ଏଇତ ମାନବିକତା: ବୁଲା ଷଣ୍ଢର ବିୟୋଗ ପରେ ହେଲା ଅନ୍ତେଷ୍ଟି କ୍ରିୟା ସହ ଶୋକସଭା

ଜଳେଶ୍ୱର: ଆଜିର ସ୍ଵାର୍ଥପର ଦୁନିଆରେ ଯେଉଁଠି ମଣିଷ ମଣିଷକୁ ଜରାଶ୍ରମ, ଅନାଥ ଆଶ୍ରମର ରାସ୍ତା ଦେଖାଇ ଦେଉଛି , ଯେଉଁଠି ମଣିଷ ବିଶ୍ୱାସରେ ବିଷ ଭରି ଦେଉଛି ସେଠି ଜୀବଜନ୍ତୁ ପଶୁପକ୍ଷୀଙ୍କ କଥା ଭାବିବାକୁ କେତେ ଜଣବା ଆଗେଇ  ଆସିବେ। ତେବେ ଆଜିର ଅର୍ଥ ସର୍ବସ୍ଵ ସମାଜରେ ସମ୍ପର୍କର ସଂଜ୍ଞା ହଜି ଯାଉଥିବା ବେଳେ ଚାରି ଗୋଡିଆ ଜୀବଟେ ଦୁଇ ଗୋଡିଆ ଦୁନିଆକୁ କହିଦେଇ ଯାଇଛି ଜୀବନ ହୁଏତ ଅଢେଇ ଦିନର କିନ୍ତୁ ସମ୍ପର୍କ ଯୁଗ ଯୁଗର ।

ଚାଲିଛି ନାମ ସଙ୍କୀର୍ତନ, ଭଗବତ ପାଠ, ଦୀପ ଦାନ ଆଉ ପ୍ରସାଦ ସେବନ । ଆପଣ ଭାବୁଥିବେ ନିଶ୍ଚୟ କାହାର ବିୟୋଗ ପରେ ଚାଲିଛି ଶୋକସଭା ଏବଂ ଅନ୍ତେଷ୍ଟି କ୍ରିୟା ।  ଆପଣଙ୍କ ଭାବନା ଠିକ୍ ହେଲେ ଟିକେ ଭିନ୍ନ । ଏଠି ଶୋକସଭା ତ ଚାଲିଛି ସତ ହେଲେ କେଉଁ ମଣିଷର ନୁହେଁ ବରଂ ଗୋଟିଏ ବୁଲା ଷଣ୍ଢର । ବୁଲା ଷଣ୍ଢର ମୃତ୍ୟୁ ପରେ ଅନୁଷ୍ଠିତ ହୋଇଛି ଏଭଳି କାର୍ଯ୍ୟକ୍ରମ ।

ବୁଲା ଷଣ୍ଢ ଟିଏ ଆଜକୁ ପାଞ୍ଚ ମାସ ପୂର୍ବରୁ କେଉଁଆଡୁ ଆସି ବାଲିଆପାଳ ଅଞ୍ଚଳରେ ବୁଲାବୁଲି କରୁଥିଲା । ଷଣ୍ଢ ଟିର ଦେହ ସାରା ବଡ ବଡ ଭାତୁଡି ଭଳି ବାହାରି ଯିବା ସହ ରକ୍ତ ମଧ୍ୟ ବାହାରୁ ଥିଲା । ଦେହ ସାରା ମାଛି ଭଣ ଭଣ ହୋଇ ବସିବା ସହ ପ୍ରବଳ ଦୁର୍ଗନ୍ଧ ବି ବାହାରୁଥିଲା । ଖାଇବାକୁ ନପାଇ ଷଣ୍ଢଟି ରୋଗାକ୍ରାନ୍ତ ହେବା ସହ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲା । ତେବେ ଏନେଇ ଖବର ପାଇ ଗୋ ସେବା ସୁରକ୍ଷା ସମିତିର ପ୍ରତିଷ୍ଠାତା ମାନସ ଦାସ ପହଞ୍ଚି ଅଞ୍ଚଳବାସୀଙ୍କ ସହାୟତାରେ ଷଣ୍ଢଟିକୁ ଉଦ୍ଧାର କରି ବାଲିଆପାଳ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରାଇ ତାର ଯତ୍ନ ନେବା ସହ ଖାଇବା ପିଇବାକୁ ଦେଉଥିଲେ । ସକାଳ ସଞ୍ଜରେ ନିୟମିତ ଔଷଧ ଖୁଇଆବା ସହ ଅଞ୍ଚଳବାସୀ ବି ଷଣ୍ଢଟିକୁ ଖାଇବା ପିଇବା ଦେବା ସହ ସେବା କରୁଥିଲେ ।

