୬ ଦିନ ପରେ ମା କୋଳକୁ ଫେରିଲା ଝିଅ, ଖୁସିରେ ପୋଲିସଙ୍କୁ ଦେଲେ ଧନ୍ୟବାଦ

ଝିଅକୁ ପାଇ ମା’ର ଖୁସି କହିଲେ ନସରେ । କୁଣ୍ଢାଇ ପକାଇ ଗେଲ କରି ପକାଉଛି ମା’ । କେମିତି ବା ନ ଖୁସି ହେବ ୬ ଦିନ ହେଲାଣି ଝିଅକୁ ଦେଖି ନଥିଲା ମା’ । ଏବେ ଯେତେବେଳେ ଭଗବାନ ତା’ ଡାକଶୁଣି ହଜିଲା ଝିଅକୁ ତା’ କୋଳକୁ ଫେରାଇ ଦେଇଛନ୍ତି ସେ କେମିତି ଧନ୍ୟବାଦ ନ ଦେଇ ରହିପାରିବ । ଝିଅକୁ କୋଳରେ ଧରି ଭଗବାନ ଆଉ ପୋଲିସଙ୍କୁ ଧନ୍ୟବାଦ ଓଜାଡ଼ି ଦେଉଛି ।

ଗତ ୧୮ ତାରିଖ ଘଟଣା । ଦୀର୍ଘ ୬ ଦିନ ପରେ ମା କୋଳକୁ ଫେରିଲା ଅପହୃତା ଶିଶୁ। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରୁ ଜଣେ କିନ୍ନର ନାବାଳିକାକୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ୩ ଦିନ ପରେ ଯାଜପୁରରୁ ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ । ତେବେ ନକଲି କିନ୍ନର ନିକଟରୁ ପୋଲିସ ନାବାଳିକାକୁ ଉଦ୍ଧାର କରିବା ପରେ ଆଜି ବାରିପଦା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲେ ଯାଜପୁର ପୋଲିସ । ଝିଅକୁ ଫେରି ପାଇ ଆନନ୍ଦରେ ଆତ୍ମହରା ହୋଇଯାଇଛି ମାଆ । ଖୁସିରେ ଲୁହରେ ଆଖି ଛଳ ଛଳ ହୋଇଯାଉଛି ତାର । ଏଥିପାଇଁ ପୋଲିସ ପ୍ରଶାସନକୁ ଧନ୍ୟବାଦ୍ ଜଣାଇଛନ୍ତି ।

ତେବେ ଆଜି ବାରିପଦା ସ୍ଥିତ ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ଵାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସବିତା ମାଝୀଙ୍କ ଉପସ୍ଥିତିରେ ମାଆକୁ ହସ୍ତାନ୍ତର କରାଯାଇଥିଲା ଅପହୃତା ନାବାଳିକାକୁ। ୬ ଦିନ ପରେ ମାଆ କୋଳକୁ ଫେରିଥିଲା ଏହି ଶିଶୁ କନ୍ୟା ।

ତେବେ ବିଭିନ୍ନ ଟିମ୍ ଗଠନ କରି ତନାଘନା ଚଳାଇଥିଲା । ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଥିଲା ହେଲେ ପିଲାର କିଛି ଖୋଜଖବର ମିଳିନଥିଲା । ସିସିଟିଭି ଆଧାରରେ ଅଭିଯୁକ୍ତକୁ ଠାବ କରିବା ସୁବିଧା ହେଲା । ପୋଲିସ୍ ର ଏହି ସଫଳତାକୁ ନେଇ ସଭିଏଁ ପ୍ରଶଂସା କରିଛନ୍ତି ।

Also Read:କଠିନ ପରିଶ୍ରମର ଫଳ ମିଠା: ୟୁପିଏସସି ରେଜଲ୍ଟରେ ଓଡ଼ିଶାକୁ ଗର୍ବିତ କରିଛନ୍ତି ଫାୟାର ଫାଇଟରଙ୍କ ପୁଅ