ମାଳିକା ବର୍ଣ୍ଣିତ ବନଦୁର୍ଗା ପୀଠର ଅଜଣା ବୃକ୍ଷ, ଯାହାର ପତ୍ର ଖାଇଲେ ଭଲ ହୋଇଯାଏ ରୋଗ ବ୍ୟାଧି

ମାହାଙ୍ଗା (କେନ୍ୟୁଜ) : ମାଳିକା କଥା ଆସିଲେ ଶ୍ରଦ୍ଧାଳୁଙ୍କ ମନରେ ଆସେ ଭିନ୍ନ କିଛି ବିଚାର । ଆଉ ଯଦି ମାଳିକା ବର୍ଣ୍ଣିତ କିଛି ବାସ୍ତବ ତଥ୍ୟ ସାମନାକୁ ଆସେ ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ବଢ଼ିଯାଏ । ଏହି କ୍ରମରେ ଆସନ୍ତୁ ଯିବା କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନାହାଙ୍ଗ ଓ ଉମର ପଞ୍ଚାୟତ ଅଞ୍ଚଳକୁ । ଏହି ଦୁଇ ପଞ୍ଚାୟତର ମଧ୍ୟସ୍ଥଳରେ ରହିଛି ରେଣ୍ଟା ଗ୍ରାମ୍ୟ ଜଙ୍ଗଲ । ତା ଭିତରେ ମାଳିକା ବର୍ଣ୍ଣିତ ବନ ଦୁର୍ଗାଙ୍କ ପୀଠ । ଯେଉଁଠି ଏବେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ l ମା’ଙ୍କ ନୂତନ ମନ୍ଦିର ନିର୍ମାଣ କରାଯାଇ ମାଙ୍କୁ ସ୍ଥାପନା କରାଯାଇଛି l କାହିଁ କେଉଁ କାଳରୁ ଏଠି ମା ବନ ଦୁର୍ଗାଙ୍କ ପୂଜା ହୋଇ ଆସୁଅଛି l ବଣ ଜଙ୍ଗଲ ପାଣି କାଦୁଅ ଖରା ବର୍ଷା ଶୀତରେ ଗ୍ରାମ ଠାରୁ ୩ କିଲୋମିଟର ଦୂରକୁ ଆସି ମାଙ୍କୁ ପ୍ରତିଦିନ ପୂଜା କରନ୍ତି ଏହାର ପୂଜକ l ତେବେ ବନଦୁର୍ଗାଙ୍କ ପାଖରେ ରହିଛି ଏକ ପୁରାତନ ବୃକ୍ଷ । ଯାହାକୁ ଆଜି ପର୍ଯ୍ୟନ୍ତ କେହି ଚିହ୍ନି ପାରନ୍ତି ନାହିଁ l ଏହି ଅଜଣା ଗଛର ପତ୍ର ଖାଇଲେ ରୋଗ ବ୍ୟାଧି ଭଲ ହୋଇଯାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି l ଏପରିକି ଯେତେ ସାଧୁସନ୍ଥ, ବନ ବିଭାଗ ଓ ପରିବେଶବିତ ଆସିଛନ୍ତି କେହି ବି ଏହି ଅଜଣା ଗଛକୁ ଚିହ୍ନି ପାରି ନାହାନ୍ତି ।

treeସେହି ଗଛ ମୂଳରେ ମଧ୍ୟ ପୂଜାର୍ଚ୍ଚନା କରାଯାଏ l ୨୦ ବର୍ଷ ତଳେ ନାହାଙ୍ଗ ଗ୍ରାମର ପୂଜକ ବାବୁ ଦାସଙ୍କୁ ରାତିରେ ମା ସ୍ୱପ୍ନଦେଶ କରିଥିଲେ କି ମୁଁ ସେହି ରେଣ୍ଟା ବଣରେ ରହୁଛି, ତୁ ମୋର ପୂଜାର୍ଚ୍ଚନା କରିବୁ l ତା ପର ଦିନ ଠାରୁ ବାବୁ ଦାସ ସେହି ସ୍ଥାନରେ ଯାଇ ପୂଜାର୍ଚ୍ଚନା କରି ଆସୁଛନ୍ତି l ମା ଙ୍କୁ ଯିଏ ଯେତେବେଳେ ଯାହା ଭକ୍ତିର ସହ ମାଗିଥାଏ ତାର ମାନସିକ ପୂରଣ ହୋଇଥାଏ ବୋଲି ଲୋକମାନେ କୁହନ୍ତି l ମା’ଙ୍କ ମକର ଯାତ୍ରା ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଥାଏ l

