ଏହି ମନ୍ଦିରରେ କରାଯାଏ ଅସୁରଙ୍କ ପୂଜା; ରହସ୍ୟ ଏବଂ ପୌରାଣିକ କଥା ପାଇଁ ହେଲା ଲୋକପ୍ରିୟ

ଉତ୍ତର ଭାରତର ଏକମାତ୍ର ହିନ୍ଦୁ ମନ୍ଦିରରେ ଦେବାଦେବୀଙ୍କ ସହ ଅସୁରଙ୍କ ପୂଜା କରାଯାଏ । ଆଦ୍ୟ ଗୁରୁ ଶଙ୍କରାଚାର୍ଯ୍ୟ ଏହି ମନ୍ଦିରର ସ୍ଥାପନା କରିଥିଲେ । ଏହି ମନ୍ଦିରରେ ଭଗବାନ ଶିବଙ୍କ ସହ ରାହୁ ପ୍ରତିମା ମଧ୍ୟ ପୂଜା କରାଯାଇଥାଏ ।

କେନ୍ୟୁଜ ବ୍ୟୁରୋ: ଭାରତରେ ଅନେକ ଐତିହାସିକ ହିନ୍ଦୁ ମନ୍ଦିର ରହିଛି । ହିନ୍ଦୁ ମାନେ ନିଜର ଆରାଧ୍ୟ ଦେବତାଙ୍କ ପାଇଁ ମନ୍ଦିରମାନ ଗଢ଼ି ତୋଳିଛନ୍ତି । ମନ୍ଦିର ମାନଙ୍କରେ ସାଧାରଣତଃ ଦେବାଦେବୀଙ୍କ ପୂଜା କରାଯାଇଥାଏ । କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୁହେଁ ସେଠାରେ ଅସୁରଙ୍କ ପୂଜା କରାଯାଇଥାଏ । ଭାରତର ଉତ୍ତରାଖଣ୍ଡରେ ଏପରି ମନ୍ଦିର ରହିଥିବା ସୂଚନା ମିଳିଛି । ତେବେ ଉତ୍ତରାଖଣ୍ଡ ଦେବଭୂମି ଭାବେ ବେଶ ପରିଚିତ । ଏହି ସ୍ଥାନରେ ଏପରି ମନ୍ଦିର ଅଛି ଯାହା ରହସ୍ୟ ଏବଂ ପୌରାଣିକ କଥା ପାଇଁ ଲୋକପ୍ରିୟ । ଏହି ସମସ୍ତ ମନ୍ଦିର ମଧ୍ୟରୁ ରାହୁ ମନ୍ଦିର ଅନ୍ୟତମ । ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲାରେ ଥିବା ମନ୍ଦିର ମାନଙ୍କରେ ଦେବତାଙ୍କ ସହ ଅସୁରମାନଙ୍କ ପୂଜା କରାଯାଇଥାଏ । ଏହା ସହିତ ଶ୍ରଦ୍ଧାଳୁମାନେ ମନ୍ଦିରରେ ଥିବା ଗ୍ରହମାନଙ୍କ ପୂଜା କରିଥାନ୍ତି ।

ଉତ୍ତରାଖଣ୍ଡରେ ଅବସ୍ଥିତ ଥିବା ଏହି ମନ୍ଦିରକୁ ଦୂର ଦୂରାନ୍ତରରୁ ଲୋକମାନେ ଆସିଥାନ୍ତି । ନିଜ ଦୁଃଖ ଦୂର କରିବା ପାଇଁ ଶ୍ରଦ୍ଧାଳୁମାନେ ମାନସିକ କରିଥାନ୍ତି । ସ୍କନ୍ଧ ପୁରାଣ କେଦାରଖଣ୍ଡରେ ଉଲ୍ଲେଖ ଅଛି ଯେ ରାଷ୍ଟ୍ରକୁଟ ପର୍ବତ ନିକଟରେ ଥିବା ନାବାଳିକା ନଦୀ ତଟରେ ରାହୁ ଶିବଙ୍କର ଘୋର ତପସ୍ୟା କରିଥିଲା, ଯେଉଁଥିପାଇଁ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି ।

ରାଷ୍ଟ୍ରକୁଟ ପର୍ବତ ନାମାନୁସାରେ ଏହି ଅଞ୍ଚଳକୁ ‘ରାଠ କ୍ଷେତ୍ର’ କୁହାଯାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଦ୍ୟ ଗୁରୁ ଶଙ୍କରାଚାର୍ଯ୍ୟ ଏହି ମନ୍ଦିରର ସ୍ଥାପନା କରିଥିଲେ । ଲୋକକଥା ଅନୁସାରେ ଶଙ୍କରାଚାର୍ଯ୍ୟ ଦକ୍ଷିଣରୁ ହିମାଳୟକୁ ଆସୁଥିବା ସମୟରେ ଏହି ସ୍ଥାନରେ ହିଁ ରାହୁଙ୍କ ପ୍ରଭାବର ଅନୁଭୁତି ହୋଇଥିଲା । ଏହା ପରେ ଶଙ୍କରାଚାର୍ଯ୍ୟ ରାହୁଙ୍କ ମନ୍ଦିର ନିର୍ମାଣ କରିବା ଆରମ୍ଭ କରିଥିଲେ ।

ପୁରାଣରେ ବର୍ଣ୍ଣିତ ଅଛି ଯେ, ରାହୁ ସମୁଦ୍ର ମନ୍ଥନରେ ବାହାରିଥିବା ଅମୃତ ପାନ କରିଥିଲା । ଯାହା ପରେ ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଚକ୍ରରେ ରାହୁର ଶିର ଚ୍ଛେଦନ କରିଥିଲେ । ରାହୁର କଟା ମୁଣ୍ଡଟି ଏହି ଅଞ୍ଚଳରେ ପଡ଼ିଥିବାର ଲୋକକଥା ରହିଛି । ପରେ ଏଠାରେ ରାହୁର ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଥିଲା । ତେବେ ଏହି ମନ୍ଦିରରେ ଭଗବାନ ଶିବଙ୍କ ସହ ରାହୁ ପ୍ରତିମା ମଧ୍ୟ ପୂଜା କରାଯାଇଥାଏ । ଏହି ମନ୍ଦିର ପଥରରେ ନିର୍ମାଣ କରାଯାଇଛି । ଦୂର ଦୂରାନ୍ତରରୁ ଭକ୍ତମାନେ ଏହି ମନ୍ଦିରକୁ ଆସିଥାନ୍ତି । ଯେଉଁ ମାନଙ୍କର ଗ୍ରହ ସମସ୍ୟା ରହିଥାଏ ଏଠାରେ ପୂଜା କଲେ ସେମାନଙ୍କୁ ରାହୁ ଦୋଷରୁ ମୁକ୍ତି ମିଳିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.