ସାପମାନେ ମଣିଷର ପିଛା କରୁଥିବା ଆପଣମାନେ ଫିଲ୍ମରେ ଦେଖିଥିବେ । କିନ୍ତୁ ସାପ ସତରେ କଣ ମଣିଷର ପିଛା କରେ କି ? ଯଦି ବି ପିଛା କରେ କାହିଁକି ? ସାପ କଣ ମଣିଷକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼େ କି ? ଏଭଳି ପ୍ରଶ୍ନ ଆପଣଙ୍କ ମନକୁ କେବେ ନା କେବେ ନିଶ୍ଚିତ ଆସିଥିବ । ତେବେ ସାପକୁ ନେଇ ବୈଜ୍ଞାନିକମାନେ କଣ କହିଛନ୍ତି ଆସନ୍ତୁ ଜାଣିବା ।
ସାପ ଏମିତି ଏକ ସରୀସୃପ ଯାହା କାମୁଡ଼ିବା ମାତ୍ରେ ହିଁ ମଣିଷର ମୃତ୍ୟୁ ହୁଏ । ସାପକୁ ନେଇ ଅନେକ ରହସ୍ୟ ରହିଛି । ପୃଥିବୀରେ ଅନେକ ସାପ ବିଷାକ୍ତ ହୋଇଥିବାବେଳେ କିଛି ସାପଙ୍କର ବିଷ ନଥାଏ । କିନ୍ତୁ ଲୋକମାନେ ବିଶ୍ୱାସ କରନ୍ତି ଯେ ସାପର ଅନିଷ୍ଟ କଲେ ସାପ ମଣିଷକୁ ଛାଡ଼େ ନାହିଁ । ମଣିଷର ଜୀବନ ନନେବା ଯାଏ ତାର ପିଛା କରୁଥାଏ । ଲୋକେ କୁହନ୍ତି ସାପ ନିଜ ଶତ୍ରୁର ଫଟୋକୁ ଆଖିରେ ସାଇତି ରଖିଥାଏ । ଖାଲି ସୁଯୋଗ ଖୋଜି ବୁଲୁଥାଏ ଆଉ ଯେତେବେଳେ ଶତ୍ରୁକୁ ସାମ୍ନାରେ ପାଏ ତାର ପିଛା କରି କରି ଦଂଶି ଦିଏ ଏବଂ ଜୀବନ ନିଏ ।
କିନ୍ତୁ ସାପ ସମ୍ବନ୍ଧୀୟ ଅନୁସନ୍ଧାନ କରୁଥିବା ବିଶେଷଜ୍ଞମାନେ ଏହାକୁ ଅସ୍ୱୀକାର କରୁଛନ୍ତି । ସେମାନେ କହିଛନ୍ତି ଯେ ସାପ କାହାକୁ ଗୋଡ଼ାଏନି କି କାହାର ପିଛା କରେ ନାହିଁ ଓଲଟା ସାପ ସବୁବେଳେ ମଣିଷଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ । ଏ କଥା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ ସାପ ଏମିତି କିଛି କରନ୍ତି ନାହିଁ ।
ବିଶେଷଜ୍ଞମାନେ କହିଛନ୍ତି ଯେ ସାପ ସାଧାରଣତଃ ଦୁଇଟି କାରଣରୁ ଲୋକଙ୍କୁ କାମୁଡ଼େ। ପ୍ରତମତଃ ଶିକାର କରିବା ପାଇଁ ସାପ କାମୁଡ଼ିଥାଏ ନଚେତ ନିଜ ଆତ୍ମରକ୍ଷା ପାଇଁ ସେ କାହାକୁ ଆକ୍ରମଣ କରେ । ମଣିଷମାନେ ସାପର ଖାଦ୍ୟ ନୁହଁନ୍ତି, ତେଣୁ ସାପ ସେମାନଙ୍କୁ ଗୋଡ଼ାଇବାର କୌଣସି ଆବଶ୍ୟକତା ନାହିଁ । ୱାଇଲ୍ଡ ଲାଇଫ ରିମୋଭାଲ୍ୟୁସାର ରିପୋର୍ଟ ଅନୁଯାୟୀ ସାପମାନେ ମଣିଷକୁ ଦେଖି ଭୟଭୀତ ହୋଇଯାଆନ୍ତି । ଏପରିସ୍ଥିତିରେ ଅନେକ ଥର ସାପ ଭୟରେ ମଣିଷ ପଛରେ ଗୋଡ଼ାଇବା ଆରମ୍ଭ କରେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନେ ମଣିଷକୁ କାମୁଡ଼ିବା ପାଇଁ ତାଙ୍କ ପଛରେ ଗୋଡ଼ାନ୍ତି ।
ଏକ ରିପୋର୍ଟ ଅନୁଯାୟୀ ଯେତେବେଳେ ମଣିଷ ସାପ ସହ ଲାଗିବାକୁ ଚେଷ୍ଟା କରେ ସେତେବେଳେ ସାପ ଆତ୍ମରକ୍ଷା ପାଇଁ ମଣିଷକୁ କାମୁଡ଼ିଥାଏ । ସରୀସୃପ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଆପଣ ସାପ ସାମ୍ନାରେ କେବେ ବି ପଡ଼ି ଯାଉଛନ୍ତି ତେବେ ଚୁପଚାପ୍ ସେଠାରୁ ପଳାଇ ଯିବା ଉଚିତ । ନଚେତ ସାପ ଆପଣଙ୍କୁ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିବ ।
ଭାରତରେ ମିଳୁଥିବା ବିଷାକ୍ତ ସାପମାନଙ୍କ ମଧ୍ୟରେ ଅହିରାଜ ଏପରି ଏକ ସାପ ଯାହା ସମଗ୍ର ବିଶ୍ୱରେ ଦ୍ରୁତତମ ସାପ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଅହିରାଜ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଚାଲିଥାଏ । ସମତଳ ସ୍ଥାନଠାରୁ ଆରମ୍ଭ କରି ପାହାଡ଼ିଆ ଅଞ୍ଚଳ ପର୍ଯ୍ୟନ୍ତ ଏହି ସାପ ଏତେ ଦ୍ରୁତଗତିରେ ଚାଲିପାରେ ଯେ କିଛି ମିନିଟ୍ ମଧ୍ୟରେ ଶିକାର କରିପାରେ । ଭାରତରେ ସାପ କାମୁଡ଼ାରୁ ପ୍ରତିବର୍ଷ ଅଧିକାଂଶ ଲୋକ ମୃତ୍ୟୁ ବରଣ କରୁଛନ୍ତି । ବର୍ଷା ଦିନ ହେଲେ ସାପ ମୃତ୍ୟୁ ସଂଖ୍ୟା ଅଧିକ ବଢ଼େ । କାହିଁକି ନା ସାପଙ୍କ ଗାତରେ ପାଣି ପଶିଯାଏ ଏବଂ ଏ ସରୀସୃପ ଗାତରୁ ବାହାରି ଲୋକଙ୍କ ଘରେ ପଶନ୍ତି । ଅନେକ ସମୟରେ ସାପ ଲୋକଙ୍କୁ କାମୁଡ଼ି ସେମାନଙ୍କ ଜୀବନ ନିଏ । ତେଣୁ ଆପଣ ନିଜ ଘର ଆଖପାଖ ସଫା ରଖନ୍ତୁ । ଯାହା ଦ୍ୱାରା ସାପ ଆପଣଙ୍କ ଘର ଠାରୁ ଦୂରେଇ ରହିବେ ।