ଗାଈଟିଏ କଥାଟିଏ : ମନ୍ଦିର ପାହାଚ ଉପରେ ଆଣ୍ଡୁମାଡ଼ି ଠିଆ ହୋଇଥିଲା ଗାଈ

ଏ କାହାଣୀଟିକୁ ଆପଣମାନେ କିଭଳି ନେବେ ଜଣା ନାହିଁ । ହେଲେ ଯାହା ଦେଖିଲୁ ସେଥିରୁ କିଛି ଏମିତି ଅନୁମାନ କଲୁ । ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ଭଦ୍ରକ ଜିଲ୍ଲା ଆରଡ଼ିର ଆଖଣ୍ଡଳମଣି ପୀଠ । ଶନିବାର ଦିନ ଗାଈଟିଏ ଠିଆ ହୋଇଥାଏ ଠିକ୍‌ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିର ଦୁଆରେ । ଯେମିତି ଶଙ୍କରଙ୍କ ବାହନ ନନ୍ଦି, ଠିକ୍‌ ସେମିତି ନିରବ ନିଶ୍ଚଳ ହୋଇ ଠିଆ ହୋଇଥାଏ ଗାଈଟି । ହେଲେ ତାର ଗୋଟିଏ ଗୋଡ଼ ପାହାଚ ଉପରେ ଭାଙ୍ଗି ହୋଇ ରହିଥାଏ । ଯେମିତିକି ସେ ଆଣ୍ଠେଇ ପ୍ରଭୁଙ୍କୁ ପ୍ରଣାମ କରୁଛି । ଭକ୍ତମାନେ ସେହି ବାଟ ଦେଇ ଯିବା ଆସିବା କରୁଥାନ୍ତି । ହେଲେ ସେଥିପ୍ରତି ତାର ନିଘା ନଥାଏ ।

ଆମ ନଜର ତା ଉପରେ ପଡ଼ିବା ପରେ ଆମେ ତାର ଫଟୋ ନେଲୁ । ଭାବିଲୁ କଣ ପ୍ରଭୁଙ୍କ ଆରାଧନା ପାଇଁ ଠିଆ ହୋଇ ରହିଛି କି ଗାଈଟି ? ତେବେ ଭଲ କରି ଦେଖିଲା ପରେ ଜାଣିଲୁ ତାର ଆଗପଟ ବାଁ ଗୋଡ଼ଟି ପୋଲିଓ ହେଲା ଭଳି ବଙ୍କି ଯାଇଛି । ଅର୍ଥାତ ଗାଈଟି ଦିବ୍ୟାଙ୍ଗ । ବୋଧହୁଏ ଚାଲି ଚାଲି ଥକି ଯିବା ପରେ ସେହି ପାହାଚରେ ନିଜର ଅକ୍ଷମ ଗୋଡ଼ଟିକୁ ରଖି ବିଶ୍ରାମ ନେଉଥିଲା । ହେଲେ ଲାଗୁଥିଲା ଯେମିତି ସେ ପ୍ରଭୁ ଆଖଣ୍ଡଳମଣିଙ୍କୁ ନିଜର ଦୁଃଖ ଜଣାଉଛି ଗାଈଟି ।

cow-1

କିଛି ଦିନ ତଳେ ଗୋଟିଏ ଖବର ଗଣମାଧ୍ୟମରେ ଆସିଥିଲା କି ଅଯୋଧ୍ୟ ଅଞ୍ଚଳରେ ଏକ ରାମ ମନ୍ଦିରରେ ଗାଈଟିଏ ପ୍ରତିଦିନ ୧୦୮ ଘେରା ବେଢ଼ା ବୁଲୁଛି । ଏମିତିକି ତାର ମା ମଧ୍ୟ ଏଭଳି ଆଧ୍ୟାତ୍ମିକ କାମ କରି ଉପବାସ ରଖୁଥିଲା । ଆମକୁ ଲାଗିଲା ଏଇ ଗାଈଟି ମଧ୍ୟ ପ୍ରଭୁ ଆଖଣ୍ଡଳମଣିଙ୍କ ପାଖରେ ସେଭଳି କିଛି କରୁଛି ବୋଲି । ହେଲେ ତାର ଅକ୍ଷମତା କି ପ୍ରକୃତରେ ତାର ଭକ୍ତିଭାବନା ଯୋଗୁଁ ଅନେକ ସମୟ ଧରି ଗାଇଟି ଠିଆ ହୋଇଥିଲା ଏକଥା କେବଳ ସେ ଆଉ ପ୍ରଭୁ ବାବା ମଣି ହିଁ ଜାଣିଥିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.