ଆଖିରେ ଲୁହ ଆଣିଦବ ଏ କାହାଣୀ: ବାପାଙ୍କ ସ୍ଵପ୍ନ ପୂରଣ କରୁ କରୁ ସରିଗଲା ପୁଅର ଆୟୁଷ

ଜଳେଶ୍ଵର: ଗୋଟେ ପଟେ ହରିନାମ ଶବ୍ଦକୁ ଅମର ରହେ ଧ୍ୱନିରେ କମ୍ପୁଛି ସାରା ପରିବେଶ । କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ସ୍ତ୍ରୀ, ପୁଅ, ଭାଇ,ଭଉଣୀ ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଦେଇଗଲେ ଶମ୍ଭୁନାଥ । ଏ ଲୋକ ଗହଳି ହିଁ ବୟାନ କରୁଛି ତାଙ୍କୁ କେତେ ଭଲ ପାଉଥିଲେ ସଭିଏଁ । ତେବେ ଅନ୍ୟପଟର ଦୃଶ୍ୟ ଥିଲା କିଛି ଏମତି । କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା କଟା ହୋଇ ସେମିତି ଥୁଆ ହୋଇଥିଲା । ରୋଷେଇ ପାଇଁ ତିଆରି ହୋଇଥିବା ଚୂଲି ଏବଂ କାଠ ସେମିତି ପଡିରହିଥିଲା  । ଏପଟେ ଗାଁରେ ଜଣଙ୍କର ଅକାଳ ବିୟୋଗରେ ସମସ୍ତଙ୍କ ଆଖିରେ ଲୁହ । ଆଉ ସେପଟେ ଏଇ ଭୋଜିର ଆୟୋଜନ । ଘଟଣା କଣ ବୁଝୁ ବୁଝୁ ସାମ୍ନାକୁ ଆସିଲା ଏଇ ହୃଦୟ ବିଦାରକ କାହାଣୀ ।

କଥାରେ ଅଛି , ବାପା ମାଆ ହେଉଛନ୍ତି ଚଳନ୍ତି ପ୍ରତିମା । ତାଙ୍କର ସବୁ ଆଶା ଆକାଂକ୍ଷା ପୂରଣ କରିବା ସନ୍ତାନ ମାନଙ୍କର ପ୍ରଥମ କର୍ତବ୍ୟ । ତେବେ ଆଜିର ଏହି ସ୍ଵାର୍ଥପର ଦୁନିଆରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ବଦଳି ଯାଇଛି ସମ୍ପର୍କର ପରିଭାଷା । ବାପା ଜୀବିତ ଥିବା ବେଳେ ସ୍ଵପ୍ନ ଦେଖିଥିଲେ ଗାଁରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ । କିନ୍ତୁ ସ୍ଵପ୍ନ ଆଗରେ ସରିଗଲା ଆୟୁଷ । ତଥାପି ବାପା ଚାଲିଗଲା ପରେ ନିଜ ବାପାଙ୍କ ଅଧୂରା ସ୍ଵପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡିଥିଲେ ପୁଅ । ଜୀବନ ଯାକର ସମସ୍ତ ସଞ୍ଚିତ ଅର୍ଥ ଏବଂ ଜମି ବିକ୍ରି କରି ଦୁଇ ଭାଇ ଗାଁରେ ନିର୍ମାଣ କରିଥିଲେ ଭବ୍ୟ ମନ୍ଦିର । ଆଉ ଏହାକୁ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ କରିଥିଲେ ଅର୍ପଣ । ତେବେ ବିଧିର ବିଧାନ ଥିଲା କିଛି ଅଲଗା । ଗତକାଲି ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବରେ ଅଚାନକ ଚାଲିଗଲା ବଡ ପୁଅ ଶମ୍ଭୁନାଥଙ୍କ ଜୀବନ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଖେଳିଯାଇଛି ଏହି ଶୋକର ଛାୟା ।

ଖବର ମୁତାବକ, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ଇଡିଦା ପଞ୍ଚାୟତ ଅନ୍ତର୍ଗତ ନାରଗୋଦା ଗ୍ରାମର ବାସିନ୍ଦା ସ୍ଵର୍ଗତ ଉପେନ୍ଦ୍ର ନାଥ ସାହୁ । ପେଶାରେ ସେଥିଲେ ଜଣେ ଶିକ୍ଷକ । ନିଜ ଗାଁ ବିଦ୍ୟାଳୟରେ ଶିକ୍ଷକତା କରିବା ସମୟରେ କିଛି କିଛି ଅର୍ଥ ସଞ୍ଚୟ କରି ସ୍ଵପ୍ନ ଦେଖିଥିଲେ ନିଜ ଗାଁରେ ଏକ ମନ୍ଦିର ନିର୍ମାଣ କରିବେ ବୋଲି । ଏ କଥା ତାଙ୍କର ଦୁଇ ପୁଅଙ୍କୁ ମଧ୍ୟ ସେ କହିଥିଲେ । ହେଲେ ସ୍ଵପ୍ନ ପୂରଣ କରିବା ପୂର୍ବରୁ ୫୫ବର୍ଷ ବୟସରେ ରୋଗାକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କଲେ ଉପେନ୍ଦ୍ର । ତେବେ ତାଙ୍କର ଦୁଇ ପୁଅ ରଘୁନାଥ ଏବଂ ଶମ୍ଭୁନାଥ ପାଠ ପଢି ଉଭୟେ ଶିକ୍ଷକତା କଲେ । ବାପା ଦେଖିଥିବା ସ୍ଵପ୍ନକୁ ସାକାର କରିବା ପାଇଁ ସେମାନଙ୍କ ଆଖିରୁ ଯେମିତି ନିଦ ହଜି ଯାଇଥିଲା ।

