ରୋଷେଇ ଘରେ ରଖନ୍ତୁ ନାହିଁ ଦର୍ପଣ କି ଔଷଧ, ପଡ଼ିବ ଶନି-ରାହୁଙ୍କର ନକାରାତ୍ମକ ପ୍ରଭାବ; ଚକଟା ଅଟା ଓ ଭଙ୍ଗା ବାସନରୁ ଉପୁଜିବ ଆର୍ଥିକ ସମସ୍ୟା

ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ରୋଷେଇ ଘର। କାହିଁକିନା, ଏଠାରେ ଖାଦ୍ୟ ରନ୍ଧା ଯାଇଥାଏ ଏବଂ ଏଥିରୁ ଶକ୍ତି ପାଇବା ପରେ ଜଣେ ବ୍ୟକ୍ତିର ଜୀବନ ଚାଲିଥାଏ। ଏଥିପାଇଁ ଧର୍ମ, ପୁରାଣରୁ ନେଇ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ପର୍ଯ୍ୟନ୍ତ, ସବୁଠି ରୋଷେଇ ଘର ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି। ରୋଷେଇ ଘରେ ବାସ୍ତୁ ଦୋଷ ଯୋଗୁ ନକାରାତ୍ମକ ଶକ୍ତି ବଢ଼ିଥାଏ ଏବଂ ଏହାର ଖରାପ ପ୍ରଭାବ ପୂରା ପରିବାରକୁ ଭୋଗିବାକୁ ପଡ଼ିଥାଏ। ଏମିତି ସ୍ଥିତିରୁ ବଞ୍ଚିବା ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଜିନିଷକୁ ରୋଷେଇ ଘରେ ରଖିବାକୁ ମନା କରାଯାଇଛି। ଆସନ୍ତୁ ଜାଣିବା କ’ଣ ସେ ସବୁ ଜିନିଷ।
ଭଙ୍ଗା ବାସନ: ଭାଙ୍ଗି ଯାଇଥିବା କିମ୍ବା ଫାଟି ଯାଇଥିବା ବାସନକୁସନ ଆଦୌ ବ୍ୟବହାର କରନ୍ତୁ ନାହିଁ। ଏପରି କି, ଏହାକୁ ରୋଷେଇ ଘରେ ମଧ୍ୟ ରଖନ୍ତୁ ନାହିଁ। ଏମିତି କରିବା ବର୍ବାଦୀକୁ ଡାକି ଆଣିବା ଭଳି ହୋଇଥାଏ। ଭଙ୍ଗା ବାସନଗୁଡିକ ଆର୍ଥିକ ସଙ୍କଟ ସୃଷ୍ଟି କରିଥାଏ।
ଔଷଧ: ଅନେକ ଲୋକ ରୋଷେଇ ଘରେ ଔଷଧ, ବ୍ୟାଣ୍ଡେଜ୍ କିମ୍ବା ଟ୍ୟୁବ୍ ଆଦି ଜିନିଷ ରଖି ଦିଅନ୍ତି, ଯେପରି ଜଳିଗଲେ କି କଟିଗଲେ, ଏଗୁଡ଼ିକ ତୁରନ୍ତ କାମରେ ଆସି ପାରିବ। ସୁରକ୍ଷା ଦୃଷ୍ଟିରୁ ଘରେ ଫାର୍ଷ୍ଟ ଏଡ୍ କିଟ୍ ରହିବା ନିହାତି ଜରୁରୀ, କିନ୍ତୁ ଏହାକୁ ରୋଷେଇ ଘରେ ରଖିବାର ଭୁଲ ଆଦୌ କରନ୍ତୁ ନାହିଁ। ବାସ୍ତୁ ମୁତାବକ, ରୋଷେଇ ଘରେ ଔଷଧ ରଖିବା ଦ୍ୱାରା ଘରର ମୁଖିଆ ସବୁବେଳେ ରୋଗାକ୍ରାନ୍ତ ରୁହନ୍ତି। ଏହି ସମୟରେ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ଅସୁସ୍ଥ ହୋଇ ପଡ଼ନ୍ତି।
ଦର୍ପଣ: ଠିକ୍ ସ୍ଥାନରେ ଦର୍ପଣ ରଖିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ ରୋଷେଇ ଘରେ ଦର୍ପଣର ବ୍ୟବହାର ଦ୍ୱାରା ଘର ଧ୍ୱଂସର କାରଣ ହୋଇପାରେ। ତେଣୁ ରୋଷେଇ ଘରେ କେବେ ବି ଦର୍ପଣ ରଖନ୍ତୁ ନାହିଁ। ଏହା ଘରେ ଝଗଡ଼ାକୁ ବଢ଼ାଇଥାଏ।
ଅନାବଶ୍ୟକ ଜିନିଷ ଏବଂ ଅଇଁଠା ବାସନ: ଅବ୍ୟବହୃତ ଜିନିଷ ରୋଷେଇ ଘରେ ରହିଲେ ମା’ ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇ ଯାଆନ୍ତି। ରୋଷେଇ ଘରେ ସବୁବେଳେ ଉପଯୋଗୀ ଏବଂ ଭଲ ଜିନିଷ ହିଁ ରଖିବା ଉଚିତ। ଏଥି ସହିତ ଏହାକୁ ସବୁବେଳେ ସଫାସୁତରା ରଖିବା ଦରକାର। ରୋଷେଇ ଘରେ ରାତି ସାରା ରଖା ଯାଇଥିବା ଅଇଁଠା ବାସନ ମା’ ଲକ୍ଷ୍ମୀଙ୍କୁ କ୍ରୋଧିତ କରି ଆର୍ଥିକ ସମସ୍ୟାର କାରଣ ହୋଇଥାଏ।
ଚକଟା ଅଟା: ଅନେକ ଲୋକ ବଳକା ଅଟାକୁ ଫ୍ରିଜରେ ରଖି ତା’ ପରଦିନ ବ୍ୟବହାର କରି ଥାଆନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ରରେ ଏହାକୁ ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଛି। ଏପରିକି, ଚିକିତ୍ସା ବିଜ୍ଞାନରେ ମଧ୍ୟ ଏଥିରୁ କ୍ୟାନ୍ସର ହେବାର ଆଶଙ୍କା ରହୁଥିବା କଥା କୁହାଯାଇଛି। ରାତାସାରା ରଖା ଯାଇଥିବା ଚକଟା ଅଟା ଯୋଗୁ ଶନି ଏବଂ ରାହୁଙ୍କର ନକାରାତ୍ମକ ପ୍ରଭାବ ଲାଗି ରହିଥାଏ।