ଭେଣ୍ଡିଆ ପୁଅର ଅକ୍ଷମତା ଅଭାବିତ ପରିବାରର ବୋଝକୁ ଦ୍ୱିଗୁଣିତ କରିଛି

ସୋରଡା: ବୋଝ ଉପରେ ନଳିତା ବିଡ଼ା । ଭେଣ୍ଡିଆ ପୁଅର ଅକ୍ଷମତା ଅଭାବିତ ପରିବାରର ବୋଝକୁ ଦ୍ୱିଗୁଣିତ କରିଛି । ଓଳିଏ ଖାଇଲେ ଓଳିଏ ଉପାବସରେ ରହୁଛି ପରିବାର । ଯେଉଁ ବୟସରେ କାମ କରି ପରିବାର ପୋଷଣ କରିବା କଥା ସେହି ବୟସରେ ପରିବାର ଉପରେ ନିର୍ଭରଶୀଳ ସାଗର ।
ସୋରଡା ବ୍ଲକ ଠାରୁ ଦଶ କିଲୋମିଟର ଦୂରରେ ଅବସ୍ଥିତ ବାଲିଘାଇ ଗ୍ରାମ । ସେଠାରେ ବାସ କରନ୍ତି ଟିଣା ଗୌଡ଼ ସ୍ତ୍ରୀ ଅନୁଛାୟା ଗୌଡ଼ । ଏମାନଙ୍କ ଝିଅ ସୁଜ୍ଞାନୀ ଗୌଡ଼ ଓ ପୁଅ ସାଗର ଗୌଡ଼ ।ଟିଣା ଓ ଅନୁଛାୟାଙ୍କ ବହୁ ସ୍ୱପ୍ନ ଥିଲା ପୁଅ ଓ ଝିଅଙ୍କୁ ନେଇ ଭଲରେ ସଂସାର ଗଢିବେ ବୋଲି । ଧାନ ଚାଷ ସହିତ ପନିପରିବା ଚାଷ କରି ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଦଇବର ବିଡମ୍ବନା ଯୋଗୁ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ପୁଅ ସାଗର ଜନ୍ମରୁ ଭିନ୍ନକ୍ଷମ । ଦୁଇ ଗୋଡ଼ କାମ କରୁନାହିଁ । ଭଲରେ କଥା ମଧ୍ୟ କହି ପାରୁନାହାଁନ୍ତି । ନିଜ କାମ ନିଜେ କରିବା ଅସମ୍ଭବ । ପୁଅ କୁ ଭଲ କରିବା ପାଇଁ ମାଆ ଅନୁଛାୟା ବିଭିନ୍ନ ଡାକ୍ତର ପାଖକୁ ଯାଇ ସବୁ ସମ୍ପତ୍ତି ସାରିଦେଲେ । ଆଶା କରିଥିଲେ ପୁଅ ବଡ଼ ହୋଇ ଶେଷ ସମୟରେ ପୋଷିବ କିନ୍ତୁ ପୁଅ କୁ ବର୍ତମାନ ୧୯ବର୍ଷ । ଏହି ବୟସରେ ଭେଣ୍ଡିଆ ପୁଅର ସେବା କରିବା କେତେ ଯେ କଷ୍ଟ ତାହା ନକହିବା ଭଲ ।
ଏପଟେ ଝିଅ ସୁଜ୍ଞାନୀଙ୍କୁ ବଡ଼ କଷ୍ଟରେ ଦଶମ ପର୍ଯ୍ୟନ୍ତ ପାଠ ପଢ଼ାଇଲେ । ଭଲ ମାର୍କ ରଖି ପାସ କଲେ କିନ୍ତୁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବା ରୁ ଅଧିକ ପଢି ପାରିଲେ ନାହିଁ । ବାପା ଟିଣା ବିଦେଶ ଯାଇ କିଛି ରୋଜଗାର କରି ପରିବାର ପେଟରେ ଆହାର ଦେଉଥିଲେ ତାହା ମଧ୍ୟ ଦଇବ ସହିଲା ନାହିଁ । ଆଜକୁ ବହୁ ବର୍ଷ ହେଲା ଟିବି ରୋଗରେ ଆକ୍ରାନ୍ତ ଟିଣା । ଆଉ କାମ କରିପାରିଲେ ନାହିଁ ବାଧ୍ୟ ହୋଇ ଘରକୁ ଫେରି ଆସିଲେ । ସେ ପୁଣି ପରିବାର ଉପରେ ବୋଝ ହୋଇ ପଡିଲେ । ଶେଷରେ ଝିଅ ସୁଜ୍ଞାନୀ ପରିବାରକୁ ଚଳାଇବା ପାଇଁ ଅଣ୍ଟା ଭିଡ଼ିଲେ । ହାତରେ କୋଡ଼ି ଧରି କ୍ଷେତରେ ପରିବା ଚାଷ ଆରମ୍ଭ କରିଲେ । ଦିନରେ କ୍ଷେତରେ କାମ ଏବଂ ସନ୍ଧ୍ୟା ସମୟରେ ସିଲେଇ ମେସିନରେ ବସି କିଛି ଗ୍ରାମର ମହିଳା ମାନଙ୍କର ଲୁଗା, ଡ୍ରେସ୍ ସିଲେଇ କରନ୍ତି । ସେଥିରେ ଯାହା ରୋଜଗାର ହୁଏ ସେଥିରେ ଭାଇର ଔଷଧ ସହିତ ବାପାଙ୍କ ଚିକିତ୍ସା ଖର୍ଚ୍ଚ ହୁଏ ।
