂଚନା ମୁତାବକ, ପୂର୍ବତନ ସରପଞ୍ଚ ହରିହର ରାଉତଙ୍କ ସାନ ଭାଇ ଯଯାତି ରାଉତଙ୍କ ଝିଅ ବାହାଘର ରବିବାର ଦିନ ହୋଇଥାନ୍ତା। ବାହାଘରର ସବୁ ପ୍ରସ୍ତୁତି ସରିଥିଲା। ଘର ଆଗରେ ସୁନ୍ଦର ଟେଣ୍ଡ ବନ୍ଧା ଯିବା ସହ ରୋଷେଇ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ଷ୍ଟେଜ ସହ ବେଦୀ ସାଜସଜ୍ଜା ହୋଇଥିଲା। ଘରେ ବନ୍ଧୁ ବାନ୍ଧବଙ୍କର ବେଶ ଭିଡ଼ ଜମିଥିଲା। ଏହି ସମୟରେ ହରିହରଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟ ଘଟିଥିଲା।
ଘରର ମୁରବୀଙ୍କୁ ହରାଇ ସମସ୍ତେ ଯେପରି ସ୍ତବ୍ଧ ହୋଇଯାଇଥିଲେ। ଅଚାନକ ବିବାହର ଖୁସି ଦୁଃଖରେ ପରିଣତ ହୋଇଯାଇଥିଲା। ବଡ଼ ବାପାଙ୍କର ମୃତ୍ୟୁ ଯୋଗୁ ଝିଅର ବାହାଘର ବନ୍ଦ ହୋଇଥିଲା। ବରପକ୍ଷଙ୍କ ସହ ଆଲୋଚନା କରି ବାହାଘରକୁ ସ୍ଥଗିତ ରଖାଯିବା ସହ ଆସନ୍ତା ୩ମାସ ପରେ ବାହାଘର କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ବରପକ୍ଷ ମଧ୍ୟ ରାଜି ହୋଇଥିବା ସୂଚନା ମିଳିଛି। ପରେ ଗାଁ ସ୍ମଶାନରେ ହରିହରଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ତେବେ ଝିଅର ବାହାଘର ସମୟରେ ବାପାର କୋକେଇ ଉଠିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଗଭୀର ଶୋକ ଖେଳାଇ ଦେଇଛି। ଏହି ଘଟଣାରେ ପରିବାର ବର୍ଗ ଓ ଗ୍ରାମବାସୀ ସମସ୍ତେ ମର୍ମାହତ।