ବାବା ଭୋଳାନାଥଙ୍କ ଉପରେ ହଜାର ହଜାର ବୋଲବମ ଭକ୍ତ କରୁଛନ୍ତି ଜଳଲାଗି

ଆରମ୍ଭ ହୋଇଯାଇଛି ଶ୍ରବଣ ମାସ, ପ୍ରଭୁ ଶିବ ଶଙ୍କରଙ୍କ ମାସ ହେଉଛି ଏହି ଶ୍ରାଵଣ ମାସ। ସେଥିପାଇଁ ତ କୁହାଯାଏ ଏହି ମାସକୁ କାର୍ତ୍ତିକ ମାସ ପରେ ଦ୍ଵିତୀୟ ପବିତ୍ର ମାସ ବୋଲି କୁହାଯାଏ। ବିଶ୍ୱାସ ରଖାଯାଏ ଯେ ଏହି ମାସରେ ପ୍ରଭୁ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ ଭକ୍ତଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ପୁଣି କେବଳ ଏହି ଶ୍ରାବଣ ମାସରେ ହିଁ ପ୍ରଭୁ ଭୋଳାନାଥଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ପାଣି ଢାଳି ପାରନ୍ତି ତାଙ୍କ ଭକ୍ତ।

ତେବେ ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ତେଣୁ ଆଜି ମଧ୍ୟ ରାଜ୍ୟର ଅନେକ ଶୈବ ପୀଠ ଲୋକାରଣ୍ୟ ହୋଇପଡିଛି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ ହଜାର ହଜାର ବୋଲବମ ଭକ୍ତ ଶ୍ରାବଣୀ ମହାଦେବଙ୍କୁ କରୁଛନ୍ତି ଜଲଲାଗି।

ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ବ୍ୟାରିକେଡ଼ରେ ଆସି ଲାଇନ ରେ ଛିଡା ହୋଇ ଜଲଲାଗି କରିଛନ୍ତି। ମନ୍ଦିର ପ୍ରଶାସନ ତରଫରୁ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ‘ବୋଲବମ ହର ହର ବମ ଭୋଳା ବାବା ପାର କରେଗା’ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଛି ସାରା ମନ୍ଦିର ପରିବେଶ। ରବିବାର ଠାରୁ ପୀଠରେ ଲାଗିଥିଲା ବୋଲବମ ଭକ୍ତଙ୍କ ଭିଡ। ଭକ୍ତମାନେ କାନ୍ଧରେ ଜଳଭାର ନେଇ ଚାଲି ଚାଲି ପୀଠକୁ ପ୍ରବେଶ କରିଥିଲେ। ରବିବାର ସଂନ୍ଧ୍ୟାରୁ ଭକ୍ତମାନେ ଜଲଲାଗି କରିଥିଲେ ଏଠାରେ। ଭିଡ ଅଧିକ ହେବାରୁ ଯିଏ ଯେଉଁଠି ପାରିଥିଲେ ମନ୍ଦିର ପରିସରରେ ଥିବା ଶିବଲିଙ୍ଗ ଉପରେ ଜଲଲାଗି କରିଥିଲେ। ପୋଲିସ ପ୍ରଶାସନ ତରଫରୁ ସମସ୍ତ ନଦିଘାଟ ଛକ ଓ ମନ୍ଦିର ଚାରିପାଖରେ ପୋଲିସ ମୁତୟନ କରାଯାଇଥିଲା କିନ୍ତୁ ଟ୍ରାଫିକ ସମସ୍ୟାକୁ ନେଇ ବହୁତ ହଇରାଣ ହୋଇଥିଲେ ଭକ୍ତ।

