ଭେଣ୍ଡିଆ ପୁଅର ଗୋଡ଼ରେ ଲୁହାର ବେଡି, ତଥାପି ମିଳୁନି ସହାୟତା

ନୟାଗଡ: ଛାତିକୁ ପଥର କରି ସଂଘର୍ଷ କରୁଥିବା ଏଇ ମାଆଟିର ଦୁଃଖ କେତେ ଆପଣ ଆଖିରେ ନଦେଖିଲେ ଅନୁଭବ କରିପାରିବେନି । ମାଆର ଭୂମିକା ସବୁଠୁ ଆଗରେ । ସନ୍ତାନ ପାଇଁ ମାଆ ତାର ଛାଇ ଭଳି ସାହାରା ପାଲଟିଥାଏ । ତେବେ ଏଇ ମାଆଟି ବି କେତେ ପୂଜା ପାଠ କରି ପୁଅଟି ପାଇଥିଲା । ହେଲେ ପିଲାବେଳୁ ପୁଅ ତାର ମାନସିକ ବିକାରଗ୍ରସ୍ତ । ତଥାପି ହାର୍ ମାନିନାହାନ୍ତି ଏ ମାଆ ଜଣଙ୍କ । ଆଜି ବୟସର ଅପରାହ୍ନରେ ବି ଭେଣ୍ଡିଆ ପୁଅର ହାତକୁ ଧରି ବାଟ କଢାଇ ନେଉଛନ୍ତି ।
ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ର ତାପ । ଦେଖନ୍ତୁ କେମିତି ଦିନ ଦ୍ୱିପ୍ରହର ଖରାରେ ମାଆ ଓ ପୁଅ ଦୁଇ ଜଣ ଘର ଘର ବୁଲି ମାଗୁଛନ୍ତି ଭିକ୍ଷା । ରାସ୍ତାରେ ଯାଉଥିବା ପଥିକ ପୁଅକୁ ଅନାଇ ଦେଇ ଯାଉଛନ୍ତି । କାହିଁକିନା ପୁଅ ଗୋଡ଼ରେ ପଡିଛି ଲୁହାର ବେଡି । ନୟାଗଡ ଜିଲ୍ଲା ଲଷ୍ମୀପ୍ରସାଦ ପଂଚାୟତ ବୋଦାପଡା ଗାଁର ଏ ହେଉଛନ୍ତି କାହ୍ନୁ ଚରଣ ସିଂ । ପିଲାବେଳୁ ମାନସିକ ବିକାରଗ୍ରସ୍ତ । ବାପା ଏମାନଙ୍କୁ କୁଆଡେ ଛାଡି ପଳାଇଯାଇଛନ୍ତି । ସେବେଠାରୁ ମାଆ, ପୁଅ, ଝିଅ ଭିକ୍ଷା ବୃତ୍ତି କରି ଚଳିଥାନ୍ତି ।
ତେବେ ପିଲାଟିବେଳୁ କାହ୍ନୁ ମାନସିକ ବିକାରଗ୍ରସ୍ତ ଥିବାରୁ ତାଙ୍କ ଗୋଡ଼ରେ ଲୁହା ବେଡି ପଡିଛି । ଗୋଡ଼ରେ ବନ୍ଧା ହୋଇଥିବା ଲୁହା ବେଡି କେବେବି ଖୋଲା ଯାଏନାହିଁ । ଏଭଳି ଅବସ୍ଥାରେ କାହ୍ନୁ ସମସ୍ତ କାମ କରିଥାନ୍ତି । କାହ୍ନୁଙ୍କ ଭତ୍ତା ଓ ଭିକ୍ଷା ବୃତ୍ତିରେ ଚଳେ ଏମାନଙ୍କର ପରିବାର । ବୁଢୀ ମାଆଟି ବି ଦିବ୍ୟାଙ୍ଗ ପୁଅକୁ କେବେ ଏକା ଛାଡନ୍ତି ନାହିଁ । ତାରି ଆଗପଛରେ ବୁଲୁଥାନ୍ତି । ମାଆ ପୁଅ ମିଶି ଭିକ୍ଷା ବୃତ୍ତି କରିଥାନ୍ତି ।
ତେବେ କାହ୍ନୁ ଶହେ ପ୍ରତିଶତ ଦିବ୍ୟାଙ୍ଗ । କିଛି ବି ଜାଣି ପାରୁନାହାଁନ୍ତି । ହେଲେ ପ୍ରମାଣ ପତ୍ରରେ ୭୫ ଭାଗ ମିଳିଛି । ତେବେ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ଭତ୍ତା ରାଶି । କିନ୍ତୁ ବର୍ଦ୍ଧିତ ଭତ୍ତା ରାଶି ପାଇବାରୁ ବଞ୍ଚିତ କାହ୍ନୁ । ଯାହା ପାଇଁ ଦିବ୍ୟାଙ୍ଗ ପୁଅକୁ ଧରି ବୁଢୀ ମାଆଟି ବିଭିନ୍ନ ସରକାରୀ ଦପ୍ତର ବୁଲି ବୁଲି ନୟାନ୍ତ ତଥାପି ଫଳ ଶୂନ । ଏନେଇ ଆମେ ନୟାଗଡ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କହିଥିଲୁ , ସେ କହିଛନ୍ତି ଯଦି କାହ୍ନୁ ମାନସିକ ବିକାରଗ୍ରସ୍ତ, ତେବେ ପ୍ରମାଣ ପତ୍ରକୁ ବଦଳାଯାଇ ନୂତନ ପ୍ରମାଣ ପତ୍ର ଦିଆଯିବ ।
ସତରେ ଭଗବାନଙ୍କ ନ୍ୟାୟ କଣ ଏମିତି । କାହାକୁ ମେଞ୍ଚେ ତ କାହା ପାଇଁ କେଞ୍ଚେ । ଆଜିକାଲି ଦୁନିଆରେ ଧନୀ ଆହୁରୀ ଧନୀ ହେବାକୁ ଲାଗୁଥିବାବେଳେ ଗରିବର ଦୁଃଖ ଦିନକୁ ଦିନ ବଢିବାରେ ଲଗିଛି । ସମୟ ଚକ୍ରରେ ସବୁକିଛି ପରିବର୍ତ୍ତନ ହେଇଯାଉଛି କିନ୍ତୁ ଗରିବ ସେଇ ଗରିବ ହିଁ ହୋଇ ରହିଯାଉଛି ।
ଅନ୍ୟପଟେ ଏହି ପରିବାରର ଦୁଃଖକୁ ତୁରନ୍ତ ସମାଧାନ କରିବା ସହିତ ସରକାରଙ୍କ ଯୋଜନାକୁ ସଠିକ୍ ଦିଗରେ କାର୍ଯ୍ୟକାରୀ କରିବା ନେଇ ସାଧାରଣରେ ଦାବି ହୋଇଛି । ସରକାରଙ୍କ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ଅନେକ ସୁବିଧା କରାଯାଉଛି । ୮୦ ପ୍ରତିଶତରୁ ଊର୍ଧ୍ଵ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ଭତ୍ତା ରାଶି । କିନ୍ତୁ କିଛି କିଛି ସ୍ଥାନରେ ଦିବ୍ୟାଙ୍ଗମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆହୁରି ପଢନ୍ତୁ: କାମ କରୁନି ହାତର ରେଖା ଓ ଆଖିର ଜ୍ୟୋତି, ଆଧାର କାର୍ଡ ପୈଠ କରି ନପାରିବାରୁ ଦିବ୍ୟାଙ୍ଗଙ୍କ ଭତ୍ତା ବନ୍ଦ