ପୁରୀରେ ଏବେ ସିନେମା ହଲଟିଏ ନାହିଁ, ସିନେମା ହଲ୍ ଟିଏ କରିବାକୁ ବିଭିନ୍ନ ମହଲରୁ ଦାବି

କେବେ ହଲ୍ ରେ ସିନେମା ଦେଖିବେ ଶ୍ରୀକ୍ଷେତ୍ର ବାସୀ । ଏହି ପ୍ରଶ୍ନ ଏବେ ବି ଅସମାହିତ । ୧୯୩୬ ମସିହା ଆଜିର ତାରିଖରେ ଶ୍ରୀକ୍ଷେତ୍ରର ଲକ୍ଷ୍ମୀ ଟକିଜ୍ ରେ ମୁକ୍ତି ଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ । ୯୦ ବର୍ଷର ସିନେମା ହଲ ଯାତ୍ରାରେ ନିଶ୍ଚିହ୍ନ ହୋଇଛି ଶ୍ରୀକ୍ଷେତ୍ରର ୫ ପ୍ରେକ୍ଷାଳୟ। ଓ ଏଫ୍ ଡି ସି ବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ର କାର୍ଯ୍ୟ କୁ ନେଇ ଅସନ୍ତୋଷ।କଳା,ଐତିହ୍ୟ ଓ ସଂସ୍କୃତି ର ମାଟିରେ ସିନେମା ହଲ୍ ଟିଏ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ୧୯୩୩ ମସିହା ରେ ରାମଚଣ୍ଡୀ ସାହିରେ ସୀତାକାନ୍ତ ପାଣ୍ଡେ ଙ୍କ ଉଦ୍ୟମରେ ଜନ୍ମ ନେଇଥିଲା ପୁରୀର ପ୍ରଥମ ସିନେମା ହଲ୍ ଲକ୍ଷ୍ମୀ ଟକିଜ୍।୧୯୩୬ ଆଜିର ତାରିଖ ଅର୍ଥାତ୍ ଏପ୍ରିଲ ୨୮ ରେ ପ୍ରଥମ ଓଡ଼ିଆ ଫିଲ୍ମ ସୀତା ବିବାହ ଏଇଠି ମୁକ୍ତିଲାଭ କରିଥିଲା । ୭୪୨ ସିଟରୁ କ୍ରମଶଃ ୨୦୦ସିଟ ରେ ସୀମିତ ହୋଇଥିଲା । ମହାବାତ୍ୟା ପରଠାରୁ କ୍ରମଶଃ ଆଉ ଉଠି ପାରିନଥିଲା ଏହି ପ୍ରଥମ ଓଡ଼ିଆ ସିନେମା ହଲ୍ ।