କେବଳ ଏହି ସ୍ଥାନରେ ନୁହେଁ ଘଟଗାଁ ସ୍ଥିତ ଥିବା ଶିବ ମନ୍ଦିରରେ ମଧ୍ୟ ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ କେନ୍ଦୁଝର ଜିଲ୍ଲା ଘଟଗାଁର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ ଦେଖିବାକୁ ମିଳିଛି। ବିଭିନ୍ନ ନଦୀରୁ କାଉଡ଼ିଆ ମାନେ ପାଣି ଉଠାଇ ଘଟକେଶ୍ୱର ଶିବ ମନ୍ଦିର, ବାଣେଶ୍ୱର ଶୈବ ପୀଠ ଓ ବରାହାଟିପୁରା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ କାଉଡ଼ିଆ ମାନେ ଲମ୍ବା ଲାଇନରେ ଜଳାଭିଷେକ କରିଛନ୍ତି। କରୋନା କଟକଣା ପାଇଁ ଦୁଇବର୍ଷ ପରେ କାଉଡ଼ିଆମାନେ ଜଳାଭିଷେକ କରିବାର ସୁଯୋଗ ପାଇଥିବାରୁ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି।

kaudi wala
picture credit – knewsodisha

ପୁଣି ଗଞ୍ଜାମ ଜିଲ୍ଲାର ସୋରଡା ଠାରେ ଥିବା ସବୁ ପୀଠରେ ମଧ୍ୟ ଶ୍ରାବଣ ମାସ ଆସିଲେ ବୋଲ ବମ ଭକ୍ତଙ୍କ ଜଳାଭିଶେଖ ଆରମ୍ଭ ହୋଇଥାଏ । ଏହି ମାସରେ ଭକ୍ତ ମାନେ ଶାକାହାରୀ ଭୋଜନ କରି ବିଭିନ୍ନ ନଦୀରୁ ପାଣି ଧରି ଆସି ଶିବଙ୍କ ମସ୍ତକରେ ପାଣି ଢାଳିଲେ ସବୁ ଦୁଖ ଦୂର ହେବା ସହିତ ମନସ୍କାମନା ପୂରଣ ହୋଇଥାଏ । ସୋରଡାର ପଂଚାନନ ପୀଠରେ ଭକ୍ତ ପାଣି ଢାଳି ପୂଣ୍ଯ ଅର୍ଜନ କରିଥାନ୍ତି । ଭୋରରୁ ସହ ସହ ଭକ୍ତଙ୍କ ମନ୍ଦିରରେ ଭିଡ ଲାଗିଥାଏ । ତେବେ ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବହୁ ଦୂର ଦୂରାନ୍ତରୁ ବୋଲ ବମ ଭକ୍ତ ବିଭିନ୍ନ ନଦୀରୁ ପାଣି ଧରି ମାଇଲ ମାଇଲ ରାସ୍ତା ଅତିକ୍ରମ କରି ଆଜି ସୋରଡାର ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ପଂଚାନନଙ୍କ ମସ୍ତକରେ ପାଣି ଢାଳି ପୂଣ୍ଯ ଅର୍ଜନ କରିଛନ୍ତି । ଏହି ଶୈବ ପୀଠ ବହୁ ପୁରାତନ । ଏହି ଦିନକୁ ଅପେକ୍ଷା କରିଥାନ୍ତି ଅନେକ ଭକ୍ତ।ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେତେବେଳେ ବନବାସ କରିଥିଲେ ସେହି ସମୟରେ ପୁଣ୍ଯତୋୟା ଋଷିକୁଲ୍ଯା ନଦୀ ତଟଦେଇ ଯାଇଥିଲେ । ପ୍ରତେକ ଦିନ ସକାଳ ସମୟରେ ରାମଚନ୍ଦ୍ର ପ୍ରଭୁ ଶିବଙ୍କୁ ଦର୍ଶନ କରୁଥିଲେ । ଏହି ସ୍ଥାନରେ ଶିବ ଦର୍ଶନ ପାଇ ଋଷିକୁଲ୍ଯା ନଦୀ ତଟରେ ବାଲୁକାରେ ପାଞ୍ଚ ଗୋଟି ଶିବ ଲିଙ୍ଗ ସ୍ଥାପନ କରି ପୂଜା କରିଥିଲେ ବୋଲି ରାମାୟଣରେ ବର୍ଣ୍ଣନା କରାଯାଇଛି।

