ମଣିଷ ଉପରେ ଚଢ଼ିଗଲେ ମଣିଷ, ଲୈରାଇ ଦେବୀ ମନ୍ଦିରରେ ଦଳାଚକଟାରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ

ହଠାତ ଅସମ୍ଭାଳ ହୋଇ ଉଠିଲା ଗୋଆର ଉତ୍ତର ଜିଲ୍ଲାର ଶିରଗାଓଁ ଗାଁରେ ଥିବା ଶ୍ରୀ ଲୈରାଇ ଦେବୀ ମନ୍ଦିରର । ମଣିଷ ଉପରେ ଚଢ଼ିଗଲେ ମଣିଷ । ଧାଁ ଧୌଡ଼ରେ କେହି କାହାକୁ ମାନିଲେନି । ସ୍ଥିତି ନିୟନ୍ତ୍ରଣ ପାଇଁ ନଥିଲା କୌଣସି ସୁରକ୍ଷା ବ୍ୟବସ୍ଥା । ଆଉ ଚାହୁଁ ଚାହୁଁ ଭିଡ଼ରେ ୭ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲା । ଗୋଆର ଶିରଗାଓଁ ଗାଁରେ ଲୈରାଇ ଦେବୀ ମନ୍ଦିରର ବାର୍ଷିକ ଉତ୍ସବ ଚାଲିଥିବା ସମୟରେ ଘଟିଛି ଏଭଳି ଅଘଟଣ । ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହଠାତ ବଢ଼ିବାକୁ ଲାଗିଲା । ଆଉ ଭିଡ଼ ଏତେ ବଢ଼ିଗଲା ଯେ ଦଳଚକଟା ସ୍ଥିତି ଉପୁଜିଥିଲା । ଏହି ଦଳାଚକଟାରେ ଅତି କମରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ରୁ ଶ୍ରଦ୍ଧାଳୁ ଆହତ ହୋଇଥିଲେ । କୁହାଯାଉଛି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ । ଦଳାଚକଟା ସମୟରେ ମନ୍ଦିର ପରିସରରେ ହଜାର ହଜାର ଭକ୍ତ ଉପସ୍ଥିତ ଥିଲେ । ସୁରକ୍ଷା ବ୍ୟବସ୍ଥା ସଠିକ ନଥିବାରୁ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଇଥିଲା ଫଳରେ ଏମିତି ଅଘଟଣ ଘଟିଛି ।

ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି ଯେ ଭିଡ଼ ହଠାତ ଅନିୟନ୍ତ୍ରିତ ହୋଇଗଲା ଏବଂ ମଣିଷ ଉପରେ ମଣିଷ ଚଢ଼ିବାକୁ ଗଲେ । ଭିଡ଼ ଭିତରୁ ନିଜକୁ ବଞ୍ଚାଇବାକୁ ଯାଇ ଲୋକମାନେ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ । ଯାହା ଫଳରେ ଅନେକ ଭକ୍ତଙ୍କ ପାଦ ତଳେ କିଛି ଲୋକ ଫସି ଯାଇଥିଲେ । ଲୋକମାନେ ପରସ୍ପର ଉପରେ ପଡ଼ିଗଲେ ଏବଂ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେଲା । ଏହି ଦଳାଚକଟାରେ ଅନେକ ବୃଦ୍ଧବୃଦ୍ଧା ତଥା ମହିଳାମାନେ ଚାପି ହୋଇଗଲେ । କିଛି ଲୋକ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଗୋଆ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ଆଉ କିଛି ଆହତଙ୍କୁ ଉତ୍ତର ଗୋଆ ମାପୁସା ସ୍ଥିତ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଛି । ଉତ୍ତର ଗୋଆ ଏସପି କହିଛନ୍ତି ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି କିନ୍ତୁ ସତର୍କତାମୂଳକ ପଦକ୍ଷେପ ପାଇଁ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ନିୟୋଜିତ ଅଛନ୍ତି ।

ତେବେ ଏହି ଦୁର୍ଘଟଣାର କାରଣକୁ ନେଇ କୌଣସି ସରକାରୀ ସ୍ପଷ୍ଟୀକରଣ ହୋଇନାହିଁ । କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମନ୍ଦିରରେ ପ୍ରବଳ ଭିଡ଼ ଥିବା ସତ୍ତ୍ବେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିଲା । ତେଣୁ ଏପରି ଅଘଟଣ ଘଟିଲା । ତେବେ ପ୍ରଶାସନ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

କହି ରଖୁଛୁ ଲୈରାଇ ଦେବୀ ମନ୍ଦିର ଯାତ୍ରା ଗୋଆର ବିଚୋଲିମ ତାଲୁକାସ୍ଥିତ ଶିରଗାଓଁ ଗାଁରେ ପ୍ରତିବର୍ଷ ଚୈତ୍ର ମାସରେ ପାଳିତ ହେଉଥିବା ଏକ ପ୍ରମୁଖ ଧାର୍ମିକ ଉତ୍ସବ । ଏହି ଯାତ୍ରାରେ ଯୋଗ ଦେବା ପାଇଁ ପ୍ରତିବର୍ଷ ହଜାର ହଜାର ଭକ୍ତ ଯୋଗ ଦିଅନ୍ତି । ଏହି ଯାତ୍ରାର ଖାସ୍ ପରମ୍ପରା ହେଉଛି ନିଆଁ ଉପରେ ଖାଲି ପାଦରେ ଚାଲିବା, ଯାହାକୁ ଭକ୍ତମାନେ ସେମାନଙ୍କର ବିଶ୍ୱାସର ପରୀକ୍ଷା ବୋଲି ମାନିଥାନ୍ତି ।

Also Read: ଦିଲ୍ଲୀ ଦଳଚକଟା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା