ହଜାରେ ବର୍ଷ ପୁରୁଣା ଦେଢଶୁର ଭାଇବୋହୂ କୂଅ, ଏଠାରେ ପ୍ରାୟ ୮୦ଫୁଟ ତଳକୁ ଓହ୍ଲାଇ କରିହୁଏ ଜଳ ସଂଗ୍ରହ

ହଜାର ବର୍ଷ ପୁରୁଣା କୂଅର ସନ୍ଧାନ । ଦେଢଶୁର ଭାଇବୋହୂ ନାମରେ ଜଣାଶୁଣା ଏହି କୂଅ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ଗ୍ରାମରୁ ଠାବ ହୋଇଛି ଏହି ପୁରାତନ କୂଅ ।

ଯାଜପୁର(କେନ୍ୟୁଜ୍): ହଜାର ବର୍ଷ ପୁରୁଣା କୂଅର ସନ୍ଧାନ । ଦେଢଶୁର ଭାଇବୋହୂ ନାମରେ ଜଣାଶୁଣା ଏହି କୂଅ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ଗ୍ରାମରୁ ଠାବ ହୋଇଛି ଏହି ପୁରାତନ କୂଅ । ଐତିହ୍ୟ ଓ ସଂସ୍କୃତି ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ୍ (ଇନଟାକ୍‌)ର ସଦସ୍ୟମାନେ ଏହି ପୁରାତନ କୂଅଟିକୁ ଠାବ କରିଛନ୍ତି। ତେବେ ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରାଚୀନ ଐତିହ୍ୟର ରକ୍ଷଣାବେକ୍ଷଣ ସହ ପୁନରୁଦ୍ଧାର ପାଇଁ ଦାବି ଉଠିଛି ।

କଥାରେ ଅଛି ଭାଇବୋହୂ ଉପରେ ଦେଢଶୂରର ଛାଇ ପଡେନାହିଁ । ଏହି ପରମ୍ପରା କାହିଁ କେତେ ବର୍ଷରୁ ଚଳି ଆସୁଛି । ହେଲେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ଗ୍ରାମରେ ଥିବା ଶିଖରଚଣ୍ଡି ପାଦଦେଶରେ ଅବସ୍ଥିତ ସେହିଭଳି ଏକ କୂଅ ଯାହାର ନାଁ ଦେଢଶୂର ଭାଇବୋହୂ କୂଅ । ହଜାର ବର୍ଷର ପୁରୁଣା ଏହି କୂଅ । ନିକଟରେ ଏହି ପୁରାତନ କୂଅକୁ ଠାବ କରିଛି ଇନଟାକ ଟିମ୍ । କାହିଁ କେଉଁ କାଳରୁ ନିର୍ମାଣ ହୋଇଛି ଏହି କୂଅ । ଅନେକ ଐତିହ୍ୟ ଓ ପରମ୍ପରା ଲୁଚି ରହିଛି ଏହା ଭିତରେ । ଏହା ଭିତରକୁ ପାଦରେ ଚାଲି ଚାଲି ଗଲେ ପ୍ରାୟ ୮୦ଫୁଟ ତଳେ ପାଣି ମିଳେ । ଏହାର ବିଶେଷତ୍ୱ ଓ କିମ୍ବଦନ୍ତି ଅନେକ ରହିଛି । ଏହା ପାଖାପାଖି ହଜାର ବର୍ଷ ପୁରାତନ । ବର୍ତମାନ ଏହି କୂଅଟି ଅବହେଳିତ ଅବସ୍ଥାରେ ପଡି ରହିବା ସହ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି ।

ଏହି ପ୍ରାଚୀନ କୂଅଟି ପ୍ରାୟ ୧୨୦ଫୁଟ ଦୈର୍ଘ୍ୟ ଓ ୩୫ଫୁଟ ପ୍ରସ୍ଥ ଆୟତକାର ଭୂମି ଉପରେ ଅବସ୍ଥିତ । ଏହି କୂଅରେ ମାଙ୍କଡା ପଥର ବ୍ୟବହାର କରାଯାଇ ନିର୍ମାଣ ହୋଇଛି । ପୁରାତନ ନିର୍ମାଣ ଶୈଳିରେ ମାଙ୍କଡା ପଥର ଦ୍ୱାରା ନିର୍ମିତ ଏହି କୂଅଟି ଏକ ଷ୍ଟେପ୍ ୱେଲ ବା ପାହାଚ ଆକାରରେ ରହିଛି । ଓଡିଶାର ଅନେକ ସ୍ଥାନରେ ପୁରାତନ କୂଅ ରହିଥିବା ବେଳେ ଠାବ ହୋଇଥିବା ଚଣ୍ଡିତଳର ଏହି କୂଅଟି ସମସ୍ତ କୂଅ ଠାରୁ ବୃହତର ବୋଲି ଜଣାଯାଇଛି । ପ୍ରାୟ ୮୦ଫୁଟ ତଳକୁ ପାହାଚରେ ଓହ୍ଲାଇ ଜଳ ସଂଗ୍ରହ କରିହୁଏ । ଆଜି ମଧ୍ୟ ଗ୍ରାମବାସୀ ଏହି କୂଅର ଜଳକୁ ବ୍ୟବହାର କରୁଛନ୍ତି । ତେବେ ପ୍ରାଚୀନ ଐତିହ୍ୟ ଉପରେ ଅଧିକ ଗବେଷଣା ହେବାର ଆବଶ୍ୟକତା ରହିଥିବା ବେଳେ ଏହାର ସୁରକ୍ଷା, ରକ୍ଷଣାବେକ୍ଷଣ ସହ ପୁନରୁଦ୍ଧାର ପାଇଁ ଦାବି ଉଠିଛି ।