ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ମିଳୁନି ପେନସନ୍, ୧୧ବର୍ଷ ପରେ ବି ଜାରି ରହିଛି ସଂଘର୍ଷ

ଅବସରର ୧୧ବର୍ଷ ପରେ ମଧ୍ୟ ଜଣେ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ମିଳୁନି ପେନସନ୍ । ଏଥିରେ ହସ୍ତକ୍ଷେପ କରିଛନ୍ତି ମାନ୍ୟବର ଅଦାଲତ । ଯଥାଶୀଘ୍ର ବୃଦ୍ଧାଙ୍କୁ ପେନସନ୍ ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ହାଇକୋର୍ଟ ତାଗିଦ କରିଛନ୍ତି । କଟକ ଜିଲ୍ଲା ସାଲେପୁର ବ୍ଳକ୍ ତ୍ରିଲୋଚନ ପୁର ଗାଁ ର ଜାନକୀ ଦାସ । ଦିବ୍ୟଙ୍ଗା ବୃଦ୍ଧା ଭାବେ ସେ ଏକାକୀ ରୁହନ୍ତି । ୧୯୮୩ ମସିହାରେ ସ୍ୱାସ୍ଥ୍ୟ ବିଭାଗରେ ପାଥୋଲଜି ଆସିଷ୍ଟାଣ୍ଟ ଭାବେ ବିଭିନ୍ନ ମେଡିକାଲରେ କାର୍ଯ୍ୟ କରିଛନ୍ତି । ଜଣେ ଦିବ୍ୟାଙ୍ଗ ମହିଳା ଭାବେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ବାରମ୍ବାର ତାଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଉଥିଲା । ଯାହା ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ଜାନକୀ ।
ସଂଘର୍ଷ ଭିତରେ ସ୍ୱାସ୍ଥ୍ୟ ବିଭାଗରେ ସୁଚାରୁରୂପେ କାର୍ଯ୍ୟ କରି ୨୦୧୪ ମସିହାରେ ସରକାରୀ ଚାକିରିରୁ ଅବସର ଗ୍ରହଣ କଲେ । ମାତ୍ର ଦୀର୍ଘ ୧୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ ନିୟମିତ ପେନସନ୍ ମିଳୁନି । ଏନେଇ ସେ ମାନ୍ୟବର ଅଦାଲତର ଆଶ୍ରୟ ନେଇଥିଲେ । ନିଜ ଚିକିତ୍ସା ପାଇଁ ସେ ଅର୍ଥାଭାବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏନେଇ ଓଡ଼ିଶା ହାଇକୋର୍ଟ ପ୍ରାୟ ୧୦ ମାସ ତଳେ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ ନିର୍ଦ୍ଦେଶ । କିନ୍ତୁ ନିର୍ଦ୍ଦେଶର ଅନୁପାଳନ କରାଯାଉ ନଥିବାରୁ ଅଦାଲତ କ୍ଷୋଭ ପ୍ରକାଶ କରିବା ସଙ୍ଗେସଙ୍ଗେ ଘଟଣାର ସମାଧାନ ୪ ସପ୍ତାହ ମଧ୍ୟରେ କରିବାକୁ କହିଛନ୍ତି । ନଚେତ ବିଭାଗୀୟ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲଙ୍ଘନ କରୁଛନ୍ତି ବୋଲି ଧରିନିଆଯାଇ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବଙ୍କୁ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି ଜଣା ଯାଇଛି । ଏଭଳି ଏକ ଦୟନୀୟ ଅବସ୍ଥାରେ ଜାନକୀ ଚଳୁଥିବା ବେଳେ ପଡିଶା ଲୋକ ମଧ୍ୟ ଜାନକୀଙ୍କୁ ସାହସ ଦେଇଛନ୍ତି ।
