କଣ୍ଟାମାଳ: ଚାରିପାଖେ ସବୁଜିମାର ବିସ୍ତୀର୍ଣ୍ଣ ଓଢଣୀ, ଆଉ ଉପରେ ନୀଳ ଆକାଶ । ପର୍ବତର ପାଦଦେଶରେ ପାହାଡ଼କୁ କାଟି ସୂର୍ଯ୍ୟର ସୁନେଲି କିରଣ, ମହାନଦୀର କୁଳୁକୁଳୁ ନାଦ, ଆଉ ନିରୋଳା ପରିବେଶ ଓ ପ୍ରାକୃତିକ ବିଭବକୁ ନେଇ ଆନମନା ହେଉଛି ପ୍ରକୃତିପ୍ରେମୀ । କେଉଁଠି ସୁନୀଳ ତ ଆଉ କେଉଁଠି ସ୍ୱଚ୍ଛ ଶାନ୍ତ ବକ୍ଷରାଜି ମହାନଦୀର ସୌନ୍ଦର୍ଯ୍ୟ ଜଳରାଶିକୁ ଦ୍ୱିଗୁଣିତ କରୁଛି । ପାହାଡ଼ ଶିଖରରେ ରହିଛି ବନ ବିଭାଗପକ୍ଷରୁ ଏକ ସୁନ୍ଦରିଆ ୱାଚ ଟାୱାର । ଏହି ଉପରକୁ ଯାଇ ଦେଖିଲେ ନିଜକୁ ପାହାଡିଆ ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ମନୋରମ ସୃଷ୍ଟି କରୁଛି ।
ଅଶାନ୍ତ ମନକୁ ଲଗାମ ଦେବାପାଇଁ ମଣିଷକୁ ଟିକିଏ ଫୁରସତ ମିଳିଲେ ଖୋଲା ଆକାଶ ଆଉ ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ପାଇଁ ଚାହିଁଥାଏ । ଆଉ ସେହି ସ୍ଥାନଟି ହେଉଛି ବୌଦ୍ଧ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଡମ୍ବୁରୁଗଡ଼ ପାହାଡ଼ । ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବୌଦ୍ଧ ବନ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି ପାର୍କ ଏବଂ ଶୀତ ତାପ ନିୟନ୍ତ୍ରିତ ପାଞ୍ଚଗୋଟି କଟେଜ ରହିଛି । ଏହି ସ୍ଥାନରେ ପରିବାର ସହ ଆସି ରାତି ବିତାଇ ପାରିବେ । ଏହାର ପାଦଦେଶରେ ସ୍ଵର୍ଗତ ଗିରିବର ଦାସଙ୍କ ମଠ ମନ୍ଦିର ବି ରହିଛି ।
ଅସ୍ତଗାମୀ ସୂର୍ଯ୍ୟର ସୁନେଲି କିରଣ ଦେଉଛି ଭିନ୍ନ ଏକ ଅନୁଭବ । ପ୍ରକୃତିର ଏତେ ସବୁ ବିଭବକୁ ଛାତିରେ ଧରି ପ୍ରକୃତି ପ୍ରେମୀକୁ ଶୀତଋତୁ ହେଲେ ହାତଠାରି ଡାକୁଛି ଡମ୍ବୁରୁଗଡ଼ । ଯିଏ ଥରଟିଏ ଏଠାକୁ ଆସିବ ନିଶ୍ଚୟ ଘଡ଼ିଏ ଅଟକି ଯିବ। ଉଭୟ ପର୍ଯ୍ୟଟନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ ଜଣାଶୁଣା ଏହି ଡ଼ମ୍ଭୁରୁଗଡ଼ । ଏହା ପାଖରେ କୁଳୁକୁଳୁ ନାଦରେ ବହିଯାଉଛି ମହାନଦୀ ନଦୀର ପାଣି । ଚାରିପଟୁ ସବୁଜ ବନାନୀ ଭିତରେ ପୁଣି ରହିଛି ସୁନ୍ଦରୀଆ ପରିବେଶ । ତା ସହିତ ଗିରିବର ଦାସ ବାବାଙ୍କ ପ୍ରାଚୀନପୀଠ । ଯିଏ ବି ଦେଖିବ ଘଡ଼ିଏ ଅଟକି ଯିବ ଏହି ମନଲୋଭା ପ୍ରାକୃତିକ ପରିବେଶ ଭିତରେ ।
ଏବେ ଶୀତଦିନେ ପିକନିକ କରିବା ପାଇଁ ବେଶ ମନୋରମ ସ୍ଥାନ ପାଲଟିଛି ଐତିହାସିକ ଡମ୍ବୁରୁଗଡ଼ । ପ୍ରତିଦିନ ଏଠାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକମାନେ ପିକନିକ କରିବାକୁ ଆସିଥାନ୍ତି । ଏଠାରେ ଭୋଜି କରିବା ସହ ମହାନଦୀରେ ଗାଧୋଇ ବେଶ ମଜା ନେଇଥାନ୍ତି ପର୍ଯ୍ୟଟକ । ସେହିପରି ଗିରିବର ଦାସ ବାବାଙ୍କୁ ଦର୍ଶନ କରି ବିଭୁତି ମାଖିବାକୁ ମିଳିଥାଏ । ଏଥିପାଇଁ ବର୍ଷର ବିଭିନ୍ନ ସମୟରେ ଭକ୍ତଙ୍କ ସମାଗମ ହୋଇଥାଏ । ବୌଦ୍ଧ ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥ ସହାଜପାଲ ଛକ ଠାରୁ କମ୍ପରା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ମାତ୍ର ୫କିମି ଗଲେ ପଡିଥାଏ ଏହି ସୁନ୍ଦରିଆ ପର୍ଯ୍ୟଟନ ସ୍ଥଳୀ ।
ସବୁବେଳେ ପର୍ଯ୍ୟଟକକୁ ଆକୃଷ୍ଟ କରୁଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ପିକନିକ ପାଇଁ ଲାଗିଛି ଜିଲ୍ଲା ତଥା ଜିଲ୍ଲା ବାହାର ପର୍ଯ୍ୟଟକଙ୍କ ଭିଡ଼ । ଏଠି ସେଲ୍ଫି ପଏଣ୍ଟର ଓ ପାର୍କରେ ଫୋଟ ନେବାର ନିଆରା ମଜା ରହିଛି । ଏହା ସହ ବନ ବିଭାଗ ର ବିଭିନ୍ନ ବନ୍ୟଜନ୍ତୁ ମାନଙ୍କୁ ସ୍ଥାନ ଦିଆଯାଇଛି । ତେବେ ଆଗାମୀ ଦିନରେଏହି ଇକୋ ଟୁରିଜିମ ସ୍ଥାନକୁ ଆହୁରି ଉନ୍ନତି କରାଯିବ ସହ ଯିବାକୁ ଭଲ ରାସ୍ତା ତିଆରି କରାଗଲେ ପର୍ଯ୍ୟଟକମାନଙ୍କ ପାଇଁ ସୁବିଧା ହୁଅନ୍ତା । ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଥରୁଟିଏ ପରିବାର ସହ ବୁଲି ଆସନ୍ତୁ ନିହାତୀ ।