କେହି ଶୁଣୁନାହାନ୍ତି ଗୁହାରି, ଚାରିମାସ ହେବ ଭିନ୍ନକ୍ଷମ ମହିଳାଙ୍କୁ ମିଳୁନାହିଁ ଭତ୍ତା

କାମାକ୍ଷାନଗର : ଚାରିମାସ ହେବ ଭିନ୍ନକ୍ଷମ ମହିଳାଙ୍କୁ ମିଳୁନାହିଁ ଭତ୍ତା । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ୍ ଓ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହେଲେଣି ପରିବାର । କିନ୍ତୁ କେହି ଶୁଣୁନାହାନ୍ତି ଗୁହାରି । ଏପରି ଘଟଣା ଦେଖିବାକୁ ମିଳିଛି କଙ୍କଡାହାଡ଼ ବ୍ଲକ ରାଇବୋଲ ଗାଁରେ ।
ଗାଁର ହୃଷିକେଶ ସାହୁ । ଯାହାଙ୍କ ଝିଅ ଅମିତା ସାହୁ । ଯିଏକି ଜନ୍ମରୁ ଭିନ୍ନକ୍ଷମ । ଅମିତାଙ୍କ ଗୋଡ଼ ଓ ଅଣ୍ଟା ଖରାପ ଥିବାବେଳେ ଠିକ୍ ସେ ଚଲାବୁଲା କରିପାରୁନାହାନ୍ତି । ବାପା ହୃଷିକେଶ ଜଣେ ଗରିବ ଶ୍ରେଣୀର ଲୋକ । ବୟସାଧିକ କାରଣରୁ ରୋଗଗ୍ରସ୍ତ ହୋଇଥିବାବେଳେ ଅନ୍ୟ ଜଣେ ଭଉଣୀ ମଧ୍ୟ ଭିନ୍ନକ୍ଷମ । ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ । ଦୁଇ ଭିନ୍ନକ୍ଷମ ଝିଅଙ୍କ ଭତ୍ତା ଟଙ୍କାରେ ଚଳିଥାଏ ପରିବାରର ଗୁଜୁରାଣ ।
କିନ୍ତୁ ଆଜିକୁ ଚାରି ମାସ ହେବ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଅମିତା । ଏଥିନେଇ ମାଆ ଜାୟିତ୍ରି ଓ ଭିନ୍ନକ୍ଷମ ଭଉଣୀଙ୍କୁ ସାଙ୍ଗରେ ଧରି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ପାଞ୍ଚ ଥର ଦେଖା କରିସାରିବା ପରେ ମଧ୍ୟ କେହି ଶୁଣୁନାହାନ୍ତି ଗୁହାରି ।
ପୂର୍ବରୁ ଅମିତା ୧୨୦୦ ଟଙ୍କା ଭତ୍ତା ପାଉଥିବା ବେଳେ ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍ କାର୍ଯ୍ୟାଳୟ ଠାରେ ହେଉଥିବା ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଯୋଗଦେଇ ବର୍ଦ୍ଧିତ ଭତ୍ତା ପାଇବାପାଇଁ ଆବେଦନ କରିଥିଲେ । ମାତ୍ର ଆଜିକୁ ଚାରିମାସ ହେବ ବର୍ଦ୍ଧିତ ଭତ୍ତା ତ ଦୂରର କଥା ପୂର୍ବରୁ ପାଉଥିବା ୧୨୦୦ ଟଙ୍କା ମଧ୍ୟ ବନ୍ଦ ହୋଇଯାଇଛି । ଯାହାକୁ ନେଇ ନିଜ ବୃଦ୍ଧା ମାଆଙ୍କୁ ନେଇ ବ୍ଲକ୍ କାର୍ଯ୍ୟାଳୟରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟକୁ ବାରମ୍ବାର ଧାଇଁ ଧାଇଁ ନୟାନ୍ତ ହେଲେଣି ଅମିତା ଏବଂ ତାଙ୍କ ପରିବାର ।
ଏପଟେ ଏ ସମ୍ପର୍କରେ ରାଇବୋଲ ସରପଞ୍ଚଙ୍କୁ ପଚାରିବାରୁ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କଥା କହିଥିବାବେଳେ, ଏ ବିଷୟରେ କେହି ଗୁରୁତ୍ୱ ଦେଉନଥିବା ସେ କହିଛନ୍ତି । ଅମିତାଙ୍କ ନିକଟରେ ଭିନ୍ନକ୍ଷମ ପ୍ରମାଣପତ୍ରର ହାତଲେଖା ରହିଥିବା ବେଳେ ପୋଷ୍ଟାଲ ମାଧ୍ୟମରେ ତାଙ୍କର ଅନଲାଇନ ଭିନ୍ନକ୍ଷମ ପ୍ରମାଣପତ୍ର ଆସିବା ପାଇଁ ଜିଲ୍ଲା ସ୍ତରରେ କହାଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ଆସିନଥିବାରୁ ଭତ୍ତା ପାଇବାରୁ ଅମିତା ବଞ୍ଚିତ ହେଉଥିବା କହିଛନ୍ତି । ତେବେ କିପରି ଏହି ଭିନ୍ନକ୍ଷମ ମହିଳାଙ୍କୁ ପ୍ରଶାସନ ତରଫରୁ ଯଥାଶୀଘ୍ର ଭତ୍ତାର ବ୍ୟବସ୍ଥା କରାଯାଇ ପାରିବ, ସେନେଇ ସରକାର ଓ ପ୍ରଶାସନକୁ ଅନୁରୋଧ କରିଛି ଏହି ପରିବାର ।
ଆହୁରି ପଢନ୍ତୁ: ୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା, ସମବାୟ ସମିତି ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