ପୁଅର ଅନଲାଇନ ପାଠପଢା ପାଇଁ ନିଜର ଏକମାତ୍ର ସମ୍ବଳକୁ ବିକିଦେଲେ ବାପା, କିଣିଲେ ସ୍ମାର୍ଟଫୋନ

ଦୁନିଆରେ ସବୁ ମିଛ ଗୋଟିଏ ସତ, ବାପା ମାଆ । ଏମାନଙ୍କ ଭଳି କେହି ହେବେନି । ପିଲାଙ୍କ ଅନଲାଇନକ୍ଲାସ ପାଇଁ ମୋବାଇଲ କିଣିବାକୁ ନିଜର ଏକମାତ୍ର ରୋଜଗାର ପନ୍ଥା ଗାଈଟିକୁ ବିକ୍ରି କରିଦେଲେ ମାତା ପିତା । ୟା ଠୁ ବଡ଼ ଉଦାହରଣ କଣ ହେଇପାରେ?

ଯିଏ ଖଟୁଛି , ଯିଏ ଦରିଦ୍ର ଅବସ୍ଥା ଭୋଗୁଛି ସିଏ ଜାଣିଛି ଏଇ ଜୀବନ ବଞ୍ଚିବା କେତେ କଷ୍ଟକର । ଏଭଳି ବାପା ମାଆ ପିଲାଙ୍କ ପାଇଁ କଣ ସ୍ୱପ୍ନ ଦେଖନ୍ତି ଜାଣିଛନ୍ତି ? ପିଲା ବଡହୋଇ ଏଭଳି ଅବସ୍ଥା ନଭୋଗୁ । ପ୍ରତ୍ୟେକ ମାଆ ବାପା ଚାହାଁନ୍ତି ପିଲା ଭଲ ପାଠ ପଢୁ ଭଲ ମଣିଷ ଟିଏ ହେଉ, ସଭ୍ୟ ସମାଜରେ ମୁଣ୍ଡଟେକି ଚାଲୁ । ଆଉ ଏସବୁ ପାଇଁ ଆବଶ୍ୟକ ଶିକ୍ଷା । ଅନେକ ମାତା ପିତା ପିଲାଙ୍କ ପାଠ ପାଇଁ ନିଜର ସବୁକିଛି ହରାଇ ଦେଇଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ହିମାଚଳପ୍ରଦେଶ କାଂଗଡ଼ା ଜିଲ୍ଲାର ଜ୍ୱାଳାମୁଖୀ ସହର ଗୁମେର ଗାଁରେ । କୁଲଦୀପ ନାମକ ଜଣେ ବ୍ୟକ୍ତି ପୁଅର ପାଠ ପଢା ପାଇଁ ନିଜ ରୋଜଗାରର ଏକମାତ୍ର ମାଧ୍ୟମ ଘରେ ଥିବା ଗାଈ ବିକି ଦେଲେ ।

cow

କରୋନା ମହାମାରୀ ପାଇଁ ସ୍କୁଲ ସବୁ ବନ୍ଦ ରହିଛି। ତେଣୁ କୁଲଦୀପଙ୍କୁ ଚିନ୍ତା ଥିଲା ଦୁଇ ପୁଅ ଝିଅଙ୍କ ପାଠପଢ଼ା ଯେମିତି ବନ୍ଦ ନହେଉ । ସେ ନିଜେ ସ୍କୁଲ ଯାଇ ବୁଝିଲେ ଲକ୍ଡାଉନ୍ରେ ପିଲା ପାଠ ପଢିବେ କେମିତି । ସ୍କୁଲ ପ୍ରଶାସନ କହିଲା ଏଣିକି ଅନ ଲାଇନ ପାଠ ପଢ଼ାଯିବ । ସେଥିପାଇଁ ଦରକାର ଏକ ସ୍ମାର୍ଟ ଫୋନ । କୁଲଦୀପ ପଚାରି ବୁଝିଲେ ଏଇ ଫୋନ କେତେ ଟଙ୍କାରେ ମିଳିବ ? ସ୍କୁଲରେ କହିଲେ ୫ ରୁ ୭ ହଜାର ଟଙ୍କାରେ ସ୍ମାର୍ଟଫୋନ ଆସିଯିବ। ବାପା କୁଲଦୀପ ଚିନ୍ତାରେ ପଡ଼ିଗଲେ । କାରଣ ଫୋନ୍ ଦାମ୍ ୫ ଶହ ନୁହେଁ ୫ ହଜାର । ଏତେ ଟଙ୍କାର ମୁଣ୍ଡ ନୁହେଁ ମୋର…ମୁଁ ୫ ହଜାର କୋଉଠୁ ଆଣିବି ?

