ଶାଶୂର ତଣ୍ଟି ଚିପି ମାରି ଦେଲା ବୋହୂ, ଘଟଣାର ଖୋଳତାଡ଼ କରୁଛି ପୋଲିସ୍

ଏମିତି ବୋହୂ ଯିଏ ଶାଶୂର ଜୀବନ ନେବାକୁ ପଛାଇଲା ନାହିଁ । ମା’ ସମାନ ଶାଶୂକୁ ମାରିବା ପୂର୍ବରୁ ବୋହୂର ହାତ ଟିକିଏ ବି ଥରିଲାନି । କେତେ ଆଶା ରଖି ପୁଅକୁ ବାହା କରି ଖୁସିରେ ଘରକୁ ବୋହୂ ଆଣିଥିଲେ । କିନ୍ତୁ ଆଜି ସେହି ବୋହୂ ହାତରେ ବୁଢ଼ୀ ଶାଶୂର ଜୀବନ ଗଲା । ଶାଶୁର ତଣ୍ଟିଚିପି ହତ୍ୟା କଲା ବୋହୂ । ଆଉ ଶେଷରେ ନିଜ ଭୁଲକୁ ଲୁଚାଇବାକୁ ଯାଇ ଜାଳି ଦେଇଥିଲେ ସବୁ ପ୍ରମାଣ ।
ଦୁଇ ବର୍ଷ ହେଲା ପୁଅକୁ ବାହା ହୋଇଥିଲା । ଭାବିଥିଲେ ବୋହୂ ଆସିଲେ ହସ ଖୁସିରେ ଏ ଘର ପୂରି ଉଠିବ । ନାତି କି ନାତୁଣୀଙ୍କ କୁଆଁ କୁଆଁ ଶବ୍ଦରେ ଘର ସରଗ ହୋଇଯିବ । ତାଙ୍କ ମୁହଁ ଚାହିଁ ଏ ବୃଦ୍ଧ ବୟସଟା କଟିଯିବ । ହେଲେ ଏ ସବୁ ସ୍ବପ୍ନ ମାଟିରେ ମିଶିଗଲା । ବାହା ହୋଇ ଆସିଥିବା ନୂଆ ବୋହୂ ଓ ଶାଶୁଙ୍କ ମଧ୍ୟରେ ସହ ଜମା ପଡ଼ିଲା ନାହିଁ । ଦୁହିଁଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ଅଧିକାଂଶ ସମୟରେ ନିଜ ବାପ ଘରେ ଯାଇ ରହୁଥିଲା ବୋହୂ ମୋନାଲିସା l ଏଇ ୧୦ଦିନ ହେଲା ବାପ ଘରୁ ଶାଶୁ ଘରକୁ ଆସିଥିଲା । ସ୍ୱାମୀ ଏବଂ ଶ୍ୱଶୁର କେହି ଘରେ ରହୁ ନାହାନ୍ତି । ଏଭଳି ପରିସ୍ଥିତିରେ ବିଳମ୍ବିତ ରାତିରେ ଶାଶୁ ବୋହୂଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା l ସେହି ସୁଯୋଗ ନେଇ ବୋହୂ ଶାଶୁର ତଣ୍ଟିଚିପ ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି l ଏମିତି ଅଭାବନୀୟ ଘଟଣା ଘଟିଛି ରେଢ଼ାଖୋଲ ଥାନା କୁଟାସିଙ୍ଗା ଗାଁର ମନ୍ଦିର ସାହିରେ l
ମୃତ ଶାଶୁ ହେଉଛନ୍ତି ଲବଣି ଦେହୁରୀ । ବୋହୂ ମୋନାଲିସା ନାଏକ ଓରଫ ଅନୁ ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ପୂର୍ବରୁ ବାରମ୍ବାର କଳି ଝଗଡା ହେଉଥିଲା । ତେଣୁ ମୋନାଲିସା ଶାଶୁ ଘର ଛାଡ଼ି ବାପଘରେ ରହୁଥିଲେ l ସ୍ୱାମୀ କୃଷ୍ଣ ଚନ୍ଦ୍ର ଦେହୁରୀ ଗୁଜରାଟରେ କାମ କରୁଥିବାରୁ ଘରେ ରୁହନ୍ତି ନାହିଁ । ସେହିପରି ଶ୍ୱଶୁର ଗଣେଶ ଦେହୁରୀ ମଧ୍ୟ ରାଉରକେଲାରେ କାମ କରନ୍ତି l ଅଭିଯୋଗ ଅନୁଯାୟୀ, ଶାଶୁକୁ ମାରି ସାରିବା ପରେ ବିଳମ୍ବିତ ରାତିରେ ପଡିଶା ଘରୁ କଲ୍ କରି ସ୍ବାମୀ ଓ ଶ୍ବଶୁରଙ୍କୁ କହିଲେ ତମ ଘରେ ଅସୁବିଧା ହୋଇଛି ଶୀଘ୍ର ଆସ l
ଶ୍ବଶୂର ଗଣେଶ ଦେହୁରୀ ଘରେ ପହଞ୍ଚି ଦେଖିଲା ବେଳକୁ ସ୍ତ୍ରୀ ଲବଣି ମରି ପଡ଼ିଛି । ବାରି ପଛପଟେ ପ୍ରମାଣ ନଷ୍ଟ କରିବାକୁ ଗୋଟିଏ ପୋଡ଼ା ସାର୍ଟ ଏବଂ ବେଡିସିଟ ମାଟିରେ ପୋତା ହୋଇଛି l ଶ୍ୱଶୁର ଗଣେଶ ଦେହୁରୀ ଅଭିଯୋଗ କରିଛନ୍ତି ଯେ ବୋହୂ ମୋନାଲିସା ତାର ଭାଇ ସିଦ୍ଧାନ୍ତ ନାଏକକୁ ଡକାଇ ତାଙ୍କ ପତ୍ନୀକୁ ମାରିଛି । ଖବର ପାଇ ଘଟଣା ସ୍ଥଳରେ ରେଢାଖୋଲ ପୋଲିସ ପହଞ୍ଚି ତଦନ୍ତ କରିଛି l
Also Read:ହୁତୁ ହୁତୁ ହୋଇ ଜଳିଗଲା ବ୍ୟାଟେରୀ ସ୍କୁଟି, ଗାଡ଼ି ଚାଳକ ସୁରକ୍ଷିତ