temple

ଦୁଇ ଭାଇ ମିଶି ପ୍ରଥମେ କିଛି ଟଙ୍କା ଯୋଗାଡ କରି ୨୦୦୭ ମସିହା ଅଗଷ୍ଟ ମାସ ନିଜର ପୈତୃକ ଜମିରୁ ୧ ଏକର ୨୬ ଡିସମିଲ ଜାଗାରେ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ । ସେବେଠୁ ଆଉ ପଛକୁ ଫେରିନଥିଲେ । ଦୁଇ ଭାଇ ରଘୁନାଥ ଏବଂ ସୋମନାଥ ମିଶି ଜୀବନ କାଳ ଭିତରେ ଚାକିରିର ସମସ୍ତ ଦରମା ଟଙ୍କା, ଜମି ବିକ୍ରି ଟଙ୍କା, ଧାନ ବିକ୍ରି ଟଙ୍କା ସମେତ ବ୍ୟାଙ୍କରୁ ୠଣ ଆଣି ଦୀର୍ଘ ୧୭ବର୍ଷ ଧରି ମନ୍ଦିର ନିର୍ମାଣ କରି ଚାଲିଥିଲେ । ଏମିତିକି ବଡ ଭାଇ ଶମ୍ଭୁନାଥଙ୍କ ଚାକିରିରୁ ଅବସର ପରେ ମିଳିଥିବା ସମସ୍ତ ଟଙ୍କା ସମେତ, ନିଜର ପେନସନ ଟଙ୍କା ମଧ୍ୟ ସେ ମନ୍ଦିର ନିର୍ମାଣରେ ଲଗାଇ ଦେଇଥିଲେ ।

ଦୁଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିର ନିର୍ମାଣ କରିଥିଲେ ଦୁଇ ଭାଇ । ଗତବର୍ଷ ଜାନୁୟାରୀ ମାସ ମନ୍ଦିର ନିର୍ମାଣ ଶେଷ ହେଇଥିଲା ଏବଂ ଗତକାଲି ଥିଲା ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହେବା ସହ ୫ ହଜାର ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନ ପାଇଁ ପରିବା ମଧ୍ୟ ସରିଥିଲା । ମାତ୍ର ହଠାତ୍ ବଡ ଭାଇ ଶମ୍ଭୁନାଥଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ବାଲେଶ୍ଵର ଏବଂ ପରେ କଟକ ହସ୍ପିଟାଲକୁ ନେଇଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କର ଶେଷ ଦର୍ଶନ ପାଇଁ ଶହ ଶହ ଲୋକେ ଛୁଟି ଆସିଥିବାବେଳେ କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଞ୍ଚଳ ।

ଶମ୍ଭୁନାଥଙ୍କ ମୃତ୍ୟୁ ପରେ ସତେ ଯେମିତି ନିସ୍ତବ୍ଧ ହୋଇଯାଇଛି ସମ୍ପୂର୍ଣ୍ଣ ପରିବେଶ । ସ୍କୁଲର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ସମସ୍ତେ ଝୁରୁଛନ୍ତି ସମ୍ଭୁନାଥଙ୍କୁ । ସମସ୍ତଙ୍କ ଆଖିରୁ ଝରି ପଡୁଛି ବେଦନାର ଲୁହ । ମୃତଶରୀର ଗାଁରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଶେଷ ବିଦାୟ ଦେଇଛନ୍ତି ଅଞ୍ଚଳବାସୀ ।

ଆଜିର ସ୍ଵାର୍ଥସର୍ବସ୍ଵ ଦୁନିଆରେ ସମ୍ପର୍କର ପରିଭାଷା ବଦଳି ଯାଇଥିବା ବେଳେ, ଏହି ଦୁଇ ଭାଇ ବାପାଙ୍କ ପ୍ରତି ଦେଖାଇ ଥିବା କର୍ତବ୍ୟ ର ପରିକାଷ୍ଠା ଆଗାମୀ ପିଢୀ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବ । ଶମ୍ଭୁନାଥ ସିନା ଏ ଦୁନିଆରୁ ବିଦାୟ ନେଇଗଲେ କିନ୍ତୁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ଆର୍ଥିକ ସହଯୋଗରେ ନିର୍ମାଣ ହୋଇଥିବା ଏହି ଭବ୍ୟ ମନ୍ଦିର ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ ।

 

You might also like