ମା ବନ ଦୁର୍ଗାଙ୍କ ପଶ୍ଚିମ ପଟେ ଥିବା ମଇଜରା ନଈ ଗୁପ୍ତ ଯମୁନା ନଦୀ ଭାବେ ମାଳିକାରେ ଲେଖା ରହିଥିବା କୁହାଯାଏ । ଉତ୍ତର ପାର୍ଶ୍ୱରେ ଶିଆଳି ଲଟା ଗଛ ରହିଛି । ସେହିପରି ପୂର୍ବ ପଟେ ଏକ ତାଳ ପୋଖରୀ ରହିଛି । ଯାହାକୁ ଦ୍ୱାପର ଯୁଗର କାଳନ୍ଦୀ ହ୍ରଦ ବୋଲି କୁହାଯାଏ । ଏଠାରେ ପ୍ରଭୁ ଶ୍ରୀକୃଷ୍ଣ କାଳୀୟ ଦଳନ କରିଥିଲେ l ପୁଣି ଏହିଠାରେ ୧୬ ସହସ୍ର ଗୋପୀଙ୍କୁ ଧରି ଲୀଳାଖେଳା କରୁଥିଲେ l ଏହେଉଛି ଗୁପ୍ତ ବୃନ୍ଦାବନ l ପୂର୍ବରୁ ଖରାଦିନେ ଏହି ପୋଖରୀରେ ଜୁଆର ଆସି ବିଲରେ ପାଣି ମାଡ଼ିଯାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି l ଏହି ପୋଖରୀରେ ପୂର୍ବରୁ ୧୦୮ ପାଖୁଡ଼ାର ପଦ୍ମଫୁଲ ଫୁଟିଥାଏ l ପୁଣି ଶୁଣିବାକୁ ମିଳେ ଏଠାରେ ଏବେବି କାଳୀୟ ସର୍ପ ରହୁଛି । ଲୋକେ କୁହନ୍ତି ଯେଉଁ ବାଟ ଦେଇ ସାପ ଯାଏ ତାର ବିଷ ଜ୍ୱାଳାରେ ସେହି ସ୍ଥାନର ଗଛ ଲତା ପୋଡିଯାଏ ।

pondପାଇଁ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ, ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରଚେଷ୍ଟାରେ ଏବେ ଏହି ପୀଠର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି । ଉଭୟ ନହଙ୍ଗ ଓ ଉମର ସରପଞ୍ଚ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୀଠର ମହାତ୍ମ୍ୟ ରକ୍ଷା ପାଇଁ ଜୋରସୋର ଉଦ୍ୟମ କରାଯାଉଛି । ଏପରିକି ତାଳ ପୋଖରୀ ନିକଟରେ ରାଧାକୃଷ୍ଣଙ୍କ ମନ୍ଦିର ନିର୍ମାଣ କରାଯାଇ ପୂଜାର୍ଚ୍ଚନା ଚାଲିଛି l କାର୍ତ୍ତିକ ମାସରେ ଏହି କାଳୀୟ ହ୍ରଦରେ ନୌକା ବିହାର କରାଯାଏ l ତେବେ ସମସ୍ତଙ୍କ ପାଇଁ ମା ବନଦୁର୍ଗ ଏବଂ ଏହି ଅଜଣା ଗଛ ହେଉଛି ବିଶେଷ ଆକର୍ଷଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.