ତେବେ ସମୟ କ୍ରମେ ଧୀରେ ଧୀରେ ଷଣ୍ଢ ଟିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ।  ହେଲେ ହଠାତ ଗତ ଅଗଷ୍ଟ ୨୭ ତାରିଖରେ ଷଣ୍ଢଟିର ମୃତ୍ୟୁ ହୋଇଯାଇଥିଲା । ପଶୁଟିଏ ହେଲେବି ପାଞ୍ଚ ମାସର ସେବା ଯତ୍ନ ଏବଂ ଖାଇବାକୁ ଦେବାରେ ତାସହିତ ସୃଷ୍ଟି ହୋଇଥିବା ସ୍ନେହ,ମମତା ଓ ଭଲପାଇବା । ଯାହାକୁ ଏବେ ଝୁରୁଛନ୍ତି ଅଞ୍ଚଳବାସୀ । ଅମର ଆତ୍ମାର ସଦଗତି ନିମନ୍ତେ ଆୟୋଜନ କରିଛନ୍ତି  ବିରହ ସତସଙ୍ଗ।

bull

ଷଣ୍ଢ ଟିର ଜୀବନ ଯିବାପରେ ଅଞ୍ଚଳର ଶତାଧିକ ଲୋକ ଏକାଠି ହୋଇ ରିତିନିତୀ ଅନୁସାରେ ଶବ ସତ୍କାର କରିଥିଲେ । ଆୟୋଜିତ ସତସଙ୍ଗରେ ବହୁ ଅଞ୍ଚଳବାସୀ ଯୋଗଦେଇ ଷଣ୍ଢଟିର ଆତ୍ମାର ସଦଗତି କାମନା କରିବା ସହ ଗୋମାତାର ସେବା କରିବା ପାଇଁ ଶପଥ ନେଇଥିଲେ । ଅଳ୍ପ ଦିନର ସମ୍ପର୍କ ଭିତରେ ଷଣ୍ଢଟି ସମସ୍ତଙ୍କୁ ବେଶ ନିଜର କରିପାରିଥିଲା । ସେ ପଶୁଟେ ବୋଲି କେବେ ବି କାହାକୁ ଭାବିବାକୁ ଦେଇନି । ଯିଏ ଯାହା ଖାଇବାକୁ ଦେଲେ ଅତି ଆନନ୍ଦ ସହ ଖାଇ ଦେଇ ମୁଣ୍ତ ହଲାଇ କୃତଜ୍ଞତା ଜଣାଇଥାଏ । ଆଜି ତାର ଅନୁପସ୍ଥିତିକୁ ଅନୁଭବ କରି ଅଞ୍ଚଳବାସୀଙ୍କ ଆଖିରେ ଆବେଗ ଭରା ଲୁହ ଜକେଇ ଆସୁଛି ।

ଆଜିର ଏଇ ସ୍ଵାର୍ଥପର ଦୁନିଆରେ ଲୋକେ ସମ୍ପତ୍ତି ଲୋଭରେ ନିଜ ରକ୍ତ ସମ୍ପର୍କୀୟଙ୍କ ଜରବନ ନେବାକୁ ପଛଘୁଞ୍ଚା ଦେଉନାହାନ୍ତି । ଏଭଳି ସ୍ଥିତିରେ ଗୋଟେ ବୁଲା ଷଣ୍ଢର ମୃତ୍ୟୁରେ ଅଞ୍ଚଳବାସୀଙ୍କ ଏଭଳି ସମବେଦନା ଜଣାଇବା ସମାଜ ପାଇଁ  ଏକ ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରିବ ଏଥିରେ ଦ୍ୱନ୍ଦ ନାହିଁ ।

 

You might also like