ଦିନ ରାତି ମୁଣ୍ଡରେ ଚିନ୍ତା କିପରି ପରିବାର ଚଳିବ । ବର୍ତମାନ ବାପାଙ୍କୁ ୬୫ ବର୍ଷ ମାଆଙ୍କୁ ୬୦ ଟପିଲାଣି ତଥାପି ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୟସ ହୋଇନାହିଁ ବୋଲି ଭତ୍ତା ମିଳୁନାହିଁ । ଚୁଟି ଧଳା ହେବା ସହିତ ଦେହର ଚମଡା ଓହଳି ଗଲାଣି ତଥାପି ପ୍ରଶାସନିକ ଅଧିକାରୀଙ୍କ ଟିକେ ନିଘା ନାହିଁ । ରାସନ କାର୍ଡରେ କେବଳ ମାଆ ଅନୁଛାୟା ଓ ଦିବ୍ୟାଙ୍ଗ ସାଗରଙ୍କୁ କେବଳ ୧୦କିଲୋ ଚାଉଳ ମିଳୁଛି । ବାପା ଓ ଝିଅ କାର୍ଡରୁ ବାଦ୍ ପଡିଛନ୍ତି । ଦଶ କିଲୋ ଚାଉଳ ମାସକର ଚଳଣି । ତେଣୁ ଝିଅ ସୁଜ୍ଞାନୀ ଅନ୍ୟର ଜମି ଚାଷ କରି ଯାହା ରୋଜଗାର କରନ୍ତି ସେଥିରେ ଦୁଃଖ କଷ୍ଟରେ ପରିବାର ଚଳାନ୍ତି ।
ସାଗରଙ୍କ ସାର୍ଟିଫିକେଟରେ ୭୦ ଭାଗ ଦିବ୍ୟାଙ୍ଗ ରହିଛି । ଯାହା ଫଳରେ ସାଗର ଭତ୍ତା ଏକ ହଜାର ଟଙ୍କା ପାଉଛନ୍ତି । ସାଗର ସମ୍ପୂର୍ଣ ଅକ୍ଷମ ହୋଇ ମଧ୍ୟ ୧୦୦ ଭାଗ ସାର୍ଟିଫିକେଟ ପାଇନାହାନ୍ତି । ମାଆ ଡାକ୍ତରଙ୍କୁ ବାରମ୍ବାର କହିଲେ ମଧ୍ୟ ଡାକ୍ତର ଶୁଣୁନାହାନ୍ତି କେବଳ ମିଳୁଛି ତିରସ୍କାର । ସାଇକେଲ ଖଣ୍ଡିଏ ପାଇଁ ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ । ଘରର ଅବସ୍ଥା କହିଲେ ନ ସରେ । ନିଜେ ତିଆରି କରିଥିବା ଦୁଇ ବଖରାରେ ଚଳୁଛି ଏହି ପରିବାର । ସୁଜ୍ଞାନୀ ଯେଉଁ ବୟସରେ ହସିବା ଖେଳିବା କଥା, ନିଜର ଭବିଷ୍ୟତ ଗଢିବା କଥା ସେହି ବୟସରେ ପରିବାରର ବୋଝ ଉଠାଉଛନ୍ତି । ଆଖିର ଲୁହକୁ ଆଖିରେ ରଖି ଦିନ ରାତି ଖଟି ପରିବାର କୁ କିପରି ପ୍ରତିପୋଷଣ କରିବେ ତାଙ୍କର ଏବେ ମୁଖ୍ୟ ଲକ୍ଷ୍ୟ ।
ଏପଟେ ଏହି ସମସ୍ୟା ସମ୍ପର୍କରେ ଆମେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କୁ ପଚାରିଥିଲୁ, ସେ କହିଛନ୍ତି ବ୍ଲକ୍ ପ୍ରଶାସନକୁ କହି ତଦନ୍ତ କରି ଏହି ପରିବାରକୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।
ସରକାର ଅସହାୟ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା କରିଛନ୍ତି । ଏହି ସୁବିଧା ଯୋଗାଇ ଦେବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ଦିବ୍ୟାଙ୍ଗ ପରିବାରଙ୍କ ଘରେ ଘରେ ପହଁଚିବାକୁ ସରକାର ନିର୍ଦ୍ଦେଶ ବି ଦେଇଛନ୍ତି, କିନ୍ତୁ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଦିବ୍ୟାଙ୍ଗ ସାଗର ଅବହେଳିତ । ମାଆ, ଭଉଣୀ ସବୁ ଅଫିସ ବୁଲି ବୁଲି ନିରାଶ ହୋଇ ନିଜ କର୍ମକୁ ଆଦରି ଘରେ ବସିଛନ୍ତି ।
ଆହୁରି ପଢନ୍ତୁ: ପୋଖରୀରେ ବୁଡ଼ି ଆଖି ବୁଜିଲା ୫ବର୍ଷର ଶିଶୁ ପୁତ୍ର ସାଇ, ଛାତି ଫଟାଇ କାନ୍ଦୁଛି ମାଆ