କୁହାଯାଏ ପୂଣ୍ୟତୋୟା ବୈତରଣୀ ଗଙ୍ଗା ଠାରୁ ୧୨ ବର୍ଷ ବଡ଼, ଏଥିପାଇଁ ଅତି ପବିତ୍ର ଏହି ନଦୀ

ବିଶ୍ୱାସ ରହିଛି ପୂଣ୍ୟତୋୟା ବୈତରଣୀ ଗଙ୍ଗା ନଦୀଠାରୁ ୧୨ ବର୍ଷ ବଡ଼ । ବାରୁଣୀ ସ୍ନାନ ଯୋଗ ପଡ଼ିଲେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ତେଣୁ ଆଜି ଏଠାରେ ସ୍ନାନ କରିବା ସହିତ ବୁଡ଼ ପକାଇଛନ୍ତି ୫୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଏହି ଦିନରେ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଚଳିତ ବର୍ଷ ବାରୁଣୀ ସ୍ନାନ କରିବାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ପବିତ୍ର ସ୍ନାନ କରି ବୁଡ଼ ପକାଇବା ପରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ।

ଶାସ୍ତ୍ରୀୟ ମତ ଅନୁସାରେ ବୈତରଣୀରେ ଯୋଗସ୍ନାନ, ପିଣ୍ଡଦାନ ଓ ଗୋଦାନ ପ୍ରଭୃତି କରାଯାଇଥାଏ । ଗଙ୍ଗାନଦୀ ପରି ଏହି ନଦୀରେ ପ୍ରତିବର୍ଷ ଚୈତ୍ର ମାସ ତ୍ରୟୋଦଶୀ ତିଥି ଶତଭିସା ନକ୍ଷତ୍ର ତିଥିରେ ପବିତ୍ର ଯୋଗସ୍ନାନ କରାଯାଏ । ଏହି ଅବସରରେ ଧର୍ମ ଜାଗରଣ ସମନ୍ଵୟ ବିଭାଗ ଓ ଭାଗବତ ପ୍ରଚାର ସମିତି ପକ୍ଷରୁ ସଂକୀର୍ତ୍ତନ ସହ ବୈତରଣୀ ଆଳତି କରାଯାଇଥିଲା । ସେଥିପାଇଁ ନଦୀର ଉଭୟ ପାର୍ଶ୍ଵରେ ବିଶେଷ ଭିଡ ଜମିଥିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ଗତକାଲି ରାତ୍ର ୧୧ଟା ୪୮ମିନିଟରୁ ଆଜି ୮ଟା ୧୨ମିନିଟ ପର୍ଯ୍ୟନ୍ତ ଏହି ସ୍ନାନଯୋଗ ଓ ବୁଡ଼ଯୋଗ ରହିଥିଲା ।

ଏଥିପାଇଁ ଶ୍ରଦ୍ଧାଳୁଙ୍କ ସମେତ ଭିଭିନ୍ନ ସାଧୁ ସନ୍ଥ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏଥିସକାଶେ ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୌରପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନଦୀରେ ଅଘଟଣକୁ ଏଡ଼ାଇବା ପାଇଁ ଓଡରାଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବା ସହ ଟ୍ରାଫିକ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ଗାଡି ମଟର ଯାଞ୍ଚ କରାଯିବା ସହିତ ପକେଟ ମାର ଓ ମଦ୍ୟପଙ୍କୁ ଧରିବା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ ହୋଇଛନ୍ତି ।

ପ୍ରଚଣ୍ଡ ରୌଦ୍ରତାପ ପାଇଁ ବିଭିନ୍ନ ସ୍ଥାନରେ ପୌରପାଳିକା ପକ୍ଷରୁ ଜଳଛତ୍ର ମାନ ଖୋଲାଯାଇଛି। ସ୍କାଉଟ ଗାଇଡ, ସତ୍ୟ ସାଇ ସେବା ସମେତ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଖାଦ୍ୟ ଓ ଦହି ପାଣି ବଣ୍ଟନ ଠାରୁ ଆରମ୍ଭ କରି ବିଭିନ୍ନ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ବାରୁଣୀ ସ୍ନାନ ପାଇଁ ଆସିଥିବା ଅଗଣିତ ଶ୍ରଦ୍ଦାଳୁ ସ୍ନାନ ସାରିବା ପରେ ମା ବିରଜା, ଜଗନ୍ନାଥ ମନ୍ଦିର, ବରାହ, ଯମ ମା ସାତ ଭଉଣୀ, ଶନି ମନ୍ଦିରରେ ଦର୍ଶନ କରି ପ୍ରଭୁଙ୍କ କୃପା ଭିକ୍ଷା କରିଛନ୍ତି ।

Also read: “ବିଶ୍ବ ନାଟ୍ୟ ଦିବସ”; ନୂଆ ନୂଆ ମଞ୍ଚ କଳାକାର ସୃଷ୍ଟି କରିବାରେ ମାଧ୍ୟମ ପାଲଟିଛି ଦଣ୍ଡ ପରମ୍ପରା