କିଏ ସୁଦୂର ମଧ୍ୟପ୍ରଦେଶରୁ ତ କିଏ ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି କରି ଆସୁଛନ୍ତି ଜଗା ପାଖକୁ

ପୁରୀ/କାମାକ୍ଷାନଗର: ପ୍ରଭୁ ହେ…ହୃଦୟରେ ଛବି ତୁମ ଦେଖି କରୁଅଛି ମୁଁ ନିବେଦନ, ସବୁଦିନ ଖୋଲା ରହୁ ତୁମ ସିଂହ ଦ୍ୱାର, ପ୍ରତି କ୍ଷଣେ ଦେଉଥାଅ ଦରଶନ । ହେ କାଳିଆ ସାଆନ୍ତ, ଜଗତର କଷ୍ଟ ସଂକଟ ହରି ନିଅ ପ୍ରଭୁ କାହିଁ କେତେ ଦୁରୁ ଚାଲି ଆସିଛି ମଁ ତୁମ ପାଖକୁ ………

ସେ ତ ଭକ୍ତିର ଠାକୁର । ସେ ତ ଭାବର ଠାକୁର । ଯିଏ ତାଙ୍କୁ ଯେଉଁ ରୂପରେ ଡ଼ାକେ ସେ ସେହି ରୂପରେ ଦର୍ଶନ ଦେଇଥାନ୍ତି । ଯିଏ ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ ସେ ତା ଦୁଃଖ,କଷ୍ଟ ଦୂର କରନ୍ତି ।  ସେ ତ ଭାବ ବିନୋଦିଆ ଠାକୁର ।  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କାହିଁ କେତେ ଆଡୁ କେତେ ଭକ୍ତ ପ୍ରତିଦିନ ଛୁଟି ଆସିଥାନ୍ତି ଶ୍ରୀକ୍ଷେତ୍ରକୁ । ଆଉ ମହାପ୍ରଭୁଙ୍କ ମୁଖ ଦର୍ଶନ କରୁ କରୁ ଆପେ ଆପେ ଅଶ୍ରୁ ରେ ଭିଜି ଯାଏ ସେମାନଙ୍କ ଆଖି ।

ଏହାରି ଭିତରେ ଗତ ଗୁରୁବାର ସଂଧ୍ୟାରେ ଏଭଳି କିଛି ଦୃଶ୍ୟ ନଜରକୁ ଆସିଥିଲା, ଯାହା ଭକ୍ତିର ଅସରନ୍ତି ଭାବକୁ ପରିପ୍ରକାଶ କରୁଥିଲା । ଭକ୍ତ ମାନଙ୍କ ଭିତରେ ଏମିତି କିଛି ଭିନ୍ନ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ଶ୍ରୀମନ୍ଦିର ନିକଟରେ । ଯାହାଙ୍କୁ ଦେଖି ସଭିଙ୍କ ଆଖି କିଛି ସମୟ ପାଇଁ ମନ୍ତ୍ରମୁଗ୍ଧ ହୋଇଯାଇଥିଲା ।

ଦେଖନ୍ତୁ ଏହି ନିଆରା ଭକ୍ତଙ୍କୁ । ଯେଉଁମାନେ ଦଣ୍ଡ ପ୍ରଣାମ କରି କରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରିଥିଲେ । ଏହି ୩ ଜଣ ଭକ୍ତ ସୁଦୂର ମଧ୍ୟପ୍ରଦେଶରୁ ଆସିଥିଲେ । ସାଧାରଣତଃ ଗୋ ହତ୍ୟା, ପାପ ମୁକ୍ତି ସହ ବିଭିନ୍ନ ପାପ ମୁକ୍ତି ତଥା ମନୋସ୍କାମନା ପୂରଣ ପାଇଁ ଏହି ଭକ୍ତ ମାନେ ବଡ଼ଦାଣ୍ଡରେ ଦଣ୍ଡ ପ୍ରଣାମ କରି ପଞ୍ଚ ତୀର୍ଥ ପୁଷ୍କରିଣୀରେ ସ୍ନାନ ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତେବେ ମଧ୍ୟପ୍ରଦେଶରୁ ଆସି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଏଭଳି ଦଣ୍ଡ ପ୍ରଣାମ କରଉଥିବାର ସମୟର ଭିଜୁଆଲ୍ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି   ।

ଏପଟେ ଗତ ୨୫ତାରିଖ ଦିନ ଦେଖିବାକୁ ମିଳିଥିଲା ଏହି ପରି ଜଣେ ଭକ୍ତଙ୍କୁ । ଗତ ୧୯ ମାସ ଧରି ରାସ୍ତାରେ ଅଧିଆ ପଡି ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ଜଣେ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା । ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ମାନସିକ କରି ଧାଇଁ ଆସିଥିଲେ ସୁଦୂର ରାଜସ୍ଥାନର ସବାଇ ମାଧପୁରରୁ । ଅନେକ ରାଜ୍ୟ ଓ ଜିଲ୍ଲା ଅତିକ୍ରମ କରି ସେ ଯେତେବେଳେ ପହଞ୍ଚିଥିଲେ କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ବ୍ଲକର ବାରିହାପୁର ଠାରେ ସେଠାକାର ଏହି ଭିଜୁଆଲ୍ ଆମ ପ୍ରତିନିଧି କଏକ କରିଥିଲେ । ରାସ୍ତାରେ ଦଣ୍ଡବତ କରି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମାନସିକ ରଖିଛନ୍ତି ରାଜସ୍ଥାନର ହରି ସିଂ ମାଲି। ଆଉ ସେଥିପାଇଁ ଆଜିକୁ ୧୯ ମାସ ହେବ ରାସ୍ତାରେ ଦଣ୍ଡବତ କରି ଧାଇଁ ଆସିଛନ୍ତି ପୁରୀ ଶ୍ରୀକ୍ଷେତ୍ର କୁ ମହାପ୍ରଭୁଙ୍କ ଦର୍ଶନ କରିବାପାଇଁ ।

ବିଶ୍ଵନିଅନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଅପାର । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପିଲାଠୁ ବୟସ୍କ ସମସ୍ତଙ୍କ ଭିତରେ ଜଗାକୁ ଟିକେ ଦେଖିବା ପାଇଁ ଥାଏ ଅସୀମ ଆଗ୍ରହ । କିଏ ଅଭାବରେ ହେଉ କିମ୍ବା କିଏ ବର୍ଣ୍ଣାଢ଼୍ୟ ଢଙ୍ଗରେ ହେଉ, ଭକ୍ତିର ସହ ଯିଏ ଯେଉଁଠି ଡାକିଥାଏ ସେଇଠି ମିଳିଥାଏ ମହାପ୍ରଭୁଙ୍କ ଅପାର କରୁଣା ।

 

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।