ଦିବ୍ୟାଙ୍ଗ ଆଦିତ୍ୟଙ୍କୁ କେବେ ମିଳିବ ସରକାରୀ ସହାୟତା, ଜାରି ରହିଛି ମାଆ ମିଲିଙ୍କ ସଂଘର୍ଷ
ଉଦଳା: ଛାତିକୁ ପଥର କରି ସଂଘର୍ଷ କରୁଥିବା ଏଇ ମାଆଟିର ଦୁଃଖ କେତେ ଆପଣ ଆଖିରେ ନଦେଖିଲେ ଅନୁଭବ କରିପାରିବେନି । ମାଆର ଭୂମିକା ସବୁଠୁ ଆଗରେ । ସନ୍ତାନ ପାଇଁ ମାଆ କେତେ ବ୍ରତ ଓ ମାନସିକ କରିଥାଏ । ତେବେ ଏତେ ପୂଜା ପାଠ କରି ଯଦି ତା ପୁଅଟି ଦିବ୍ୟାଙ୍ଗ ହୋଇ ଜନ୍ମ ନିଏ, ସେ କଣ ବା କରିପାରିବ । ନିଜ ପୁଅ ବା ସେ କେମିତି ତାକୁ ଅଣଦେଖା କରିପାରିବ । ଯେତେ କଷ୍ଟ ଆସୁ ପଛେ ସେ ସବୁକୁ ସାମ୍ନା କରିବାକୁ ସେ ଆଗେଇ ଆସିବ । ତେବେ ଏଇ ମାଆଟି ସିନା କଷ୍ଟେ ମଷ୍ଟେ ପେଟକୁ ଦିମୁଠା ଖାଇବା ଯୋଗାଡ କରିଦେଉଛି, ହେଲେ ଦିବ୍ୟାଙ୍ଗ ପୁଅର ଚିକିତ୍ସା ପାଇଁ ତା ପାଖରେ ଅର୍ଥ ସାଜିଛି ବାଧକ ।
ମୟୁରଭଞ୍ଜ ଜିଲ୍ଲା ଉଦଳା ଏନ୍ଏସି ୪ ନମ୍ବର ୱାର୍ଡର ଏ ହେଉଛନ୍ତି ମିଲି ସିଂ । ମିଲିଙ୍କର ୮ବର୍ଷର ଝିଅ ଓ ୬ବର୍ଷର ଦିବ୍ୟାଙ୍ଗ ପୁଅକୁ ନେଇ ସଂସାର । ୧୦ବର୍ଷ ପୂର୍ବରୁ ଖୁଣ୍ଟା ଅଞ୍ଚଳରେ ତାଙ୍କର ବାହାଘର ହୋଇଥିବାବେଳେ ୪ବର୍ଷ ହେବ ସ୍ଵାମୀ ହାତ ଛାଡ଼ି ଦେଇଥିବାରୁ ସେ ଏବେ ନିରାଶ୍ରୟ । ପରିବାର ପ୍ରତିପୋଷଣ ପାଇଁ ପର ଘରେ କାମ କରୁଛନ୍ତି ମିଲି । ଘର ଖଣ୍ଡିଏ ନଥିବାରୁ ଜଣେ ସହୃଦୟ ବ୍ୟକ୍ତିଙ୍କ ଘରେ ରହୁଛନ୍ତି ।
ତେବେ ୬ବର୍ଷର ଦିବ୍ୟାଙ୍ଗ ପୁଅ ଆଦିତ୍ୟ ସିଂ । ନା ନିଜ ଗୋଡରେ ଠିଆ ହୋଇପାରୁଛି ନା ନିଜ କାମ ନିଜେ କରିପାରୁଛି । ଦିବ୍ୟାଙ୍ଗ ପୁଅର ଚିକିତ୍ସା କରିବା ମାଆ ମିଲିଙ୍କ ପକ୍ଷେ ଅସମ୍ଭବ । କେମିତି ଆଗକୁ ପୁଅ ଓ ଝିଅ କୁ ନେଇ ବଞ୍ଚିବେ ତାଙ୍କୁ ଏବେ ଚିନ୍ତା ଘାରିଛି । ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବାବେଳେ ଦିବ୍ୟାଙ୍ଗ ପୁଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏପଟେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ପୁଅ ଭତ୍ତା ପାଇବାରୁ ବଞ୍ଚିତ ।
ସତରେ ମାଆ ର ସ୍ନେହ ମମତା ଅମୂଲ ମୂଲ । ସେଥିପାଇଁ ପୁଅ ଦିବ୍ୟାଙ୍ଗ ହେଲେ ମଧ୍ୟ କେବେବି ଭଲ ପାଇବାରେ ଉଣା କରିନାହାନ୍ତି ମିଲି । ପୁଅ ଆଦିତ୍ୟଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ବଡ଼ ଝିଅ ଠାରୁ ସେ ତାକୁ ଅଧିକ ଭଲ ପାଆନ୍ତି । ସେଥିପାଇଁ ମିଲି ପୁଅ ଆଦିତ୍ୟଙ୍କ ପାଇଁ ସବୁକିଛି ଉତ୍ସର୍ଗ କରିଚାଲିଛନ୍ତି । ମନରେ ଦୁଃଖ ଥିଲେ ମଧ୍ୟ ଆଖିର ଲୁହକୁ ଚାପି ରଖି ପୁଅ ପ୍ରତି ସ୍ନେହ ମମତା ଅଜାଡି ଦେଇଥାନ୍ତି । ତେବେ ଏହି ପରିବାରର ସମସ୍ୟା ସମ୍ପର୍କରେରେ ଉଦଳା ଏନ୍ଏସି ଅଧ୍ୟକ୍ଷାଙ୍କୁ ପଚାରିବାରୁ ସେ ନିଜେ ଉକ୍ତ ପରିବାରକୁ ଯାଇ ସବୁ ଅନୁଧ୍ୟାନ କରିବା ସହ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ତେବେ ଯଦି କେହି ବଦାନ୍ୟ ବ୍ୟକ୍ତି କିମ୍ବା ସରକାର ଏହି ପରିବାରକୁ ସହାୟତାର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରିବା ସହ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ରାଶି ପଠାଇ ପାରିବେ ।
ଠିକଣା
ନାମ _ ଆଦିତ୍ୟ ସିଂ
ମାଆ _ ମିଲି ସିଂ (ଆଦିତ୍ୟଙ୍କ ମାଆ)
ୱାର୍ଡ଼ ନମ୍ବର _ ୪
ଏନ୍ଏସି _ ଉଦଳା
ଥାନା _ ଉଦଳା
ପୋଷ୍ଟ _ ଉଦଳା
ଜିଲ୍ଲା _ ମୟୁରଭଞ୍ଜ
ପିନ୍ _ 757041
ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ( CANARA BANK) : 110201338902