ଶାଶୁଘର ଲୋକଙ୍କ ମାଡରେ ବୋହୂର ଭାଙ୍ଗିଲା ମେରୁଦଣ୍ଡ

ଜଳେଶ୍ୱର: ପୁଣି ଯୌତୁକ ଅତ୍ୟାଚାର ଅଭିଯୋଗ । ସାମ୍ନାକୁ ଆସିଲା ନିର୍ଯାତନା ମାମଲା । ଅଧିକ ଯୌତୁକ ଦାବିରେ ବୋହୂକୁ ନିର୍ଯାତନା । ଶାଶୁ ଘର ଲୋକଙ୍କ ଅତ୍ୟାଚାର ଅଭିଯୋଗ । ଶାଶୁଘର ଲୋକଙ୍କ ମାଡ଼ରେ ବୋହୂ ଗୁରୁତର । ଡାକ୍ତରଖାନାରେ ଭର୍ତ୍ତି ହେଲେ ଆହତ ବୋହୂ ।

ଗୋଟିଏ ବୋଲି ପୁଅ ଦେଖି ବାହା ଦେଇଥିଲେ ଝିଅକୁ । ହେଲେ ଝିଅ ଆଜି ହସ୍ପିଟାଲ୍ ବେଡ୍ ରେ । ଛଳ ଛଳ ଆଖିରେ ବୁଢା ବାପା ନିଜ କୋହ ସମ୍ଭାଳି ପାରୁନି । ଝିଅକୁ ମାରି ତାର ଏମିତି ଅବସ୍ଥା କରିଛନ୍ତି ଶାଶୁଘର ଲୋକେ । ହଁ ଦର୍ଶକବନ୍ଧୁ ଶାଶୁଘର ଲୋକଙ୍କ ମାଡରେ ବୋହୂ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଳାରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ପାଳଜାମକୁଣ୍ତା ଗାଁରୁ ଏଭଳି ସଂଗୀନ ଅଭିଯୋଗ ଆସିଛି ।

ସୂଚନା ଅନୁସାରେ ୨୦୧୯ ମସିହାରେ ଅଢଙ୍ଗ ଗାଁର ନାରାୟଣ ପୃଷ୍ଟିଙ୍କ ଝିଅ ଗେହ୍ଲିରାଣିଙ୍କ ସହ ଗଙ୍ଗାଧର ବିଶ୍ୱାଳଙ୍କ ବିବାହ ହୋଇଥିଲା । ବାହାଘର ବେଳେ ଦାବି ମୁତାବକ ଯୌତୁକ ଦେଇଥିଲେ ବି ଅଧିକ ଯୌତୁକ ଦାବିରେ ଗେହ୍ଲିରାଣିଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ଶାଶୁ ଘର ଲୋକେ । ଦାମୀ ଗାଡି ଓ ସୁନା ଚେନ୍ ଦାବି କରି ବିଭିନ୍ନ ସମୟରେ ମାଡ ମାରୁଥିବା ଅଭିଯୋଗ ହୋଇଛି । ତେବେ ଗତକାଲି ଏହି ଘଟଣା ଉଗ୍ରରୂପ ଧାରଣ କରିଥିଲା । ଶାଶୁ ଓ ଶ୍ୱଶୁର ମିଶି ବୋହୂଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏମିତି ମାଡ ମାରିଲେ ଯେ ଗେହ୍ଲିରାଣିଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ଖବର ମିଳିଛି ।

ଏହା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏପଟେ ଗେହ୍ଲିରାଣି କହିଛନ୍ତି କି ତାଙ୍କ ଉପରେ ଏମିତି ନିର୍ଯାତନା ବାରମ୍ବାର ହେବା ସତ୍ୱେ ସ୍ଵାମୀ ନିଜ ବାପା ମାଆଙ୍କୁ ଡରି କିଛି କହିନଥାନ୍ତି । ସେପଟେ ଯୌତୁକ ପାଇଁ ଏଭଳି ଘଟଣା ଘଟିଥିବା କଥାକୁ ଖଣ୍ଡନ କରିଛନ୍ତି ସ୍ଵାମୀ ଗଙ୍ଗାଧର । ଏନେଇ ବାପଘର ଲୋକ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ତଦନ୍ତ କରୁଛି ।

ଯୌତୁକ ପାଇଁ ଉଜୁଡ଼ି ଯାଉଛି ଅନେକ ସୁନାର ସଂସାର । ତଥାପି ଏହା ଥମିବାର ନା ଧରୁନି । ଏଭଳି ଭାବେ ବୋହୂକୁ ମାରି ତାର ମେରୁଦଣ୍ଡ ଭାଙ୍ଗି ଦବା କେତେଦୁର ଠିକ୍? ତେବେ ଘଟଣା ପଛର ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ହିଁ ସାମ୍ନାକୁ ଆସିବ?

ଆହୁରି ପଢନ୍ତୁ :ଦାଦନ ଖଟିବାକୁ ଯାଇଥିଲେ ତେଲେଙ୍ଗାନା, ଫେରିଲା ମହିଳାଙ୍କ ମୃତଦେହ