ଶ୍ରୀକ୍ଷେତ୍ରକୁ ଦଣ୍ଡ ମାରି ମାରି ଯାଉଛି ପୁଅ, ତୁଣ୍ଡରେ ଖାଲି ଗୋଟିଏ ନାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ପିପିଲି : ମୋ ପୁଅ କଣ, ଇଏ ଭଗବାନଙ୍କ ପୁଅ । ଦୁଇ ମାସରୁ ତାକୁ ମୁଁ ସେଇ କାଳିଆ ସାଆନ୍ତକୁ ଟେକି ଦେଇଛି । ଯେତେବେଳେ ଡାକ୍ତର ସବୁ ମନା କରିଦେଲେ, ସେତେବେଳେ ଆଉ କିଛି ଉପାୟ ପାଇଲିନି । ପୁଅକୁ ଟେକିଦେଲି ତାଙ୍କରି ଭରଷାରେ । ହଁ ପୁଅକୁ ହୋଇଥିଲା ମାତ୍ର ଦୁଇ ମାସ, ଗୁରୁତର ଅବସ୍ଥାରେ ମେଡିକାଲ ରେ ହେଉଥିଲା ଚିକିତ୍ସା । ସେତେବେଳେ ଡାକ୍ତର କହିଥିଲେ ପୁଅର ଅବସ୍ଥା ଶଙ୍କଟାପନ୍ନ କେବଳ ଭଗବାନ ହିଁ ଭରସା ।
ସେହି ସମୟରେ ମା ମଞ୍ଜୁଲତା ପୁଅ କୁସୁନିଆଙ୍କୁ କଦଳୀ ପତ୍ରରେ ଶୁଆଇ ଦେଇ ଜଗନ୍ନାଥ ମହାପ୍ରଭୁ କାଳିଆକୁ ଟେକି ଦେଇଥିଲେ ମାନସିକ କରି । ଜଗା ମୋ ପୁଅକୁ ଭଲ କରିଦେ, ମୋ ପୁଅ ମୋ ଭଙ୍ଗା କୁଡ଼ିଆରୁ ତୋ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ଦଣ୍ଡ ମାରି ମାରି ତୁଣ୍ଡରେ କେବଳ ତୋରି ନାମ ଧରି ତୋ ସିଂଘ ଦୁଆରେ ଦର୍ଶନ କରିବ ।
ଆଜି ପୁଅକୁ ପୂରିଛି ୨୦ ବର୍ଷ, ମାନସିକ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରୁ ଶ୍ରୀ କ୍ଷେତ୍ର ପାଖାପାଖୀ ୮୦ କିଲୋମିଟର । ସେହି ୮୦ କିଲୋମିଟର ଶ୍ରୀକ୍ଷେତ୍ର ଅଭିମୁଖେ ବାହାରି ପଡିଛନ୍ତି କୁସୁନିଆଙ୍କ ପରିବାର । ମାନସିକ ପୂରଣ ପାଇଁ ଆଜକୁ ଦୀର୍ଘ ୮ ଦିନ ପୂର୍ବରୁ ବାହାରିଲେଣି ନିଜ ଗାଁରୁ । ସ୍ନାନ ପୂର୍ଣ୍ଣିମାରୁ ସେ ବାହାରିଲେଣି ଦଣ୍ଡ ମାରି ମାରି । ଆଗରେ ବଡ଼ ବାପା ନାରାୟଣ ମଲିକ କାନ୍ଧରେ ଜଗନ୍ନାଥଙ୍କ ପତାକା ଧରି ଯାଉଥିବା ବେଳେ ପଛେ ପଛେ କୁସୁନିଆ ମାରୁଛନ୍ତି ଦଣ୍ଡ । ସାଙ୍ଗରେ ଅଛନ୍ତି ମା ମଞ୍ଜୁଲତା ଓ ମାମୁଁ ପ୍ରମୋଦ ମଲିକ।
ଥକୁନି ମନ କି ହାରୁନି ପାଦ, ତୁଣ୍ଡରେ ସମସ୍ତଙ୍କର ଜଗନ୍ନାଥଙ୍କ ନାମ । ଖାଲି ପାଦରେ ପୁଅ ସାଙ୍ଗରେ ଯାଉଛନ୍ତି ପୁରା ପରିବାର ଶ୍ରୀକ୍ଷେତ୍ରରେ କରିବେ ଜଗନ୍ନାଥଙ୍କୁ ଦର୍ଶନ । ପୂରଣ କରିବେ ମାନସିକ ଜଗା ନିକଟରେ । ବର୍ଷା ଖରା ଦିନ ରାତି କାହାରିକୁ ଖାତିର ନକରି ପଛକୁ ନ ଚାହିଁ ଆଗେଇ ଚାଲିଛି କୁସୁନିଆଁ । ତୁଣ୍ଡରେ ଧରି ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ କରି ଆଗକୁ ଆଗକୁ ମାଡି ଚାଲିଛନ୍ତି । ପାଦ ଫୋଟକା ହୋଇଗଲାଣି ଆଣ୍ଠୁ ଫୁଲିଗଲାଣି ଏପଟେ କିନ୍ତୁ ଅଟକୁନାହିଁ ଦଣ୍ଡ ଜଗା ଦର୍ଶନ ପାଇଁ । ବର୍ତମାନ ୯ ଦିନ ଭିତରେ ୫୦ କିଲୋମିଟର ପୁରୀ ବଳଙ୍ଗା ମୁଖ୍ୟ ରାସ୍ତାରେ ପହଞ୍ଚିଥିବା ବେଳେ ଆହୁରି ୩୦ କିଲୋମିଟର ଯିବାକୁ ପଡିବ ଶ୍ରୀକ୍ଷେତ୍ର ଅଭିମୁଖେ । ସ୍ନାନ ଯାତ୍ରାରୁ ଆରମ୍ଭ ହୋଇଛି କୁସୁନିଆର ଦଣ୍ଡ ଯାତ୍ରା କେବେ ପହଂଜିବ ଶ୍ରୀକ୍ଷେତ୍ର ପୁରୀ କେବେ କରିବ କାଳିଆ ଦର୍ଶନ ଆଉ କେତେ ଦିନ ଲାଗିବ କେବଳ ସେଇ ଜଗନ୍ନାଥ ହିଁ କହିବେ ବୋଲି କହୁଛନ୍ତି ପରିବାର ।