ଜାନକୀ ଦାସ ଜଣେ ଶାରୀରିକ ଭିନ୍ନକ୍ଷମ ମହିଳା । ୩୧ ବର୍ଷ ଧରି ସ୍ବାସ୍ଥ୍ୟ ବିଭାଗ ଅଧୀନରେ କାମ କରି କଟକ ଜିଲ୍ଲାରୁ ୨୦୧୪ ମସିହାରେ ଅବସର ଗ୍ରହଣ କରିଛନ୍ତି । ଏହି ଭିନ୍ନକ୍ଷମ ମହିଳା ଜଣକ ଅବିବାହିତା । ତାଙ୍କର ଠିକଣା ଭାବେ ବେତନ ନିର୍ଦ୍ଧାରଣ କରାଯାଇ ନାହିଁ କିମ୍ବା ଉଦ୍ଦେଶ୍ୟମୂଳକ ବଦଳି ଆଦେଶ ପରିବର୍ତ୍ତନ ହେବା ପରେ ଅନୁପସ୍ଥିତି ସମୟକୁ ନିୟମିତ କରାଯାଇନାହିଁ । ଏଥିଯୋଗୁ ତାଙ୍କୁ ନିୟମିତ ପେନସନ୍ ସମେତ ଆଉ କେତେକ ଅବସରକାଳୀନ ପ୍ରାପ୍ୟ ଏପର୍ଯ୍ୟନ୍ତ ମିଳିନାହିଁ । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଦୀର୍ଘ ବର୍ଷ ତଳୁ ତାଙ୍କୁ ଶାରୀରିକ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଛନ୍ତି । ସେ ନିଜେ ଏକାକୀ ଯିବା ଆସିବା କରିବା ଅବସ୍ଥାରେ ନଥିବାରୁ ସବୁ ବେଳେ ତାଙ୍କୁ ଅନ୍ୟର ସହାୟତା ନେବାକୁ ପଡ଼ୁଛି । ଏଭଳି ସ୍ଥିତିରେ ନିଜ ପ୍ରାପ୍ୟ ହାସଲ କରିବାକୁ ତାଙ୍କୁ ମାନସିକ, ଶାରୀରିକ ଓ ଆର୍ଥିକ ନିର୍ଯାତନା ଭୋଗିବାକୁ ହେଉଛି । ଅଥଚ ତାଙ୍କ ନିୟମିତ ପେନସନ୍ ମିଳୁ ନାହିଁ ।
ଠିକ ଭାବେ ଚାଲିପାରୁନଥିବା ଓ ଠିଆ ହୋଇପାରୁନଥିବା ଏହି ଶାରୀରିକ ଭିନ୍ନକ୍ଷମ ମହିଳା ଜଣକ ଶେଷରେ ବାଧ୍ୟ ହୋଇ ନ୍ୟାୟ ଲାଗି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶା ହାଇକୋର୍ଟ ଗତବର୍ଷ ଏପ୍ରିଲ ୨୨ ତାରିଖରେ ଜାନକୀ ଦାସଙ୍କ ମାମଲାର ଶୁଣାଣି କରି ତାଙ୍କ ଅଭିଯୋଗ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଲାଗି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଆଦେଶ ସତ୍ତ୍ବେ ବି ଏଯାବତ୍ ଜାନକୀଙ୍କ ଯାତନାର ଅନ୍ତ ଘଟିନାହିଁ । ଏ ପରିପ୍ରେକ୍ଷୀରେ ସେ ପୁଣିଥରେ ଓଡ଼ିଶା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାନ୍ୟବର ଅଦାଲତ ଏହି ମାମଲାକୁ ଗୁରୁତ୍ବର ସହ ନେଇ ସମସ୍ୟାର ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କୁ ଆଉ ୪ ସପ୍ତାହ ସମୟ ଦେଇଛନ୍ତି । ଏହି ସମୟ ସୀମା ମଧ୍ୟରେ ଯଦି ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜାନକୀ ଦାସଙ୍କ ପେନସନ୍ ମାମଲାରେ କିଛି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଆଇନ୍ ଅଦାଲତଙ୍କ ନିର୍ଦ୍ଦେଶନାମାର ଉଲଂଘନ ବୋଲି ଧରିନିଆଯିବ ଏବଂ ଆବଶ୍ୟକ ସ୍ଥଳେ ସ୍ବାସ୍ଥ୍ୟ ବିଭାଗର ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ପଡ଼ିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି କେବେ ଜାନକୀଙ୍କୁ ପେନସନ ମିଳିବ ? ବାକି ଜୀବନ ଜାନକୀ ଦାସ ଖୁସିରେ କାଟିବେ ସେ ସମୟକୁ ଅପେକ୍ଷା ।