ୟା ଭିତରେ ୯୦ ବର୍ଷରେ ପହଞ୍ଚିଲାଣି ଓଡ଼ିଆ ସିନେମା ।ଆଜିର ଦିନରେ ମୁକ୍ତିଲାଭ କରିଥିବା ସୀତବିବାହ କୁ ଲୋକେ ଝୁରୁଛନ୍ତି । ହେଲେ ଏପଟେ ଐତିହ୍ୟ ସହର ସିନେମା ହଲ ଶୂନ୍ୟ ହୋଇଛି । ବଡ଼ଦାଣ୍ଡ ରେ ଥିଲା ଜନତା ହଲ୍ ହଜୁରୀ ପରିବାର ଓ ମଠ ମହନ୍ତ ଙ୍କ ମଧ୍ୟରେ ମୋକଦ୍ଦମା ଯୋଗୁଁ ବନ୍ଦ ହୋଇଛି । ବାଲିଘାଟ ଶ୍ରୀରାମ ଟକିଜ ବି ଆଉ ମୁଣ୍ଡ ଟେକି ପାରିନି । ପେଣ୍ଠକଟା ଶ୍ରୀକ୍ଷେତ୍ର ସିନେମା ହଲ୍ ର ସମାନ ଅବସ୍ଥା । ଆଉ ଶେଷ ଯାଏଁ ସଂଘର୍ଷ କରୁଥିବା ଶ୍ରୀକୃଷ୍ଣ ସିନେମା ହଲ୍ ଟି ପରିକ୍ରମା ପ୍ରକଳ୍ପ ଉଚ୍ଛେଦ ହୋଇ ସାରିଛି । ଡିଷ୍ଟ୍ରିବୁଟର ଙ୍କ ପ୍ରାଥମିକତା ଥିବା ଶ୍ରୀକୃଷ୍ଣ ହଲ ଭାଙ୍ଗିବା ପରେ ସିନେମା ହଲ୍ କେବଳ ସ୍ମୃତି ହୋଇ ରହିଛି । ଏଭଳି ସ୍ଥଳରେ କଳା,ଐତିହ୍ୟ ଓ ସଂସ୍କୃତିର ସହର ହୋଇଛି ପ୍ରେକ୍ଷାଳୟ ଶୂନ୍ୟ। ସିନେ ପ୍ରେମୀ ମାନେ ଫିଲ୍ମ ଦେଖିବା ପାଇଁ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଯାଉଛନ୍ତି।

ବେଶ କିଛି ଦିନ ହେବ ହଜିଯାଇଥିବା ମୌଳିକ ଓଡ଼ିଆ ସିନେମା ପୁଣି ଫେରିଛି। ହେଲେ ଦେଖିବାକୁ ହଲ୍ ନାହିଁ। ଓ ଏଫ୍ ଡି ସି ବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର କାର୍ଯ୍ୟ ଓ ଘୋଷଣା ଦୁହେଁ ବିପରୀତ ଦିଗରେ ଗତି କରୁଛନ୍ତି। ମହାବାତ୍ୟା ଓ ଫନିର ଆଘାତ ସହ ଡିଜିଟାଲ ଯୁଗର ୮ ଇଞ୍ଚର୍ ମୋବାଇଲ୍ ସ୍କ୍ରିନ ରୂପେଲି ପରଦାକୁ ଜରାଜୀର୍ଣ୍ଣ କରିସାରିଛି । ସରକାରୀ ପ୍ରୋତ୍ସାହନ ଅଭାବରୁ ସିନେମା ହଲ୍ ପ୍ରତି ମାଲିକ ମାନେ ମୁହଁ ମୋଡ଼ିଲେଣି। ଗତ ସେପ୍ଟେମ୍ବର ରେ ସରକାରଙ୍କ ସହ ଆଲୋଚନା କରିଛନ୍ତି ସଂସ୍କୃତି ପ୍ରେମୀ ହେଲେ ସରକାରୀ ନିର୍ଦ୍ଦେଶାନାମା ଆସିନାହିଁ। ଅନ୍ୟ ସହରରେ ଛତୁ ଫୁଟିବା ଭଳି ମଲ୍ଟି ପ୍ଲେକ୍ସ ଖୋଲିଥିବା ବେଳେ ଶ୍ରୀକ୍ଷେତ୍ରରେ ହଲ୍ କେବେ ଖୋଲିବ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେଣୁ ପର୍ଯ୍ୟଟନ,ଐତିହ୍ୟ,ଓ କଳାର ସମୃଦ୍ଧ କ୍ଷେତ୍ର ରେ କୌଣସି କମ୍ପ୍ଲେକ୍ସ କିମ୍ବା ଅନ୍ୟ ଚିହ୍ନଟ ସ୍ଥାନରେ ତୁରନ୍ତ ସିନେମା ହଲ୍ ଟିଏ ଖୋଲିବାକୁ ଦାବି ହୋଇଛି ।

Also Read:ଶାଳବଣରେ ଦୁଇ ଭାଇଙ୍କ ହତ୍ୟା ମାମଲା, ପୋଲିସର ତଦନ୍ତ ଜାରି