ସେହି ସମୟରୁ ଭକ୍ତମାନେ ଏଠାରେ ପ୍ରଭୁ ପଂଚାନନଙ୍କୁ ଦର୍ଶନ କରି ଆସୁଛନ୍ତି । ଗଞ୍ଜାମ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତ ପାଣି ଧରି ଏଠାକୁ ଛୁଟି ଆସନ୍ତି । ଠାକୁରଙ୍କ ମସ୍ତକରେ ପାଣି ଢାଳି ମନସ୍କାମନା ପୂରଣ କରିଥାନ୍ତି। କିଛି ଭକ୍ତ ମନ୍ଦିର ବେଢାରେ ରୋଷେଇ କରି ପ୍ରସାଦ ସାରି ଘରକୁ ଫେରିଥାନ୍ତି । ଭକ୍ତ କୁହନ୍ତି ବହୁ ରାସ୍ତା ଅତିକ୍ରମ କରି ଆସିଲେ ମଧ୍ୟ କିଛି ବାଧା ସୃଷ୍ଟି ହୁଏ ନାହିଁ କି କଷ୍ଟ ଜଣା ପଡେ ନାହି । କିଛି ଭକ୍ତ ରାସ୍ତାରେ ନ ଆସି ଋଷିକୁଲ୍ଯା ନଦୀ ଭିତରେ ପାର ହୋଇ ଆସିଥାନ୍ତି ।

ତେବେ ଶ୍ରାବଣ ମାସର ଦ୍ଵିତୀୟ ସୋମବାରରେ ଚଳଚଞ୍ଚଳ ହୋଇପଡିଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶିବପୀଠ ରାଣୀପୁର ଝରିଆଲ । ସୋମେଶ୍ୱର ବାବାଙ୍କ ମନ୍ଦିରରେ ବୋଲବମ ଭକ୍ତଙ୍କ ସୁଅ ଛୁଟୁଛି । କାଉଡ଼ିଆମାନେ ପ୍ରଭୁଙ୍କ ନିକଟରେ ଜଳାଭିଷେକ କରିବା ପାଇଁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି । ରାତି ୨ ଟାରୁ ମନ୍ଦିର ଖୋଲିବା ପରେ ଭକ୍ତ ମାନେ ପ୍ରଭୁ ସୋମେଶ୍ୱର ବାବାଙ୍କ ଦର୍ଶନ କରିବା ସହ ଜଳାଭିଷେକ କରୁଛନ୍ତି । ଶ୍ରାବଣ ମାସ ସୋମବାର ଦିନ ସୋମେଶ୍ୱର ବାବାଙ୍କ ଉପରେ ଜଳାଭିଷେକ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ଅଛି । ତେଣୁ ଆଜି ଏହି ମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ କାଉଡ଼ିଆଙ୍କ ଭିଡ଼ ଜମିଛି ।

ଗତ ୨ ବର୍ଷ ହେବ କରୋନା ପାଇଁ ବୋଲବମ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ଥିବା ବଳେ ଚଳିତ ବର୍ଷ ଭକ୍ତଙ୍କ ବହୁତ ଭିଡ଼ ଦେଖିବାକୁ ମିଳିଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ,ଜିଲ୍ଲା ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଚି । କାଉଡ଼ିଆ ମାନେ କିପରି ଶୃଙ୍ଖଳିତ ଭାବେ ଜଳାଭିଷେକ କରିବେ ସେ ବ୍ୟବସ୍ଥା କରାଯାଇଛି । ତେବେ ଶ୍ରାବଣ ମାସ ଶେଷ ହେବା ପର୍ଯ୍ୟନ୍ତ ପ୍ରଭୁ ଶିବଙ୍କ ଉପରେ ଜଳାଭିଷେକ କରିବେ ସମସ୍ତ ଭକ୍ତ। ପ୍ରଭୁଙ୍କୁ ଜଳାଭିଷେକ କରିବା ଦ୍ଵାରା ଭକ୍ତମାନେ ରୋଗ ବ୍ୟାଧିରୁ ଦୂରେଇ ରୁହନ୍ତି ଓ ତାଙ୍କର ସବୁ କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ କରନ୍ତି ଭକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.