22

କୁଲଦୀପ ଅନେକ ଦିନ ଧରି ରୋଗରେ ଘାଣ୍ଟି ହେଉଛନ୍ତି। ବିଶେଷ ଚଲା ବୁଲା କରି ପାରନ୍ତିନି । ସେଥିପାଇଁ ନିଜ ପେଟ ପୋଷିବାକୁ ଘରେ ଗାଈଟିଏ ରଖିଥିଲେ । ତାରି କ୍ଷୀର ବିକି ଗୁଜୁରାଣ ମେଣ୍ଟାଉ ଥିଲେ । ସବୁ ଚିନ୍ତା ଛାଡ଼ି କୁଲଦୀପ ଚାଲିଲେ ବ୍ୟାଙ୍କ । ୬ ହଜାର ଟଙ୍କା ଲୋନ୍ ମାଗିଲେ ପୁଅର ସ୍ମାର୍ଟ ଫୋନ୍ କିଣିବାକୁ । ବ୍ୟାଙ୍କ କର୍ତ୍ତୃପକ୍ଷ ଲୋନ ଦେବାକୁ ମନା କଲେ। କୁଲଦୀପଙ୍କ ଘର କହିଲେ ସେହି ଛୋଟ ଗୁହାଳ… ସେଇଠି ଗାଈ ଓ ନିଜ ପରିବାରଙ୍କୁ ନେଇ ଚଳନ୍ତି । କୁଲଦୀପ ଅପେକ୍ଷା କଲେ ଲକଡାଉନ ପରେ ସ୍କୁଲ ଖୋଲିଲେ ପୁଅ ଅଧିକ ପରିଶ୍ରମ କରି ପାଠ ଧରିଦେଵ । ହେଲେ ୫ ମାସ ବିତିଗଲା ତଥାପି ଲକଡାଉନ ସରୁନି କି ସ୍କୁଲ ଆଗାମୀ ଦିନରେ ଖୋଲିବାର ନାହିଁ ।

ଏପଟେ ଚତୁର୍ଥ ଶ୍ରେଣୀର ଝିଅ ଅନୁ ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ପୁଅ ବଂଶ ପାଠ ପଢି ପାରୁ ନାହାନ୍ତି। ସେ ବହୁ ଚିନ୍ତା କଲେ ଆଉ ଶେଷରେ ଦୁଇ ପିଲାଙ୍କ ପାଠପଢ଼ା ପାଇଁ ଗାଈକୁ ୬ ହଜାର ଟଙ୍କାରେ ବିକି ଦେଲେ । ସେଇ ପଇସାରେ ଏକ ସ୍ମାର୍ଟଫୋନ ଆଣିଲେ । ଏହି ସ୍ମାର୍ଟଫୋନ ପିଲା ଅନଲାଇନରେ ପାଠ ପଢୁଛନ୍ତି। ହେଲେ ଏବେ କୁଲଦୀପଙ୍କୁ ଘାରିଛି ଏକାସାଙ୍ଗରେ କେମିତି ପରିବାର ଚଳାଇବେ ଓ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ । ଅନୁସୂଚୀତ ଜାତିର ହୋଇଥିଲେ ମଧ୍ୟ କୁଲଦୀପଙ୍କର ବିପିଏଲ୍ କାର୍ଡ଼ଟିଏ ବି ନାହିଁ ।

online

ଏହି ଘଟଣା ଏକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଥିଲା । ସେହି ଖବରକୁ ଜଣେ ବ୍ୟକ୍ତି ଟ୍ୱିଟର ପେଜରେ ଯୋଡ଼ି ଦେଇଥିଲେ । ଗରିବଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦ୍ଙ୍କର ନଜର ପଡିଲା ଏହି ଟ୍ୱିଟ ଉପରେ । ସେ ରିଟ୍ୱିଟ କଲେ \”ଚାଲନ୍ତୁ ଏହି ଭାଇଙ୍କୁ ତାଙ୍କ ଗାଈ ଫେରାଇ ଦେବା । କେହି ଭାଈ କୁଲଦୀପଙ୍କ ପର୍ଯ୍ୟନ୍ତ ପହଞ୍ଚିବାରେ ମୋତେ ସାହାଯ୍ୟ କରିବ ? ପ୍ରଥମେ ଖବରକୁ ଟ୍ୱିଟ କରିଥିବା ବ୍ୟକ୍ତି କୁଲଦୀପଙ୍କ ସମ୍ପୂର୍ଣ୍ଣ ଠିକଣା ଟ୍ୱିଟରେ ପୋଷ୍ଟ କଲେ । ତା ପରେ ସୋନୁ ସୁଦ୍ କୁଲଦୀପଙ୍କୁ ସହାୟତା କରି ତାଙ୍କ ଗାଈ ଫେରାଇବାର ଦାୟୀତ୍ୱ ନେଇଛନ୍ତି ।

ସତରେ ଏସବୁ କଥାରୁ ଲାଗୁନି, ଅରକ୍ଷିତକୁ ଦଇବ ସାହା । ଯଦି ଆପଣଙ୍କ ଭିତରେ ସତ୍ ଇଚ୍ଛା ଅଛି ତେବେ ଆପେ ଆପେ ଆପଣଙ୍କ ନିକଟକୁ ସହଯୋଗ ଓ ସହାୟତାର ହାତ ବଢ଼ି ଆସିବ । କେବଳ ସୋନୁ ନୁହନ୍ତି, ପ୍ରଶାସନ ମଧ୍ୟ କୁଲଦୀପଙ୍କୁ ଆବାସ ଯୋଗାଇ ଦେବା ସହିତ ଅନ୍ୟାନ୍ୟ ସାହାଯ୍ୟ କରିବ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.